ପ୍ରୟାଗରେ ମୋହନ ଭାଗବତ : ବଡ଼ ଘୋଷଣାକୁ ଅପେକ୍ଷା
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରୟାଗରାଜରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱହିନ୍ଦୁ ପରିଷଦର ଧର୍ମ ସଂସଦରେ ଯୋଗ ଦେବାକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ପହଞ୍ଚିସାରିଲେଣି। ପ୍ରୟାଗରେ ଭାଗବତ ପହଞ୍ଚିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ପ୍ରୟାଗ ଯିବା ପୂର୍ବରୁ ସେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସହିତ ଆଲୋଚନା କରିଛନ୍ତି। କେବଳ ଅମିତ୍ ଶାହା ନୁହଁନ୍ତି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଭାଗବତ ଧର୍ମ ସହସଦରେ ଯୋଗ ଦେବା ପୂର୍ବରୁ ଶାହା-ଯୋଗୀଙ୍କୁ ସାକ୍ଷାତ କରିବା ଘଟଣା ରାଜନୀତିକ ମହଲରେ ଗୁରୁତ୍ୱ ମନେ କରାଯାଉଛି।

ଆସନ୍ତା ୨୧ରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ କରାଯିବ। ‘ପରମଧର୍ମ ସଂସଦ’ ପକ୍ଷରୁ ବୁଧବାର ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ମନ୍ଦିର ନିର୍ମାଣ ପାଇଁ ୨୧ ତାରିଖ ଦିନ ଧାର୍ଯ୍ୟ କରାଯାଉଛି। ସୁପ୍ରିମକୋର୍ଟର ମତିଗତିକୁ ସମାଲୋଚନା କରି ସନ୍ଥମାନେ କହିଛନ୍ତି ଯେ ଯେ କୁକୁରକୁ ମଧ୍ୟ ଏଠି ତତ୍କାଳ ନ୍ୟାୟ ମିଳୁଥିବା ବେଳେ ରାମଙ୍କ ଦେଶରେ ରାମ ଜନ୍ମଭୂମି ପାଇଁ ନ୍ୟାୟ ମିଳୁନାହିଁ। ଏଣେ ବିଶ୍ୱ ହିନ୍ଦୁ ପରିଷଦର ଧର୍ମ ସଂସଦରେ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଛାଇ ହୋଇ ରହିଛି। ଗୁରୁବାର ଅପରାହ୍ନରେ ଆରମ୍ଭ ହୋଇଥିବା ବିଶ୍ୱ ହିନ୍ଦୁ ପରିଷଦ ବୈଠକରେ ଯୋଗ ଦେବାକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଭାପତି ମୋହନ ଭଗବତ ପହଞ୍ଚିଛନ୍ତି। ମନେ ହେଉଛି ରାମ ମନ୍ଦିର ନିର୍ମାଣ ପାଇଁ ଏଥର ଏକ ବଡ଼ ପଦକ୍ଷେପ ନିଆଯିବ।
ଆସନ୍ତାକାଲି ମନ୍ଦିର ନିର୍ମାଣ ପ୍ରସ୍ତାବ
ଆସନ୍ତା କାଲି ଧର୍ମ ସଂସଦରେ ଆନୁଷ୍ଠାନିକ ଭାବେ ମନ୍ଦିର ନିର୍ମାଣ ପାଇଁ ଏକ ପ୍ରସ୍ତାବ ଗୃହୀତ ହେବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଧର୍ମ ସଂସଦରେ ଦେଶର ପ୍ରାୟ ୫ ହଜାର ସାଧୁ ସନ୍ଥ ଏକଠି ହୋଇଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ ଓ ଆରଏସଏସର ବଡ଼ ବଡ଼ ପଦାଧିକାରୀ ବି ଧର୍ମ ସଂସଦରେ ଯୋଗ ଦେବା ପାଇଁ ଆସୁଛନ୍ତି। ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଓ ଆନ୍ତର୍ଜାତିକ ସଭାପତି ବିଷ୍ଣୁ ସଦାଶିବ କୋକଜେଙ୍କ ସମେତ ପରିଷଦର କାର୍ଯ୍ୟକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗ ଦେଉଛନ୍ତି ଏହି ଧର୍ମ ସଂସଦରେ।
ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୁମ୍ଭମେଳାର ସେକ୍ଟର ୧୫ରେ ଅବସ୍ଥାନ କରୁଥିବା ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ବି ଭେଟିଛନ୍ତି। ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସହ ବି ଯୋଗୀ କଥାବାର୍ତ୍ତା କରିଥିବା ଜଣାପଡ଼ିଛି। ଖବର ମିଳିଛି ଯେ ଆଗାମୀ ଦିନରେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରାୟ ପ୍ରତି ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦ ପହଞ୍ଚିବା ପାଇଁ ଯୋଜନା କରୁଛି। କୁମ୍ଭମେଳାରେ ଯେଉଁ ଧର୍ମ ସଂସଦ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ହେଉଛି ସେଥିରେ ଯୋଗ ଦେବାକୁ ବିଦେଶରେ ରହୁଥିବା ସନ୍ଥମାନଙ୍କୁ ବି ଆମନ୍ତ୍ରଣ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦର ଉଦ୍ଦେଶ୍ୟ ହେଉଛି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଦେଶ ବିଦେଶର ସମସ୍ତ ସାଧୁ ସନ୍ଥଙ୍କୁ ଗୋଟିଏ ମଞ୍ଚ ଉପରକୁ ଆଣିବା। ଏହା ଫଳରେ ପରିଷଦକୁ ମାର୍ଗ ଦର୍ଶନ ମିଳିବ ଓ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ ହୋଇପାରିବ।
ସ୍ଵରୂପାନନ୍ଦ ସରସ୍ୱତୀଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି

ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ନେତୃତ୍ୱ ନେଇଥିବା ଶଙ୍କରାଚାର୍ଯ୍ୟ ସ୍ଵରୂପାନନ୍ଦ ସରସ୍ୱତୀ କହିଛନ୍ତି ଯେ ୨୧ରେ ଆମେ ମନ୍ଦିରର ପଥର ରଖିବା ନିଶ୍ଚିତ। ସକଳ ହିନ୍ଦୁ ସମାଜର ମନସ୍କାମନା ପୂରଣ ପାଇଁ ଆମେ ବଦ୍ଧ ପରିକର। ସେ କହିଛନ୍ତି, ବସନ୍ତ ପଞ୍ଚମୀ ପରେ ଆମେ କୁମ୍ଭମେଳାରୁ ସିଧା ଅଯୋଧ୍ୟା ଯାତ୍ରା କରିବୁ ଓ ସେଠାରେ ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଯିବ। ଯଦି ଏଥିପାଇଁ ଆମକୁ ଜେଲ ଯିବାକୁ ପଡ଼େ କିମ୍ବା ଗୁଳି ଖାଇବାକୁ ପଡ଼େ ସେଥିପାଇଁ ଆମେ ପ୍ରସ୍ତୁତ। ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଯଦି ମନ୍ଦିର ନିର୍ମାଣ କାର୍ଯ୍ୟରେ କ୍ଷମତାର କୌଣସି ଅଙ୍ଗ ବାଧା ଦିଏ ଆମେ ହିନ୍ଦୁମାନଙ୍କ ପାଇଁ ଏକ ଧର୍ମାଦେଶ ଜାରି କରିବୁ ଓ କହିବୁ ଯେ ମନ୍ଦିର ପାଇଁ ଯଦି କୋଟି କୋଟି ଲୋକଙ୍କୁ ଜେଲ ଯିବାକୁ ହେବ ସେମାନେ ତାହା କରିବେ।