ଆତଙ୍କୀ ଆକ୍ରମଣ : କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ

ବିରୋଧୀ ଦଳ ନେତାମାନେ ଭାରତ ଅପେକ୍ଷା ପାକିସ୍ତାନର ପ୍ରିୟପାତ୍ର ହେବାକୁ ଅଧିକ ପସନ୍ଦ କରୁଛନ୍ତି

ଉରି ଓ ପୁଲୱାମାରେ ଆତଙ୍କୀ ଆକ୍ରମଣ ପରେ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଯେତେବେଳେ ସମସ୍ତ ଦେଶବାସୀ ଏହି ଘଟଣା ପାଇଁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହୁଁଥିଲେ. ସେତେବେଳେ ଭାରତୀୟ ସେନା ମଧ୍ୟ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ଚାହିଁଥିଲା। ହେଲେ, ବିଡ଼ମ୍ବନା ସେତେବଳର କଂଗ୍ରେସ ନେତୃତ୍ତ୍ୱାଧୀନ ଉପା ସରକାର ଏଥିପାଇଁ ଭାରାତୀୟ ସେନାକୁ ଅନୁମତି ଦେଇ ନଥିଲା ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ୟାକୁମାରୀ ଠାରେ ଏକ ସାଧାରଣ ସଭାରେ ଅଭିଯୋଗ କରିଛନ୍ତି ।

ଶ୍ରୀ ମୋଦି ନିଜ ଭାଷଣ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପ୍ରଶଂସାରୁ ଆରମ୍ଭ କରିଥିଲେ। ଶ୍ରୀ ମୋଦି କହିଛନ୍ତ, ପ୍ରତି ଭାରତୀୟ ଆଜି ତାମିଲନାଡୁର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପାଇଁ ଗର୍ବ କରୁଛି। ଦୀର୍ଘ ବର୍ଷ ହେଲାଣି ଦେଶ ଆତଙ୍କବାଦର ସାମ୍ନା କରି ଆସୁଛି। ୨୦୦୪ରୁ ୨୦୧୪ ମଧ୍ୟରେ ଏକାଧିକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଜୟପୁର, ମୁମ୍ବାଇ, ପୁଣେ, ହାଇଦ୍ରାବାଦ ଭଳି ଅନେକ ସ୍ଥାନରେ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ କେହି ବି ଏଭଳି ଆତଙ୍କବାଦ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ୨୬/୧୧ ଆତଙ୍କବାଦୀ ହମ୍‌ଲା ପରେ ଭାରତ ସରକାର କିଛି କଲେନି। ହେଲେ ଆମେ ପୁଲୱାମା ଓ ଉରି ହମ୍‌ଲାର ବଦଲା ନେଲୁ।

ଉରି ଓ ପୁଲଓ୍ଵାମା ଘଟଣାରେ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ସଫଳତା ପାଇଛି ସେତେବେଳେ କଂଗ୍ରେସ ସମେତ କିଛି ବିରୋଧୀ ଦଳ ଏବେ ସେନାର ଏହି ସଫଳତାକୁ ସନ୍ଦେହ ଦୃଷ୍ଟିରେ ଦେଖି ପାକିସ୍ତାନ ସପକ୍ଷରେ ଓକିଲାତି କରିବା ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଭାରତୀୟ ପାକିସ୍ତାନ ବିରୋଧରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ବିଶ୍ୱର ସମସ୍ତ ରାଷ୍ଟ୍ର ସମର୍ଥନ ଦେଇଥିବା ବେଳେ ଆମ ଦେଶର ବିରୋଧୀ ଦଳ ନେତାମାନେ କିନ୍ତୁ ଭାରତୀୟ ସେନାକୁ ଏହାର ପ୍ରମାଣ ମାଗିଛନ୍ତି। ଏପରିସ୍ଥିତିରେ ଏହା ଠାରୁ ଆଉ ଅଧିକ ବିଡ଼ମ୍ବନାର ବିଷୟ କ’ଣ ଥାଇପାରେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏଥିସହ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଯେତେବେଳେ ସମଗ୍ର ଦେଶ ଭାରତୀୟ ସେନା ପଛରେ ରହିଛି; ବିଶ୍ୱର ସମସ୍ତ ରାଷ୍ଟ୍ର ଯେତେବେଳେ ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଦେଇଛନ୍ତି ସେତେବେଳେ ଖୋଦ୍‌ ଭାରତର ବିରୋଧୀ ଦଳ ନେତାମାନେ ଭାରତୀୟ ସେନାକୁ ପ୍ରମାଣ ମାଗିବା ସହ ପାକିସ୍ତାନ ସପକ୍ଷରେ ଓକିଲାତି କରିବା ସେମାନଙ୍କ ଦେଶପ୍ରେମର ସ୍ୱରୂପକୁ ପଦାରେ ପକାଇ ଦେଇଛି। ଏମାନେ ଭାରତ ଅପେକ୍ଷା ପାକିସ୍ତାନର ପ୍ରିୟପାତ୍ର ହେବାକୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ଏଇ ନେତାମାନଙ୍କର ବକ୍ତବ୍ୟକୁ ପାକିସ୍ତାନର ସଂସଦ ଠାରୁ ଆରମ୍ଭ ପାକିସ୍ତାନୀ ଗଣମାଧ୍ୟମରେ ଜୋରସୋରରେ ପ୍ରଚାର ଓ ପ୍ରସାର କରାଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

http://odishatime.com/balsore-lok-sabha/

Leave a Reply

Your email address will not be published.