ଦେଶ ଚାହୁଁଛି ‘ମଜଭୁତ’ ସରକାର ଏବଂ ବିରୋଧୀ ଚାହୁଁଛନ୍ତି ‘ମଜବୁରୀ’ ସରକାର: ମୋଦି

ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଓ ଦଳର ସଂଗଠକମାନଙ୍କ ମନୋବଳକୁ ଦୃଢ଼ୀଭୂତ କରିବା ପାଇଁ ଦିଲ୍ଲୀର ରାମଲୀଳା ମୈଦାନରେ ଚାଲିଥିବା ବିଜେପିର ୨ଦିନିଆ ରାଷ୍ଟ୍ରୀୟ ଅଧିବେଶନକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ସବୁ ବିରୋଧୀ ଦଳ ଏବେ ହାତ ମିଳାଇଛନ୍ତି। ସମସ୍ତ ବିରୋଧି ଦଳଙ୍କ ଟାର୍ଗେଟରେ କେବଳ ଜଣେ ଲୋକ ରହିଛି। ଏହା ପରେ ବି ବିରୋଧୀଙ୍କ ରଣନୀତି ସଫଳ ହେବନି। କାରଣ ଦେଶ ଚାହୁଁଛି ମଜଭୁତ ସରକାର ଏବଂ ବିରୋଧୀ ଚାହୁଁଛନ୍ତି ‘ମଜବୁରୀ’ ସରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ରାଷ୍ଟ୍ରୀୟ ଅଧିବେଶନରେ ମୋଦି ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଦେଶକୁ ଜଣେ ଭଲ ପ୍ରଧାନ ସେବକ ଦରକାର ବୋଲି ମୋଦି କହିଥିଲେ। ଦେଶର ସମ୍ପତ୍ତି ଚୋରି କରି ନିଜ ପରିବାରରେ ବାଣ୍ଟୁଥିବା ଲୋକଙ୍କୁ ପ୍ରଧାନ ସେବକ କରିବାକୁ ଆପଣ ଚାହିଁବେ କି ବୋଲି ମୋଦି ପ୍ରଶ୍ନ କରିଥିଲେ। ନିଜ ଘର କଥା ପଡ଼ୋଶୀଙ୍କ ଆଗରେ କହୁଥିବା ଲୋକଙ୍କୁ ଆପଣ ପ୍ରଧାନସେବକ କରିବାକୁ ଚାହିଁବେ କି ବୋଲି ଜାତୀୟ ଅଧିବେଶନ ମଞ୍ଚରୁ ସାଧାରଣ ଲୋକଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ମୋଦି। ନିଜ ଘରର ସେବକ ଯେମିତି ଆପଣମାନେ ନିଜେ ସ୍ଥିର କରନ୍ତି ଠିକ୍ ସେମିତି ଦେଶର ସେବକ କିଏ ହେବେ ତାହା ମଧ୍ୟ ଦେଶବାସୀ ନିଷ୍ପତ୍ତି ନେବେ ବୋଲି ମୋଦି କହିଥିଲେ ।

ଯେଉଁ ନେତାମାନେ ମଜବୁର ସରକାର ଚାହୁଛନ୍ତି, ଏବେ ସେମାନଙ୍କର ସମସ୍ତ ଦୋକାନ ବନ୍ଦ ହୋଇଯାଇଛି। ସେମାନେ ଆଉ ଚୋରୀ କରିପାରୁନାହାନ୍ତି। ପୂର୍ବରୁ ସେମାନେ ଯେପରି ନିଜ ପରିବାରର ହିତରେ କାମ କରୁଥିଲେ ଏବେ ତାହା ହୋଇପାରୁନାହିଁ। ମଜବୁର ସରକାର ଆସିଲେ ସେମାନଙ୍କର ଚୋରୀ ଓ ପରିବାରବାଦ ପୁଣି ଚାଲିବ ବୋଲି ମୋଦି ଚେତାଇ ଦେଇଥିଲେ।

ଦିନ ଥିଲା କଂଗ୍ରେସର ନୀତି ନିୟମକୁ ଅନ୍ୟ ବିରୋଧୀ ଦଳ ମାନୁ ନଥିଲେ। କଂଗ୍ରେସ ବିପକ୍ଷରେ ସମସ୍ତ ବିରୋଧୀ ଦଳ ଏକାଠି ହେଉଥିଲେ। କିନ୍ତୁ ଏବେ ସବୁ ବିରୋଧୀ କଂଗ୍ରେସ ଦଳ ପାଖରେ ଆତ୍ମସମର୍ପଣ କରୁଛନ୍ତି। ଗୋଟିଏ ବ୍ୟକ୍ତିକୁ ହରାଇବା ପାଇଁ ସବୁ ଦଳ ଏକାଠି ହେଉଛନ୍ତି। କଂଗ୍ରେସର ବଡ଼ ବଡ଼ ନେତାମାନେ ଏବେ ବେଲରେ ଥିବାବେଳେ ବିରୋଧି ଦଳ ସେମାନଙ୍କ ନିକଟରେ ଆତ୍ମସମର୍ପଣ କାହିଁ କି କରିଛନ୍ତି ବୋଲି ମୋଦି ପ୍ରଶ୍ନ କରିଥିଲେ। ବେଲରେ ଥିବା ନେତାଙ୍କୁ ଆଇନ ଉପରେ ଭରଷା ନାହିଁ। ସେ ଦେଶର କୌଣସି ସାମ୍ୱିଧାନିକ ସଂସ୍ଥାକୁ ବିଶ୍ୱାସ କରୁନାହାନ୍ତି। କାରଣ ସେ ନିଜେ ଠିକ୍ ବୋଲି ଭାବି ଦେଶର ଜନତାଙ୍କୁ ଅସମ୍ମାନ କରୁଛନ୍ତି ବୋଲି ମୋଦି କହିଥିଲେ।

ଦେଶ ସ୍ୱାଧୀନ ହେବା ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତାହାଲେ ଦେଶର ଚିତ୍ର ବଦଳିଥାନ୍ତା। ୨୦୦୦ ମସିହା ପରେ ଯଦି ଅଟଳବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତାହାଲେ ଆଜି ଭାରତ ବହୁତ ଆଗକୁ ଯାଇ ପାରିଥାନ୍ତା। ଗତ ସାଢ଼େ ବର୍ଷର ଶାସନରେ ଭାରତର ଯେଉଁଭଳି ବିକାଶ ହୋଇଛି ସେଥିରେ ବିଜେପି ପ୍ରତି ଲୋକଙ୍କର ଆସ୍ଥା ବଢ଼ିଛି। ଏହି ଅବସରରେ ମୋଦି ଉପାର ୧୦ ବର୍ଷର ଶାସନ ଏବଂ ବିଜେପିର ସାଢ଼େ ୪ ବର୍ଷର ଶାସନ ସମ୍ପର୍କରେ ଅବତାରଣା କରିଥିଲେ।

Leave a Reply

Your email address will not be published. Required fields are marked *