ବଜାରରେ ମିଳିଲାଣି ମୋଦୀ ଶାଢ଼ୀ

୨୦୧୯ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ବିଭିନ୍ନ ସାମଗ୍ରୀର ବଜାର ସେତିକି ଗରମ ହେବାରେ ଲାଗିଛି। ତା ଭିତରୁ ଗୁଜରାଟର ଶାଢ଼ୀ ବଜାର ଅନ୍ୟତମ। ନିର୍ବାଚନର ଠିକ୍ ପୂର୍ବରୁ ଗୁଜରାଟ ବଜାରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ଥିବା ଶାଢ଼ୀର ଚାହିଦା ବଢ଼ିବାରେ ଲାଗିଛି। ଏହି ଶାଢ଼ୀ କିଣିବା ପାଇଁ ବିଜେପି ସମର୍ଥକ ଥିବା ମହିଳାମାନେ ବିଶେଷ ଆଗ୍ରହ ଦେଖାଉଥିବା ଜଣାପଡ଼ିଛି। ମୋଦୀ ଚିତ୍ର ଥିବା ଏହି ଶାଢ଼ୀ ମାଧ୍ୟମରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜ ସମର୍ଥନ ଦେଉଛନ୍ତି।

ବର୍ତ୍ତମାନ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଜରାଟର ଅଧିକାଂଶ ପୋଷାକ ବଜାରରେ ମୋଦୀଙ୍କ ଫଟୋ ଥିବା ୩-ଡି ଶାଢ଼ୀ ବିକ୍ରି ହେଉଛି। ଏଥିରେ ମୋଦୀଙ୍କ ଫଟୋ ସହ ନୋଟବନ୍ଦୀ, ସ୍ୱଚ୍ଛ ଭାରତ ମିଶନ, ମେକ ଇନ ଇଣ୍ଡିଆ କଥା ଉଲ୍ଲେଖ କରାଯାଇଛି।

ଏହି ଶାଢ଼ୀର ମୂଲ୍ୟ ୨୮୦ ଟଙ୍କାରୁ ୧୦୮୦ ଟଙ୍କା ମଧ୍ୟରେ ରହିଛି। ଏହି ଶାଢ଼ୀ ପାଇଁ ମଧ୍ୟ ବ୍ୟବସାୟୀମାନେ ବେଶ ପ୍ରସ୍ତୁତ ହୋଇଛନ୍ତି। କୁହାଯାଉଛି ଯେ, ଗୋଧ୍ରାର କପଡ଼ା ବ୍ୟବସାୟୀମାନେ ବଡ଼ ପରିମାଣରେ ଏହି ଶାଢ଼ୀକୁ ବଜାରକୁ ଆଣୁଛନ୍ତି। ସେମାନେ କହିଛନ୍ତି ଯେ, ଆଗାମୀ ଦିନରେ ନିର୍ବାଚନ ପୂର୍ବରୁ ଅନ୍ୟ ବିଜେପି ନେତା ଏବଂ କଂଗ୍ରେସ ନେତାଙ୍କ ଫଟୋ ଥିବା ଶାଢ଼ୀ ବଜାରକୁ ଆସିବ।

Leave a Reply

Your email address will not be published. Required fields are marked *