ମୋଦୀ-ନବୀନ ଲଢ଼େଇରେ କମ୍ପୁଛି ଓଡ଼ିଶା

  • ସାରା ଦେଶରେ ଦଳ ପାଇଁ ଧୂଆଁଧାର ପ୍ରଚାର କରୁଛନ୍ତି ମୋଦୀ। ନବୀନ କେବଳ ଓଡ଼ିଶା ପାଇଁ।
  • ଓଡ଼ିଶାରେ ମୋଦୀଙ୍କୁ ପ୍ରଚାରରେ ବଡ଼ ସହାୟତା ଯୋଗାଉଛନ୍ତି ସ୍ଥାନୀୟ ନେତା। ନବୀନଙ୍କ ପାଇଁ କେହି ନାହାନ୍ତି।
  • ମୋଦୀ କହୁଛନ୍ତି ଡବଲ ସରକାର କଥା। ନବୀନଙ୍କ ଫୋକସ ଭାରି ଅସ୍ପଷ୍ଟ।
  • ମୋଦୀ କହୁଛନ୍ତି ବିକାଶ କଥା। ନବୀନ ଦୋହରାଉଛନ୍ତି କେନ୍ଦ୍ରୀୟ ଅବହେଳା।
  • ବିଜେପିର ସ୍ଲୋଗାନ ରାଜ୍ୟ ସରକାର ବଦଳିବା ଦରକାର, ଛୁଉଁଛି ଲୋକଙ୍କୁ, ନବୀନ କେବଳ ଦୋଷ ଲଦି ଚାଲିଛନ୍ତି କେନ୍ଦ୍ରର ଅବହେଳା ପାଇଁ।
  • ନବୀନଙ୍କ ପ୍ରଚାରରେ ନାହାନ୍ତି ବିଜୁ। ନିଜ ପାଇଁ ମାଗୁଛନ୍ତି ଭୋଟ, ବିଜେପି ପ୍ରଚାରରୁ ବି ବାଜପେୟୀ, ଆଡ଼ଭାନୀ ଆଉଟ‍୍‌।

ଯଦିଓ ଓଡ଼ିଶାରେ ମୁଖ୍ୟତଃ ଲଢ଼େଇ ହେଉଛି ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ, କିନ୍ତୁ ଅସଲକୁ ଲଢ଼େଇ ହେଉଛି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର ମଙ୍ଗଳବାର ସନ୍ଧ୍ୟାରେ। ଗୁରୁବାର ଦିନ ନିର୍ବାଚନ।

ସବୁ ଦଳ ଓ ପ୍ରାର୍ଥୀ ଜୋରଦାର ପ୍ରଚାର କରିଛନ୍ତି। କିନ୍ତୁ ଦୁଇ ଜଣଙ୍କ ପ୍ରଚାର ବାରି ହୋଇପଡ଼ୁଛି ସବୁ ଦୃଷ୍ଟିରୁ। ସେ ହେଲେ ମୋଦୀ ଏବଂ ନବୀନ।

ସାଂସଦ ପ୍ରାର୍ଥୀଙ୍କୁ ବିଧାୟକ ପ୍ରାର୍ଥୀଙ୍କ ସହାୟତା

ଓଡ଼ିଶାରେ ବିଜେପି ମୋଦୀଙ୍କୁ ଆଖିରେ ରଖି ଭୋଟ ମାଗୁଛି। ପ୍ରଥମ ଥର ସକାଶେ ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀମାନେ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାରେ ବଡ଼ ଭୂମିକା ଗ୍ରହଣ କରିବେ ବୋଲି ମନେ କରାଯାଉଛି। ପୂର୍ବ ନିର୍ବାଚନଗୁଡ଼ିକରେ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀମାନେ ଦଳର ଲୋକସଭା ପ୍ରାର୍ଥୀଙ୍କୁ ଜିତାଇବାରେ ସାହାଯ୍ୟ କରିଆସୁଥିଲେ।

ତେଣୁ ଭର୍ତ୍ତୃହରି ମହତାବ ଏବଂ ପ୍ରସନ୍ନ ପାଟଶାଣୀଙ୍କ ପରି ନେତାମାନଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡ଼ୁ ନଥିଲା। ସେମାନଙ୍କ ପାଇଁ ଦଳର ବିଧାନସଭା ପ୍ରାର୍ଥୀମାନେ ସବୁ ପ୍ରକାର ସୁବନ୍ଦୋବସ୍ତ କରିଦେଉଥିଲେ। ମାତ୍ର ଏଥର ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାୟକ ପ୍ରାର୍ଥୀମାନେ ତୀବ୍ରପ୍ରତିଦ୍ୱନ୍ଦ୍ୱୀତାର ସାମ୍ନା କରୁଥିବାରୁ ସେମାନେ ଦିଲ୍ଲୀ କଥା ଚିନ୍ତା କରିବାକୁ ଆଗ୍ରହୀ ନୁହଁନ୍ତି।

ଅଥଚ ନବୀନଙ୍କ ସ୍ଲୋଗାନ ହେଲା, ଲୋକସଭା କୈନ୍ଦ୍ରୀକ। ୨୧ରୁ ୨୧ ଲୋକସଭା ଆସନ ଜିଣିବା ପାଇଁ ନବୀନ ଲଢ଼ୁଥିବା ମନେ ହେଉଛି। କେନ୍ଦ୍ରରେ ବଡ଼ ଭୂମିକା ଗ୍ରହଣ କରିବା ସକାଶେ ଅଧିକ ଆଗ୍ରହୀ ହୋଇପଡ଼ିଛନ୍ତି ନବୀନ। କିନ୍ତୁ ଗତଥର ୨୧ରୁ ୨୦ ଆସନ ଜିଣିବା ସତ୍ତ୍ୱେ କାହିଁକି ଓଡ଼ିଶା ତା’ର ଦାବି ହାସଲ କରିପାରିଲା ନାହିଁ, ଏହାର କୌଣସି ଉତ୍ତର ବିଜେଡି ଦେଉ ନାହିଁ।

ଏକା ନବୀନ

ଏହାପରେ ବୟସ ଚାପକୁ ପଛରେ ପକାଇ ନବୀନ ଦଳ ପାଇଁ ଏକା ଜୋସରେ ପ୍ରଚାର କରିଚାଲିଛନ୍ତି। ଅବଶ୍ୟ ଏଥିପାଇଁ ସେ ବ୍ୟବହାର କରୁଛନ୍ତି ହାଇଟେକ ବସ। କିନ୍ତୁ ତାଙ୍କ ଚେଷ୍ଟା ବା ପରିଶ୍ରମର ଉଣା ଦେଖିବାକୁ ମିଳୁ ନାହିଁ। ତାଙ୍କୁ ପ୍ରଚାରରେ ସହାୟତା ସକାଶେ ଦଳରେ ଆଉ କୌଣସି ନେତା ନାହାନ୍ତି। ସେମିତି ଦ୍ୱିତୀୟ ପୀଢ଼ି ନେତା ନବୀନ ସୃଷ୍ଟି କରିପାରି ନାହାନ୍ତି।

ବିଜେଡିରେ ନେତାଙ୍କ ପରିବର୍ତ୍ତେ ଅଭିନେତାଙ୍କୁ ଗୁରୁତ୍ୱ

ତେଣୁ ନେତାଙ୍କ ଅପେକ୍ଷା ଅଭିନେତା ଓ ଅଭିନେତ୍ରୀଙ୍କୁ ନବୀନ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଯେଉଁଭଳି ସମୟ ଚକ୍ର ବଦଳିଛି, ବିଜେପି ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହେବା ସାଙ୍ଗକୁ ଭୋଟରଙ୍କ ମତିଗତି ବଦଳିଛି, ସେ ଦୃଷ୍ଟିରୁ ଏହି ଅଭିନେତା ଓ ଅଭିନେତ୍ରୀମାନେ ବଡ଼ ପ୍ରଭାବ ପକାଇ ପାରିବେ ବୋଲି ମନେ ହେଉ ନାହିଁ।

କିନ୍ତୁ ଏହାସତ୍ତ୍ୱେ ନବୀନଙ୍କ ପ୍ରଚେଷ୍ଟାକୁ ମାନିବାକୁ ପଡ଼ିବ। ଏକା ପୁଣି ଥରେ ଦଳକୁ କାନ୍ଧରେ ବୋହି ନେବା ପାଇଁ ସେ କୌଣସି ଉଦ୍ୟମ ଛାଡ଼ୁ ନାହାନ୍ତି। କିନ୍ତୁ ପ୍ରାର୍ଥୀ ଚୟନ ଓ ଦଳୀୟ ବିଶୃଙ୍ଖଳା ଏଥର ତାଙ୍କୁ ଅଧିକ ନିରାଶ କରିବ ବୋଲି ଚର୍ଚ୍ଚା ହେଲାଣି।

ଏପରି କି ରାଜଦୀପ ସରଦେଶାଇଙ୍କ ପରି ନବୀନଙ୍କ ବନ୍ଧୁ ସାମ୍ୱାଦିକ ତଳସ୍ତରରେ ଶାସନ ବିରୋଧୀ ହାୱା ସୃଷ୍ଟି ହୋଇଥିବା ସ୍ୱୀକାର କରୁଛନ୍ତି। ଅନ୍ୟପକ୍ଷରେ ମୋଦୀ କେବଳ ଗୋଟିଏ ରାଜ୍ୟ ପାଇଁ ପ୍ରଚାର କରୁନାହାନ୍ତି। ସାରା ଦେଶରେ ସେ ଦଳର ପ୍ରଚାର ମଙ୍ଗ ଧରିଛନ୍ତି।

ଏକା ନବୀନ ବନାମ ଟିମ‍୍‌ ବିଜେପି

ମଙ୍ଗଳବାର ଗୋଟିଏ ଦିନରେ ସେ ଓଡ଼ିଶାର ସମ୍ୱଲପୁର ଏବଂ ଭୁବନେଶ୍ୱର ସମାବେଶରେ ଯୋଗ ଦେଇଥିବା ବେଳେ ଛତିଶଗଡ଼ର ଦୁଇ ସଭାରେ ମଧ୍ୟ ଜନତାଙ୍କୁ ସମ୍ୱୋଧନ କରିଛନ୍ତି। ଏ ରାଜ୍ୟରୁ ସେ ରାଜ୍ୟ ଦମଦାର ପ୍ରଚାର କରୁଛନ୍ତି ମୋଦୀ। ତାଙ୍କ ଉପରେ ଅଧିକ ନିର୍ଭର କରୁଛି ଦଳ।

ତେବେ ତାଙ୍କୁ ସହାୟତା କରିବା ପାଇଁ ରାଜ୍ୟ ବିଜେପିର ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ଟିମ ମଧ୍ୟ କାର୍ଯ୍ୟ କରୁଛି। ଅଧ୍ୟକ୍ଷ ଅମିତ ଶାହା ଏବଂ ଅନ୍ୟ ନେତାମାନେ ଦଳ ପାଇଁ ବିଭିନ୍ନ ରାଜ୍ୟରେ ଜୋରସୋର ପ୍ରଚାର ଚଳାଇଛନ୍ତି। ସେ ଦୃଷ୍ଟିରୁ ଓଡ଼ିଶାରେ ବିଜେପି ସୁବିଧାଜନକ ସ୍ଥିତିରେ ଅଛି।

ଡବଲ ଇଞ୍ଜିନ ଓ କପି

ନିର୍ବାଚନ ପ୍ରଚାରରେ ସମନ୍ୱୟର ଘୋର ଅଭାବ ବିଜୁ ଜନତା ଦଳ ଭିତରେ ବାରି ହୋଇପଡ଼ୁଛି। ମୋଦୀ ଡବଲ ଇଞ୍ଜିନ କଥା କହିବା ଯୋଗୁଁ ନବୀନଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛନ୍ତି। ଯେତେବେଳେ ନବୀନ କେବଳ ଲୋକସଭା ପାଇଁ ୨୧ରୁ ୨୧ କଥା କହୁଛନ୍ତି, ସେତେବେଳେ ମୋଦୀ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ସପକ୍ଷରେ ଭୋଟ ମାଗୁଛନ୍ତି।

ଡବଲ ଇଞ୍ଜିନ ହେଲେ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ ଲୋକଙ୍କୁ ବୁଝାଇ ଚାଲିଛନ୍ତି। ମଙ୍ଗଳବାର ସମ୍ୱଲପୁର ସମାବେଶରେ ମଧ୍ୟ ସେହି ଏକାକଥା କହିଛନ୍ତି ସେ। ଆଶା ପ୍ରକାଶ କରିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାର ଗଢ଼ା ହେବ। ମାତ୍ର ଅନ୍ୟ ପକ୍ଷରେ ନବୀନ ମୋଦୀଙ୍କ ଡବଲ ଇଞ୍ଜିନ କପି କରିଛନ୍ତି ସିନା, ମହିଳା ଦ୍ୱିତୀୟ ଇଞ୍ଜିନ ବୋଲି ଦେଖାଇବାକୁ ଚାହୁଁଛନ୍ତି।

ପ୍ରଚାରରୁ ବିଜୁ, ବାଜପାୟୀ, ଆଡ଼ଭାନୀ ଆଉଟ‍୍‌

ପ୍ରଥମ ଥର ପାଇଁ ବିଜୁ ଜନତା ଦଳର ପ୍ରଚାରରୁ ବାହାରି ଯାଇଛନ୍ତି ବିଜୁ ପଟ୍ଟନାୟକ। ବିଜୁଙ୍କ ନାମରେ ଗଢ଼ା ହୋଇଥିବା ଦଳରେ ଗତ ୪ଟି ନିର୍ବାଚନରେ ବିଜୁ ଥିଲେ ଭୋଟରମାନଙ୍କୁ ଆକର୍ଷଣ କରିବାର ମୂଳ ବିନ୍ଦୁ। ସେଥିପାଇଁ ବିଜୁଙ୍କ ଅଧୁରା ସ୍ୱପ୍ନ, ଆଦର୍ଶ ପୁରୁଷ ବିଜୁ, ବିଜୁ ଶତବାର୍ଷିକୀ, ବିଜୁ ବହି ଉପରେ ଗୁରୁତ୍ୱ ଦେଇ ଆସୁଥିଲେ ନବୀନ। କିନ୍ତୁ ଏଥର ସେ ନିଜ ନାମରେ ଭୋଟ ମାଗୁଛନ୍ତି। ସମସ୍ତେ ନବୀନଙ୍କ ପରିବାରର, ନବୀନଙ୍କ ଚିହ୍ନ ହେଉଛି ଶଙ୍ଖ, ଏମିତି…. ନବୀନ କୈନ୍ଦ୍ରୀକ ପ୍ରଚାର ଚଳାଇଛି ବିଜୁ ଜନତା ଦଳ। ବିଜୁ ବାହାରି ଯାଇଛନ୍ତି ନବୀନଙ୍କ ସ୍କିମରୁ।

ସେହିପରି ବିଜେପି ପ୍ରଚାରରେ ଆଉ ବାଜପେୟୀ ବା ଆଡ଼ଭାନୀ ନାହାନ୍ତି। ମୋଦୀଙ୍କ ଲୋକପ୍ରିୟତା ଦମ ଉପରେ ଦଳ ଭୋଟ ଲୋଡ଼ୁଛି। ତେଣୁ ଓଡ଼ିଶାରେ ଏବେ ଲଢ଼େଇ ଚାଲିଛି ମୋଦୀ ଓ ନବୀନଙ୍କ ଉପରେ।

୧୯ ବର୍ଷର ସରକାର ବଦଳିବା ଦରକାର ବନାମ କେନ୍ଦ୍ରୀୟ ଅବହେଳା

ଅନେକ ମନେ କରୁଛନ୍ତି ଯେ, ଓଡ଼ିଶାର ଭୋଟର କେନ୍ଦ୍ରରେ ମୋଦୀ ସରକାର ଗଠନ ଆଶାରେ ପଦ୍ମ ଫୁଲରେ ଭୋଟ ଦେବେ ଲୋକସଭା ପ୍ରତିନିଧି ବାଛିବା ବେଳେ। ବିଧାନସଭା ପାଇଁ ହୁଏତ ସେମାନେ ଶଙ୍ଖକୁ ବାଛି ପାରନ୍ତି। କିନ୍ତୁ ଏସବୁ ତର୍ଜମା ଉପରେ ଗୋଟିଏ କଥାକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ। ତାହା ହେଲା, ବିଜେପିର ସ୍ଲୋଗାନ, ୧୯ ବର୍ଷର ସରକାର, ବଦଳିବା ଦରକାର। ଏହି ସ୍ଲୋଗାନଟି ପରିବର୍ତ୍ତିତ ପରିସ୍ଥିତିରେ ଲୋକଙ୍କୁ ଛୁଇଁଛି। ବହୁତ ହେଲାଣି, ଏଥର ପରିବର୍ତ୍ତନ ଦରକାର ବୋଲି ବିଜେପି ଯେଉଁ ଆହ୍ୱାନ ଦେଇଛି, ତାହା ଲୋକଙ୍କୁ ବହୁ ସ୍ଥାନରେ ଛୁଇଁ ଯାଉଥିବା ଦେଖିବାକୁ ମିଳୁଛି।

କିନ୍ତୁ ନବୀନ ସେହି ପୁରୁଣା କେନ୍ଦ୍ରୀୟ ଅବହେଳା କଥା ଘୋଷି ଚାଲିଛନ୍ତି। କିନ୍ତୁ ଯେହେତୁ ୧୯ ବର୍ଷ ହେଲା କ୍ଷମତାରେ ରହିଲେଣି, ଅନ୍ୟକୁ ଦୋଷ ଦେବା ପରିବର୍ତ୍ତେ ତାଙ୍କ ସରକାର କ’ଣ କରିଛନ୍ତି, ସେକଥାକୁ ଲୋକଙ୍କ ପାଖକୁ ନେବା ପରିବର୍ତ୍ତେ କେନ୍ଦ୍ର ଉପରେ ଦୋଷ ଲଦି ଅଧିକରୁ ଅଧିକ ଫଶିଯାଇଛନ୍ତି ନବୀନ।

ମୋଦୀ ଟିମ ଏବଂ ନବୀନ ଟିମ

ମୋଦୀ ଟିମ ଏବଂ ଟିମ ନବୀନ ଭିତରେ ଏକ ବଡ଼ ମାନସିକ ଲଢ଼େଇ ମଧ୍ୟ ଚାଲିଛି। ଓଡ଼ିଶାରେ ମୋଦୀଙ୍କୁ ବ୍ୟାକଅପ ଦେବା ପାଇଁ ସ୍ଥାନୀୟ ନେତାଙ୍କ ଏକ ସମର୍ଥ ସଂଗଠନ ରହିଥିବା ବେଳେ, ନବୀନଙ୍କ ପାଖରେ କେବଳ କେତେଜଣ ଅଫିସର ହିଁ ଅଛନ୍ତି। ଯେଉଁମାନଙ୍କର ଭଲ ଦିମାକ ତ ଅଛି, କିନ୍ତୁ ସେମାନେ ବିଜେପି ନେତାଙ୍କ ପରି ସମ୍ମୁଖ ଲଢ଼େଇ କରିପାରୁ ନାହାନ୍ତି।

ମୋଦୀ ଏବଂ ନବୀନଙ୍କ ଭିତରେ ଚାଲିଥିବା ଲଢ଼େଇରେ ବିଜୟ କାହାର ହେବ, ତାହାର ଭବିଷ୍ୟବାଣୀ ଏବେଠୁ କରିବା ସହଜ ନୁହେଁ। କିନ୍ତୁ ପ୍ରଥମ ଥର ପାଇଁ ୧୯ବର୍ଷରେ ନବୀନଙ୍କୁ କଡ଼ା ମୁକାବିଲା ଭିତରକୁ ଠେଲିଦେଇ ସାରିଛନ୍ତି ମୋଦୀ ଓ ରାଜ୍ୟ ବିଜେପି। ଏହା କିନ୍ତୁ ଜୋର ଦେଇ କୁହାଯାଇପାରେ।

Leave a Reply

Your email address will not be published.