ନମୋ ଶିଖୁଛନ୍ତି ନବୀନ ମନ୍ତ୍ର!
ଗୌରୀପ୍ରସାଦ ମହାପାତ୍ର

ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାସନର ନମୁନା ଏବଂ ସାଧାରଣ ବର୍ଗର ଦୈନନ୍ଦିନ ଆବଶ୍ୟକତା ଓ ଆଶା ପୂରଣ କରିପାରୁଥିବା ତ୍ୱରିତ ପ୍ରଭାବଶାଳୀ ଛୋଟଛୋଟ ଯୋଜନା ହିଁ ନିରବଚ୍ଛିନ୍ନ ସଫଳତାର ମନ୍ତ୍ର । ଏହି ମନ୍ତ୍ରକୁ ଆଧାର କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୀର୍ଘ ୧୮ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନିରଙ୍କୁଶ ଶାସନ କ୍ଷମତାରେ ରହିପାରିଛନ୍ତି । ଗତ ୧୮ ବର୍ଷ ଭିତରେ ପ୍ରଣୀତ ଯୋଜନା ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ଧାରାରେ କେତେ ପ୍ରଭାବଶାଳୀ ତାହା ତର୍କସାପେକ୍ଷ ହେଲେ ମଧ୍ୟ ଏହି ମନ୍ତ୍ର ଯେ ନବୀନଙ୍କୁ ଭୋଟ ରାଜନୀତିରେ ଅପ୍ରତିଦ୍ୱନ୍ଦ୍ୱୀ କରିପାରିଛି ଓ ତାଙ୍କ ଲୋକପ୍ରିୟତାକୁ ଶୀର୍ଷରେ ପହଞ୍ଚାଇପାରିଛି ତାହା ତାଙ୍କ ଚରମ ବିରୋଧୀ ମଧ୍ୟ ଅସ୍ୱୀକାର କରିପାରିବେ ନାହିଁ ।
ସେହିପରି ଅଯଥା ସମାଲୋଚନା, ଅରୁଚିକର ମନ୍ତବ୍ୟ ଓ ବ୍ୟକ୍ତିଗତ ଆକ୍ଷେପରୁ ନିଜକୁ ସବୁବେଳେ ଦୂରେଇ ରଖିବାର କଳା ହିଁ ନବୀନଙ୍କୁ ଜାତୀୟ ସ୍ତରରେ ଏକ ସମ୍ମାନାସ୍ପଦ ଓ ମର୍ଯ୍ୟାଦାସମ୍ପନ୍ନ ସ୍ଥାନରେ ପହଞ୍ଚାଇଛି । ଆସନ୍ନ ନିର୍ବାଚନ ପୂର୍ବରୁ ଶିଷ୍ଟ ଓ ସ୍ୱଳ୍ପ ଭାଷୀ ନବୀନଙ୍କ ଏହି ସଫଳତାର ଏହି ମନ୍ତ୍ରକୁ ଭଲ ଭାବରେ ବୁଝିପାରିଛନ୍ତି ବିଜେପିର ପୋଷ୍ଟର ବୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଣୁ ଓଡ଼ିଶାରେ ନୀବନଙ୍କ ସହିତ ମୁକାବିଲା କରିବାକୁ କଡ଼ା ଆକ୍ଷେପ, କଟୁ ସମାଲୋଚନା ଓ ଶାଣିତ ଶବ୍ଦ ବଦଳରେ ବିକାଶ ଓ ସ୍ୱଚ୍ଛତାର କାର୍ଡ ଖେଳୁଛନ୍ତି ନରେନ୍ଦ୍ର ମୋଦୀ ।
ତିନି ସପ୍ତାହ ମଧ୍ୟରେ ତିନି ଥର ଓଡ଼ିଶା ଗସ୍ତ ଅବସରରେ ମୋଦୀଙ୍କ ଶବ୍ଦ ଚାତୁରୀ ଓ ଆଭିମୁଖ୍ୟରୁ ଏହି ସଙ୍କେତ ମିଳୁଥିବା ରାଜନୀତି ପଣ୍ଡିତମାନେ ମତ ଦେଇଛନ୍ତି । ଗତ ଦୁଇ ଥର ଗସ୍ତ ଅବସରରେ ପ୍ରାୟ ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇ ଓଡ଼ିଶାବାସୀଙ୍କ ମନ ଜିଣିବାକୁ ଚେଷ୍ଟା କରିଥିବା ମୋଦୀ ବଲାଙ୍ଗୀରରେ ବିକାଶର ବାର୍ତ୍ତା ସହିତ ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାସନ ଓ ପ୍ରଶାସନର ପ୍ରତୀକ ରୂପେ ନିଜକୁ ଉପସ୍ଥାପନ କରିଛନ୍ତି ।
ରାଜନୀତି ବିଶାରଦଙ୍କ କହିବା ଅନୁଯାୟୀ, ଇତିମଧ୍ୟରେ ମୋଦୀ ଜାଣିସାରିଛନ୍ତି କଟୁ ଶବ୍ଦ, ସମାଲୋଚନା ଓ ଶାଣିତ ଆକ୍ରମଣରେ ଓଡ଼ିଶାରେ ନବୀନଙ୍କୁ ମୁକାବିଲା ଆଉ ସମ୍ଭବ ନୁହେଁ । ମୋଦୀଙ୍କ ଶାଣିତ ଓ ମର୍ମଭେଦୀ ଶବ୍ଦ ବିଜେପି ପାଇଁ ୨୦୧୪ରେ ଐତିହାସିକ ସଫଳତା ଆଣିଥାଇପାରେ । କିନ୍ତୁ ବର୍ତ୍ତମାନ ଆଉ ସେହି ପରିସ୍ଥିତି ଯେ ନାହିଁ ତାହା ଗତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ପ୍ରତଫଳିତ । ତେଣୁ ବଲାଙ୍ଗୀର ସଭାରେ କେବଳ ‘ୱ’, ‘ବିରୋଧୀ’, ‘ପୂର୍ବ ସରକାର’ ପରି ଶବ୍ଦ ବ୍ୟତୀତ ମୋଦୀଙ୍କ ମୁହଁରୁ କଟ୍ଟର ବିରୋଧୀ ‘କଂଗ୍ରେସ’ର ନାମ ଥରେ ମଧ୍ୟ ଶୁଣାଯାଇ ନଥିଲା ।
ରାଜ୍ୟ ବିଜେପି ନେତାଙ୍କ ବାଧ୍ୟବାଧକତା ସତ୍ତେ୍ୱ ଜାତୀୟ ରାଜନୀତିରେ ୨୦୧୯ର ଜଟିଳ ଗଣିତ ଓ ଅସ୍ପଷ୍ଟ ସମୀକରଣ ପୃଷ୍ଠଭୂମିରେ ବିଜେଡି ପରି ଏକ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଆଞ୍ଚଳିକ ଦଳକୁ ବିମୁଖ କରିବାରୁ ମୋଦୀ ଚାହୁଁ ନାହାନ୍ତି । ତେଣୁ ନବୀନଙ୍କ ବିକାଶ ଓ ନିର୍ମଳ ଭାବମୂର୍ତ୍ତି ମନ୍ତ୍ରରେ ମୋଦୀ ଅନ୍ତତଃ ଆଗାମୀ ନିର୍ବାଚନ ଫଳାଫଳ ନିର୍ଣ୍ଣୟ ପର୍ଯ୍ୟନ୍ତ ଦୀକ୍ଷିତ ହେବାକୁ ଚାହୁଁଛନ୍ତି । କିନ୍ତୁ ଯଦି ମୋଦୀଙ୍କ ଭାଷାକୁ ତଜର୍ମା କରଯ।।ଏ ତେବେ ବିକାଶ ତୁଳନାରେ ମୋଦୀ ନିଜକୁ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ରାଜନେତା ରୂପେ ନିଜକୁ ଉପସ୍ଥାପନ କରିବାର ବ୍ୟଗ୍ରତା ଅଧିକ ଥିବା ସ୍ପଷ୍ଟ ହେଉଛି ।
ନିର୍ବାଚନ ରଣନୀତି ବିଶାରଦଙ୍କ ବିଶ୍ଲେଷଣ ଅନୁଯାୟୀ, ବିକାଶ ପ୍ରସଙ୍ଗରେ ଓଡ଼ିଶାରେ ମୋଦୀ କିମ୍ବା ତାଙ୍କ ରାଜ୍ୟ ଟିମ୍ ନବୀନଙ୍କ ମୁକାବିଲା କରିପାରିବ ନାହିଁ । ନବୀନଙ୍କ ଯୋଜନା ବାସ୍ତବଧର୍ମୀ ନୁହେଁ ବରଂ ଭୋଟସର୍ବସ୍ୱ ବୋଲି ବିଜେପିର ଓଡ଼ିଶା ମଙ୍ଗ ସମ୍ଭାଳିଥିବା ନେତାମାନେ ଯେତେ ତମ୍ବିତୋଫାନ କଲେ ମଧ୍ୟ ତାହା ଭୋଟରଙ୍କୁ ଯେ ବିଜେଡି ବିମୁଖ କରିପାରିବ ସେହି ଆଶା ଭରସା ଆଉ ମୋଦୀ-ଶାହା ଟିମ୍ର ନାହିଁ । ଆଗାମୀ ନିର୍ବାଚନ ତଥା ଗତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ଥିବା କୃଷକ ସମସ୍ୟା ପ୍ରସଙ୍ଗ ନବୀନ ବହୁ ଆଗରୁ ନିଜ ହାତମୁଠାକୁ ନେଇସାରିଛନ୍ତି । ମହିଳା ସଶକ୍ତିକରଣ ପ୍ରସଙ୍ଗରେ ମୋଦୀଙ୍କ ସମେତ ବହୁ ଜାତୀୟ ତୁଙ୍ଗ ରାଜନେତାଙ୍କୁ ନବୀନ ପଛରେ ଛାଡ଼ି ଦେଇଛନ୍ତି ।
୨୦୧୪ରେ ଓଡ଼ିଶାରେ ଭୋଟ ହାସଲ ପାଇଁ ମୋଦୀ ଯେଉଁ ବିଜୁ କାର୍ଡ ଖେଳିଥିଲେ ତାହାର ଗୁରୁତ୍ୱ ମଧ୍ୟ ଏବେ ଓଡ଼ିଶା ଓ ବିଜେଡି ସାମ୍ନାରେ ଫିକା ପଡ଼ିଯିବାର ସମ୍ଭାବନା ଅଧିକ । ସ୍ୱାସ୍ଥ୍ୟ, ସାମାଜିକ, ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି କୃଷି, ବିପର୍ଯ୍ୟୟ ପରିଚାଳନା କ୍ରୀଡ଼ା ଆଦି କ୍ଷେତ୍ରରେ ନୀବନଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇପାରିଛି । ଏହି ପରିପ୍ରେକ୍ଷୀରେ ନବୀନଙ୍କୁ ମୁକାବିଲା କରିବା ପାଇଁ ଯେଉଁ ବିକଳ୍ପ ରହିଯାଇଛି ତାହା ହେଉଛି କେବଳ ସ୍ୱଚ୍ଛ ଭାବମୂର୍ତ୍ତି । ଏହି ପୃଷ୍ଠଭୂମିରେ ରାଫେଲ୍ ବିବାଦରେ ସାଂଘାତିକ ଭାବେ ଫସି ଯାଇଥିବା ମୋଦୀ ଓଡ଼ିଶାବାସୀଙ୍କ ସାମ୍ନାରେ ସ୍ୱଚ୍ଛତାର କାର୍ଡ ଖେଳିଛନ୍ତି ।
କେବଳ ସେତିକି ନୁହେଁ ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଆଶୀର୍ବାଦ କାମନା କରିବା ସହିତ ଓଡ଼ିଶାର ପ୍ରାଣକେନ୍ଦ୍ର ଓ ଅସ୍ମିତାର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ନାମରେ ଓଡ଼ିଶାବାସୀଙ୍କ ଆବେଗକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି । ଗତ ଓଡ଼ିଶାରେ ଗତ ୧୮ ବର୍ଷର ଶାସନ କାଳ ମଧ୍ୟରେ ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ବିରୋଧରେ ଯେ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରର ଅଭିଯୋଗ ଆସିନି ତା’ ନୁହେଁ । ଏପରିକି ଅଭିଯୋଗର ଅଙ୍ଗୁଳି ନବୀନ ନିବାସ ଓ ତୃତୀୟ ମହଲା ପର୍ଯ୍ୟନ୍ତ ଉଠିଛି ।
କିନ୍ତୁ ନବୀନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଆଗରେ ସେ ସବୁ ଫିକା ପଡ଼ିଯାଇଛି । ସୁପ୍ରିମୋଙ୍କ ଏହି ଭାବମୂର୍ତ୍ତିକୁ ଆଧାର କରି ବିଜେଡି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଛି । ନବୀନଙ୍କ ସଫଳତାର ଏହି କୌଶଳକୁ ‘ଚୌକିଦାର’ ଭାବେ ନିଜକୁ ଦେଶବାସୀଙ୍କ ଆଗରେ ଉପସ୍ଥାପନ କରିଥିବା ଏବଂ ‘ନା ଖାଉଗାଁ ନା ଖାନେ ଦୁଗାଁ’ର ଉଦ୍ଘୋଷଣା କରି ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ମାଟିରୁ ଆପଣେଇ ନେଇଥିବା ଆଲୋଚନା ହେଉଛି।
ଅନ୍ୟଏକ ମହଲର କହିବା କଥା ଯେ ନବୀନଙ୍କ ବିକାଶ ଓ ସ୍ୱଚ୍ଛ ଭାବମୂର୍ତ୍ତିର ମନ୍ତ୍ର ଓ ଅସ୍ତ୍ରରେ ହିଁ ନବୀନଙ୍କୁ ହରାଇବା ପାଇଁ ମୋଦୀ ରଣନୀତି ପ୍ରସ୍ତୁତ କରିଛନ୍ତି । ଓଡ଼ିଶାରେ ଲୋକପ୍ର୍ରିତୟତାର ଶୀର୍ଷକୁ ଛୁଇଁଥିବା ଖାଦ୍ୟ ସୁରକ୍ଷା ଯୋଜନାର ସାହାରାରେ ହିଁ ମୋଦୀ ନିଜ ନିର୍ମଳ ଓ ଦୁର୍ନୀତିମୁକ୍ତ ଭାବମୂର୍ତ୍ତି କାର୍ଡ ଖେଳିଛନ୍ତି । ରାସନ କାର୍ଡ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ପ୍ରାୟ ୯୦ ହଜାର କୋଟି ଟଙ୍କାର ବାଟମାରଣାକୁ ରୋକିପାରିଥବା ନିଜ ରିପୋର୍ଟ କାର୍ଡ ନିଜେ ଦର୍ଶାଇଛନ୍ତି ।
ନବୀନଙ୍କ ବିକାଶ ଧାରାକୁ କାଟିବାକୁ ମୋଦୀ ପଞ୍ଚଧାରା(ବଚ୍ଚୋକୋ ପଢ଼ାଇ, ଯୁବାଓଁକୋ କମାଇ, ବଡ଼ୋକୋ ଦବାଇ, କୃଷକକୋ ସିଞ୍ଚାଇ ଓ ସବ୍କା ସୁନୱାଇ)ର ଅବତାରଣା କରିଛନ୍ତି । କ୍ରୀଡ଼ାରେ ନବୀନଙ୍କ ଈର୍ଷଣୀୟ ସଫଳତା ସହିତ ପ୍ରତିଯୋଗିତା କରିବା ପାଇଁ ଓଡ଼ିଶାର କ୍ରୀଡ଼ାବିତଙ୍କ ପ୍ରଶଂସା ସହିତ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବୃହତ୍ ଅନୁଦାନର ଘୋଷଣା କରିଛନ୍ତି ।
ଏ ସବୁକୁ ତର୍ଜମା କଲେ ସାମ୍ପ୍ରତିକ ସ୍ଥିତିରେ ଦୃଢ଼ ଓ ବଳିଷ୍ଠ ଆଞ୍ଚଳିକ ଦଳ ଆଗରେ ଫିକା ପଡ଼ୁଥିବା ଜାତୀୟ ରାଜନୀତିର ଦୃଶ୍ୟପଟ୍ଟରେ ମୋଦୀଙ୍କ ମ୍ୟାଜିକ ଓଡ଼ିଶାରେ ସେତେଟା ପ୍ରଭାବଶାଳୀ ହୋଇ ନପାରେ ବୋଲି ମତ ପ୍ରକାଶ ପାଇଛି । ରାଜନୀତିରେ ଧୂରୀଣ ମୋଦୀ ଯେ ଏ ବିଷୟରେ ଅଜ୍ଞ ଥିବେ ତାହା ଭାବିବା ଭୁଲ୍ । ତେଣୁ ଓଡ଼ିଶାକୁ ବାଦ୍ ଦେଇ ଜାତୀୟ ରାଜନୀତିରେ ନିଜର ସ୍ୱ୍ଛ ଭାବମୂର୍ତ୍ତିକୁ ଉପସ୍ଥାପନ କରିବାର ପ୍ରୟାସ କରିଛନ୍ତି ମୋଦୀ । ଏଥିପାଇଁ ଓଡ଼ିଶା ମାଟିରୁ ନବୀନଙ୍କ ମନ୍ତ୍ରକୁ ଉଚ୍ଚାରଣ କରିଛନ୍ତି ବୋଲି ହେଉଥିବା ଚର୍ଚ୍ଚା ଅମୂଳକ ନୁହେଁ ବୋଲି କୁହାଯାଇପାରେ ।
ଗୌରୀ ପ୍ରସାଦ ମହାପାତ୍ର