ଆକ୍ରାମକ ନୁହେଁ ରକ୍ଷାତ୍ମକ ମୁଦ୍ରାରେ ମୋଦି
୨୦୧୯ ସାଧାରଣ ନିର୍ବାଚନର ବିଗୁଲ ବାଜିଗଲାଣି। ସବୁ ଜାତୀୟ ଓ ଆଞ୍ଚଳିକ ଦଳଗୁଡିକ ପ୍ରତକ୍ଷ ଓ ପରୋକ୍ଷ ଲଢେଇ ପାଇଁ ମଇଦାନକୁ ଓହ୍ଲାଇ ଗଲେଣି। ବିଭିନ୍ନ ଦୃଷ୍ଟିରୁ ଏହି ନିର୍ବାଚନ ନିର୍ଣ୍ଣାୟକ ନିର୍ବାଚନ ହେବାକୁ ଯାଉଥିବା ବେଳେ ସବୁ ରାଜନୈତିକ ସମୀକ୍ଷକଙ୍କ ନଜର ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ। ପ୍ରଧାନମନ୍ତ୍ରୀ ମୋଦି ଗର୍ଜନ କରି ଆତ୍ମପ୍ରଚାର କରିବାରେ ଏବେ ବ୍ୟସ୍ତ। ଏହି ଆତ୍ମପ୍ରଚାର ଏବେ ପୂର୍ବଭଳି ଆକ୍ରମକ ନ ହୋଇ ରକ୍ଷଣାତ୍ମକ ହେଉଥିବା ଦେଖାଯାଉଛି।
ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କର ପ୍ରଥମ କିଛିବର୍ଷ ବେଶ ସୁରୁଖୁରରେ କଟିଗଲା। କିନ୍ତୁ ନିର୍ବାଚନ ଯେତେ ନିକଟତର ହେଉଛି, ଦେଶର ଅର୍ଥନୈତିକ ଭାଗ୍ୟ ସେତିକି ସେତିକି ଦୁରେଇଗଲା। ୨୦୧୪ ନିର୍ବାଚନରେ ମୋଦିଙ୍କ ସପକ୍ଷରେ ବିପୁଳ ଜନମତ ଆକର୍ଷିତ ହେବାର ମୁଖ୍ୟ କାରଣ ଥିଲା ତାଙ୍କ ଆକ୍ରମଣାତ୍ମକ ଭାଷଣ। କିନ୍ତୁ ଶାସନ ଗାଦିରେ ବସିବାର ପ୍ରାୟ ୫ ବର୍ଷ ପରେ ତାଙ୍କ ଭାଷଣରେ ଆଉ ସେ ଆକ୍ରମଣାତ୍ମକ ଢଙ୍ଗ ନାହିଁ। ବରଂ ସେ ପୂର୍ବ ଅପେକ୍ଷା ଅଧିକ ରକ୍ଷଣାତ୍ମକ ହୋଇଯାଇଛନ୍ତି। ଯାହାକି ନିକଟରେ ତାଙ୍କର ଦୁଇ ଦୁଇ ଥର ଓଡିଶା ଗସ୍ତରୁ ସ୍ପଷ୍ଟ ବାରି ହେଉଛି।
ଏବେ ତାଙ୍କ ଭାଷଣକୁ ଶୁଣିଲେ ଲାଗୁଛି ସତେ ଯେମିତି ବିଜେତା ଏବେ ନିଜେ ଶିକାର ହୋଇଛନ୍ତି। ସେ ନିଜ ଭାଷଣରେ ଭାରତର ଅର୍ଥନୈତିକ ଅବକ୍ଷୟ ପାଇଁ ପୂର୍ବର କଂଗ୍ରେସ ସରକାରକୁ ଦାୟୀ କରିବା ସହ ଦେଶର ଭଲ ପାଇଁ ନିଜେ ବିଷ ପିଇବାକୁ ରାଜି ବୋଲି କହୁଛନ୍ତି। ପ୍ରାୟ ୫ ବର୍ଷ ତଳେ ଯେତେବେଳେ ସେ ଏକକ ସଂଖ୍ୟା ଗରିଷ୍ଠତାରେ ସରକାରକୁ ଆସିଥିଲେ ସେତେବେଳେ ସେ ସଂସ୍କାର ଓ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଯେତେବେଳେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ହେଉଛି, ତାଙ୍କ ନେତୃତ୍ବରେ ଦେଶରେ ଅର୍ଥନୈତିକ ଅଧୋଗତି ଦେଖାଦେଇଛି ଏବଂ ଛଟେଇ ହାର ବୃଦ୍ଧି ପାଇଛି।
ଦୁର୍ଦ୍ଦିନରେ ଚାଷୀ
ମୋଦି ସରକାର ଉପରେ ବୋଧହୁଏ ବର୍ଷା ଦେବତା ଖୁସୀ ନୁହଁନ୍ତି। ଦେଶର କେଉଁଠି ଅତ୍ୟଧିକ ବର୍ଷା ଯୋଗୁଁ ଗୁରୁତ୍ତର ବନ୍ୟା ପରିସ୍ଥିତି ତ କେଉଁଠି ସ୍ବଳ୍ପ ବୃଷ୍ଟି ଯୋଗୁଁ ମରୁଡି କିମ୍ବା ମରୁଡି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଚାଷୀକୂଳ ରୋଜଗାର ପନ୍ଥା ହରାଇଛନ୍ତି। ବର୍ତ୍ତମାନର କେନ୍ଦ୍ର ସରକାର ଚାଷୀଙ୍କୁ ଉପଯୁକ୍ତ ସହାୟକ ମୂଲ୍ୟ ଦେବାରେ ଫେଲ ମାରିଥିବା ବେଳେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିପାରିନାହାଁନ୍ତି। କୃଷି ଋଣକୁ ମଧ୍ୟ ଛାଡ କରିବାକୁ ନାରାଜ ବର୍ତ୍ତମାନର କେନ୍ଦ୍ର ସରକାର।
ନିଯୁକ୍ତିର ଧୂଆଁବାଣ
କେନ୍ଦ୍ରରେ କ୍ଷମତାକୁ ଆସିବା ପାଇଁ ପ୍ରତିବର୍ଷ ୨ କୋଟି ନିଯୁକ୍ତି ସୁଯୋଗର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛନ୍ତି ମୋଦି ସରକାର। ଏନଡିଏ ସରକାରର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଯୁକ୍ତି ସୁଯୋଗ ସୃଷ୍ଟିର ହାର ପୂର୍ବର ୟୁପିଏ ସରକାର ଠାରୁ ମଧ୍ୟ କମ ରହିଥିଲା। ଆଇଟି ଓ ରିଟେଲ କ୍ଷେତ୍ରରେ ନିଯୁକ୍ତିର ହାର ସବୁଠାରୁ ଉଦବେଗଜନକ ଥିଲା। ଏଭଳିସ୍ଥିତିରେ ରାସ୍ତାକଡରେ ପକୁଡି ବିକ୍ରି କରି ମଧ୍ୟ ରୋଜଗାର କରିହୁଏ କହି ବେକାର ଯୁବକ ଯୁବତୀଙ୍କୁ ଉପହାସ କରିଥିଲେ କେନ୍ଦ୍ର ସରକାର।
ବିମୁଦ୍ରାକରଣ
କଳାଧନ ଉପରେ ଆକ୍ରମଣ ନାଁରେ ହୋଇଥିବା ବିମୁଦ୍ରାକରଣ ଯୋଗୁଁ ଦେଶର ଅଭିବୃଦ୍ଧି ପ୍ରାୟ ୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ମୋଦି ସରକାର ଏହାକୁ ଏକ ବଡ ସଫଳତା କହୁଥିବା ବେଳେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞମାନେ ଏହାକୁ କେନ୍ଦ୍ରର ସବୁଠାରୁ ବଡ ଯୋଜନାବଦ୍ଧ ଲୁଣ୍ଠନ ବୋଲି କହିଛନ୍ତି। ଏହାଦ୍ବାରା କଳାଧନ କେତେ ଧରା ହେଲା ତାର ଏଯାଏଁ ହିସାବ ମିଳୁନଥିବା ବେଳେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।
ସହଯୋଗୀଙ୍କ ସହ ମନାନ୍ତର
ବିଜେପିର ଏକପାଖିଆ ନିଷ୍ପତ୍ତି ଯୋଗୁଁ ସହଯୋଗୀମାନେ ଧିରେ ଧିରେ ହାତ ଛାଡିବା ଆରମ୍ଭ କଲେଣି। ଏକଦା ବିଜେପିର ସବୁଠାରୁ ପୁରୁଣା ଓ ବଡ ସହଯୋଗୀ ବୋଲି କୁହାଯାଉଥିବା ଶିବସେନା ମଧ୍ୟ କେନ୍ଦ୍ରର ନୀତି ଓ ନୈତିକତାକୁ ନେଇ ବାରମ୍ବାର ଧମକ ଦେଉଛି। ଏପରିକି ଆସନ୍ତା ସାଧାରଣ ନିର୍ବାଚନରେ ଶିବସେନା ବିଜେପିର ବିନା ସହଯୋଗରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଟିଡିପି ମଧ୍ୟ ବିଜେପିର ହାତ ଛାଡି ଅଲଗା ଏବେ ବିଜେପି ବିରୋଧୀ ମହାମେଣ୍ଟର ନେତୃତ୍ବ ନେଉଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ।
ବିଦ୍ରୁପ ଦୁର୍ନୀତି ମୁକ୍ତ ନାରା
ଦୁର୍ନୀତି ମୁକ୍ତର ନାରା ଦେଇ କ୍ଷମତାକୁ ଆସିଥିବା ମୋଦି ସରକାର ଦୁର୍ନୀତିର ମୁଲୋତ୍ପାଟନ ପରବର୍ତ୍ତେ ଦୁର୍ନୀତିକୁ ପ୍ରଶ୍ରୟ ଦେଇଛି। କଳାଧନକୁ ଦେଶକୁ ଫେରାଇ ଆଣିବାର ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ କେତେ କଳାଧନ ଫେରିଲା ତାର ହିସାବ ନାହିଁ। ବରଂ ବିମୁଦ୍ରାକରଣ ନାଁରେ ବିଦେଶରେ ଆହୁରି କଳାଧନ ଗଛିତ ହେଲା। ସରକାରକୁ ଆସିବା ପୂର୍ବରୁ ଲୋକପାଳର ଏକ ବଡ ସମର୍ଥକ ଥିଲା ବିଜେପି। କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଏଦିଗରେ ବିଶେଷ କିଛି କରାଯାଇନି।
ସମାଜିକ ଅସ୍ଥିରତା
୨୦୧୪ ପରଠାରୁ ଦେଶରେ ସାମାଜିକ ଅସ୍ଥିରତା ବୃଦ୍ଧି ପାଇଛି। କେତେବେଳେ ଗୋ ସୁରକ୍ଷା ନାଁରେ ତ କେତେବେଳେ ଦଳିତଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ। କେବଳ ଏତିକି ନୁହେଁ ମୋଦି କିମ୍ବା ସରକାର ବିରୋଧରେ ପଦୁଟିଏ କହୁଥିବା ବ୍ୟକ୍ତିଙ୍କୁ ଦେଶଦ୍ରୋହୀ, ପାକିସ୍ଥାନୀ ଏଜେଣ୍ଟ କିମ୍ବା ଆଇଏସଆଇ ଏଜେଣ୍ଟର ଆକ୍ଷା ଦିଆଯାଉଛି। ଶିକ୍ଷାବିତମାନେ ଆରଏସଏସ ଓ ବିଜେପି ସଂପର୍କରେ ତର୍ଜମା କଲେ ତାଙ୍କୁ ସାଧାରଣରେ ହତ୍ୟା କରାଯାଉଛି କିମ୍ବା ଧମକ ଦିଆଯାଉଛି । ସାମ୍ବାଦିକ, ସମାଜସେବୀ କେହି ବି ସୁରକ୍ଷିତ ନୁହଁନ୍ତି ।