ପଞ୍ଚାୟତିରାଜ ଦିବସରେ ସରପଞ୍ଚଙ୍କ ସହ କଥା ହେଲେ ମୋଦି, ଗାଁ ଲୋକଙ୍କୁ ସମ୍ପତ୍ତି ମାଲିକାନା, ସବୁ ଲେଖାଯୁଖା ପାଇଁ ସ୍ଵତନ୍ତ୍ର ଆପ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ସରପଞ୍ଚମାନଙ୍କ ସହ କଥା ହୋଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବର୍ତ୍ତମାନର ସଙ୍କଟଜନକ ସ୍ଥିତିକୁ ମୁକାବିଲା କରିବା ନେଇ ପଞ୍ଚାୟତର ସଙ୍କଳ୍ପକୁ ପ୍ରଶଂସା କରିଛନ୍ତି। ଏହାଛଡ଼ା ପଞ୍ଚାୟତର ସମସ୍ତ କାର୍ଯ୍ୟକ୍ରମ, ଖର୍ଚ ଏବଂ ସମ୍ପତ୍ତି ବିବରଣୀକୁ ଲିପିବଦ୍ଧ କରିବା ତଥା ସବୁ ଲୋକଙ୍କ ସାମ୍ନାରେ ରଖିବା ପାଇଁ ସରକାର ଏକ ନୂଆ ମୋବାଇଲ୍‌ ଆପ୍ଲିକେସନ୍‌ ତଥା ପୋର୍ଟାଲ୍‌ ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି।

ଏହି ସ୍ଵତନ୍ତ୍ର ପୋର୍ଟାଲ୍‌ର ନାମ ରହିଛି ଇ-ଗ୍ରାମ ସ୍ଵରାଜ ବା ସ୍ଵାମିତ୍ର। ଏହି ଯୋଜନା ପୂରା ନାଁ ହେୁଛି ସିମ୍ପିଲିଫାଏଡ୍‌ ୱର୍କବେସଡ୍‌ ଆକାଉଣ୍ଟିଙ୍ଗ୍‌ ଆପ୍ଲିକେସନ୍‌ ଫର ପଞ୍ଚାୟତିରାଜ। ଏହା ପ୍ୟଞ୍ଚାୟତର ସମସ୍ତ କାର୍ଯ୍ୟ, ଖର୍ଚ ଏବଂ ଆୟ ବିବରଣୀ ରଖିବ। ସବୁ ଲୋକଙ୍କ ପାଖରେ ଏହି ହିସାବ ପହଞ୍ଚାଇବ। ପଞ୍ଚାୟତର ପାରଦର୍ଶିତା ବୃଦ୍ଧି କରିବ ବୋଲି ମୋଦି କହିଛନ୍ତି।

ମୋଦି କହିଛନ୍ତି, ଇ- ଗ୍ରାମ ସ୍ଵରାଜ ମାଧ୍ୟମରେ ଆପଣ ସମସ୍ତଙ୍କୁ ଏକ ବଡ଼ ଶକ୍ତି ମିଳିବାକୁ ଯାଉଛି। ଗାଁରେ ସମ୍ପତ୍ତିକୁ ନେଇ ଯେଉଁ ସ୍ଥିତି ରହିଥାଏ ତାହା ଆପଣସମସ୍ତେ ଜାଣନ୍ତି। ସ୍ଵାମିତ୍ର ଯୋଜନା ଏହାକୁ ଠିକ୍‌ କରିବାକୁ ଏକ ପ୍ରୟାସ। ଏହି ଯୋଜନା ମାଧ୍ୟମରେ ଦେଶର ସବୁ ଗାଁରେ ଆବାସର ଡ୍ରୋନ୍‌ ମାଧ୍ୟମରେ ମ୍ୟାପିଙ୍ଗ୍‌ କରାଯାଇପାରିବ। ଏହାବାଦ୍‌ ଗାଁ ଲୋକଙ୍କୁ ସେହି ସମ୍ପତ୍ତିର ଏକ ମାଲିକାନା ପ୍ରମାଣପତ୍ର ଦିଆଯିବ। ସ୍ଵାମିତ୍ର ଯୋଜନାରେ ଗାଁ ଲୋକଙ୍କୁ ଅନେକ ଲାଭ ହେବ।

ପ୍ରଥମେ ସମ୍ପତ୍ତିକୁ ନେଇ ଯେଉଁ ଝଗଡ଼ା ରହିଛି ତାହା ସମାଧାନ ହେବ। ଗାଁ ବିକାଶ ପାଇଁ ଯୋଜନାରେ ବହୁତ ବଡ଼ ଲାଭ ହେବ। ଏହା ଦ୍ଵାରା ସହରରେ ଯେମିତି ଲୋକେ ଋଣ ନେଉଛନ୍ତି ତାହାକୁ ଦେଖାଇ ବ୍ୟାଙ୍କରୁ ଲୋନ୍‌ ନେଇପାରିବେ। ଏହା ଲୋକଙ୍କ ଅନେକ କାମରେ ଆସିବ ବୋଲି ସେ କହିଛନ୍ତି। 

ଏବେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କଣ୍ଣାଟକା, ହରିୟାଣା, ମଧ୍ୟପ୍ରଦେଶ ଉତ୍ତରାଖାଣ୍ଡ,  ପ୍ରଭୃତି ୬ ରାଜ୍ୟରେ ପାଇଲଟ ଭିତ୍ତିରେ ପ୍ରାରମ୍ଭ ହୋଇଛି। ଏଥିରେ ଯାହା ସମସ୍ୟା ଆସିବ ତାହାକୁ ଦେଖିଲା ପରେ ସବୁ ଗାଁରେ ଲାଗୁ ହେବ।

Leave a Reply

Your email address will not be published. Required fields are marked *