ଏୟାର ଷ୍ଟ୍ରାଇକ ପରେ ମୋଦିଙ୍କ ଲୋକପ୍ରିୟତା ୧୨% ବଢ଼ିଥିବାବେଳେ ରାହୁଲଙ୍କର ୧୬% ହ୍ରାସ
ଫେବ୍ରୁଆରି ୧୪ ତାରିଖ ଦିନ ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୦ଜଣ ସହିଦ ହୋଇଛନ୍ତି। ଏହି ଆକ୍ରମଣ ପରେ ବାୟୁସେନା ପକ୍ଷରୁ ବାଲାକୋଟ, ମୁଜାଫରବାଦ, ଚିକୋଟ ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି ଘଟଣା ପରେ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାରେ ୧୨% ବୃଦ୍ଧି ପାଇଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାରେ ୧୬% ହ୍ରାସ ପାଇଛି।

ଏବିପି ଓ ସି-ଭୋଟର ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ପୁଲୱାମା ଆତ୍ମଘାତୀ ଆକ୍ରମଣ ପୂର୍ବରୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାର ଗ୍ରାଫ୍ ୫୦% ଥିଲା। ଆକ୍ରମଣ ପରେ ଫେବ୍ରୁଆରୀ ୨୬ ତାରିଖରେ ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ ହେବା ପରେ ମୋଦିଙ୍କ ଲୋକପ୍ରିୟତାରେ ବୃଦ୍ଧି ହୋଇଛି। ମାତ୍ର ୧୩ ଦିନ ଭିତରେ ୨୬ ତାରିଖ ପର୍ଯ୍ୟନ୍ତ ଏହି ହାର ୫% ବୃଦ୍ଧି ହୋଇ ୫୫% ପ୍ରତିଶତରେ ପହଞ୍ଚିଛି। ଏୟାର ଷ୍ଟ୍ରାଇକର ୧୦ ଦିନ ପରେ ୭ମାର୍ଚ୍ଚ ପର୍ଯ୍ୟନ୍ତ ମୋଦିଙ୍କ ଲୋକପ୍ରିୟତା ଆହୁରି ୭% ବୃଦ୍ଧି ପାଇ ୬୨% ରେ ପହଞ୍ଚିଛି। ଏପରି ଭାବରେ ପୁଲୱାମା ଆକ୍ରମଣ ଓ ତାର ପରବର୍ତ୍ତୀ ଏୟାର ଷ୍ଟ୍ରାଇକ ପରେ ମୋଦିଙ୍କ ଲୋକପ୍ରିୟତାରେ ୧୨% ବୃଦ୍ଧି ହୋଇଛି। ଏହି ବୃଦ୍ଧି ହାର ଲଗାତର ବଢ଼ି ଚାଲିଛି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ଅପରପକ୍ଷରେ ପୁଲୱାମା ଓ ଏୟାର ଷ୍ଟ୍ରାଇକ ପରଠାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାର ଗ୍ରାଫରେ ବହୁ ଅବନ୍ନତି ହୋଇଛି। ଜାନୁଆରୀ ପହିଲା ବେଳକୁ ରାହୁଲଙ୍କ ଲୋକପ୍ରିୟତା ହାର ୨୬% ଥିଲା। ଫେବ୍ରୁଆରୀ ପହିଲାରେ ବଜେଟ ଆଗତ ହେବା ପରେ ଏହି ଲୋକପ୍ରିୟତା ୨୨%କୁ ହ୍ରାସ ପାଇଥିଲା। ପୁଲୱାମା ଘଟଣା ଦିନ ଏହି ଲୋକପ୍ରିୟତା ୧% ବଢ଼ି ୨୩% ହୋଇଥିଲା। ୨୬ ଫେବ୍ରୁଆରୀରେ ଏୟାର ଷ୍ଟ୍ରାଇକ ହେବା ପରେ ରାହୁଲଙ୍କ ଲୋକପ୍ରିୟତା ୬% ହ୍ରାସ ପାଇ ୧୯%କୁ ଖସିଥିଲା। ମାର୍ଚ୍ଚ ପହିଲାରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରୁ ମୁକ୍ତି ପାଇବା ବେଳକୁ ଏହି ହାର ପୁଣି ୧୮% ହ୍ରାସ ପାଇଥିଲା। ମାର୍ଚ୍ଚ ୭ ବେଳକୁ ଏହା ପୁଣି ୧୬%କୁ ହ୍ରାସ ପାଇଛି। ଯଦି ଅନୁଧ୍ୟାନ କରାଯାଏ ତେବେ ଆମେ ଦେଖିବା ଜାନୁଆରୀ ପହିଲାରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ୧୬% ହ୍ରାସ ପାଇଛି।

ଆଜତକ୍ ଚ୍ୟାନେଲ ପକ୍ଷରୁ ପ୍ରସାରିତ ପିଏସି ସର୍ଭେ ଅନୁସାରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରୁ ମୁକ୍ତି ପାଇବା ମାମଲାରେ ୭୭% ଲୋକ ମୋଦି ସରକାରକୁ ଶ୍ରେୟ ଦେଇଥିବାବେଳେ ୨୩% ଲୋକ ସରକାରଙ୍କୁ ନିନ୍ଦା କରିଛନ୍ତି। ଜୈଶ କ୍ୟାମ୍ପ ଉପରେ ବାୟୁସେନାର ଆକ୍ରମଣରେ ୫୬% ଲୋକ ବିଜେପିକୁ ଶ୍ରେୟ ଦେଇଥିବା ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।