ବିଜେପିର ଏକ୍ସପାଏରୀ ଡେଟ୍ ସମାପ୍ତ:ମମତା
ମୋଦି ସରକାରଙ୍କ ଏକ୍ସପାଏରୀ ଡେଟ୍ ଶେଷ ହୋଇଯାଇଛି ବୋଲି କୋଲକାତାରେ ବିରୋଧୀଙ୍କ ରାଲିରେ ବିଜେପି ଓ ପିଏମ ମୋଦୀଙ୍କ ବିରୋଧରେ ହମଲା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏକଥା ସମସ୍ତେ ବୁଝି ସାରିଲେଣି ଏବଂ ଆଗାମୀ ଦିନରେ କେନ୍ଦ୍ରରେ ନୂଆ ସରକାରର ଉଦୟ ନଶ୍ଚୟ ଘଟିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି)ର ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ, ସବୁ ବିରୋଧୀ ଦଳ ଏକଜୁଟ୍ ହୋଇ କାମ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ କିଏ ହେବ ଏହା ଉପରେ ନିଷ୍ପତ୍ତି ଆମେ ଲୋକସଭା ନିର୍ବାଚନ ପରେ ନେବୁ। ବିରୋଧୀ ନେତାଙ୍କ ଉପରେ ସିବିଆଇ ଓ ଇଡିର ଚାଲିଥିବା କାର୍ଯ୍ୟାନୁଷ୍ଠାନ ମାମଲା ଉପରେ କହିଛନ୍ତି ଯେ ଯଦି ମୋଦି କାହାରିକୁ ଛାଡୁ ନାହାନ୍ତି ତେବେ ଆମେ କଣ ପାଇଁ ଆପଣଙ୍କୁ ଛାଡ଼ିବୁ ?

କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ଦେଶର ୨୩ଟି ଅଣ-ବିଜେପି ଦଳ ପକ୍ଷରୁ ଆୟୋଜିତ ମହାରାଲିରେ ଉଦ୍ବୋଧନ ଦେଇ ଟିଏମ୍ସି ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରର ବିଜେପି ସରକାର ଉପରେ ଖୁବ୍ ବର୍ଷିଛନ୍ତି। ମମତା କହିଛନ୍ତି, କ୍ଷମତାର ମୋହ ଓ କ୍ଷମତାର ଗର୍ବ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏବେ ଅନ୍ଧ କରିଦେଇଛି। କ୍ଷମତାର ଅହଂକାର ତାଙ୍କୁ ଏପରି ପାଗଳ କରିଛି ଯେ ସେ ତାଙ୍କ ନିଜ ଦଳର ବରିଷ୍ଠ ନେତା ରାଜନାଥ ସିଂହ, ସୁଷମା ସ୍ୱରାଜ ଏବଂ ନୀତୀନ ଗଡ଼କରିଙ୍କୁ ସୁଦ୍ଧା ଆଡ଼ ଆଖିରେ ଚାହୁଁ ନାହାନ୍ତି। ଏପରି ପରିସ୍ଥିତିରେ ସେ ଯଦି ୨୦୧୯ ନିର୍ବାଚନରେ ବିଜୟ ଲାଭ କରନ୍ତି ତେବେ ସେ ସଂପୂର୍ଣ୍ଣ ରୂପେ ସ୍ୱେଚ୍ଛାଚାରୀ ପାଲଟିଯିବେ ବୋଲି କହିଛନ୍ତି ମମତା।
ପାଣିପାଗ ବଦଳୁଛି। ଆକାଶରେ ବାଦଲର ଗତିପଥ ମଧ୍ୟ ବଦଳୁଛି। ତେବେ ବିଜେପି ସରକାର କାହିଁକି ବଦଳିବନି?, କୋଲକାତାରେ ଅନୁଷ୍ଠିତ ମୋଦି ବିରୋଧୀ ମହାମେଳିରେ ଏହା କହିଛନ୍ତି ମମତା ବାନାର୍ଜୀ। ୨୦୧୯ ନିର୍ବାଚନ ପୂର୍ବରୁ କୋଲକାତାରେ ଆଜି ଏକାଠି ହୋଇଥିଲେ ମୋଦି ବିରୋଧୀ ରାଜନୈତିକ ଦଳର ନେତା। ୨୩ରୁ ଅଧିକ ଦଳର ନେତା ଏକାଠି ହୋଇ ମୋଦିଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ। ୨୦୧୯ ନିର୍ବାଚନରେ ମୋଦି ସରକାରକୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ୱାନ ଦେଇଥିଲେ।
ମମତା ବାନାର୍ଜୀ କହିଥିଲେ, ଭୋଟ ପାଇଁ ବିଜେପି ଯେତେ ମିଠା କଥା କହୁଛି କହୁ। କିନ୍ତୁ ବିଜେପି ପାଇଁ ଆଉ ଭଲଦିନ ଆସିବ ନାହିଁ। ଲୋକେ ମୋଦିଙ୍କୁ ଠିକଣା ଜବାବ ଦେବେ। ଆମ ପାଇଁ ଗୋଟିଏ ଭୋଟ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦେଶର ସୁରକ୍ଷା ହେଉଛି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।

କୋଲକାତାର ବ୍ରିଗେଡ ପଡ଼ିଆରେ ଆୟୋଜିତ ମହାରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଫାରୁକ ଅବଦୁଲ୍ଲା, ଉମର ଅବଦୁଲ୍ଲା, ବାବୁଲାଲ ମାରାଣ୍ଡି, ବହୁଜନ ସମାଜବାଦୀ ପାର୍ଟିର ନେତା ସତୀଶ ମିଶ୍ରା, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ସାମିଲ ହୋଇ ମୋଦିଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ।
ମମତା ଆହୁରି କହିଥିଲେ, ଆମ ପାଖରେ ନେତାଙ୍କ ଅଭାବ ନାହିଁ। ଆମ ଦଳରେ ପ୍ରତ୍ୟେକ କର୍ମୀ ହିଁ ହେଉଛନ୍ତି ନେତା। ମୋଦି ସରକାର ସବୁ ସଂସ୍ଥାକୁ ବରବାଦ କରିଦେଇଛନ୍ତି। ଲାଲୁ ଯାଦବ, ମାୟାବତୀ ଏବଂ ଅଖିଳେଶ ଯାଦବ ହେଉଛନ୍ତି ଏହାର ଉଦାହରଣ। ଏଣୁ ମୋଦିଙ୍କୁ କଡ଼ା ଜବାବ ଦେବା ପାଇଁ ସବୁ ବିରୋଧୀଙ୍କୁ ଏକାଠି ହେବାକୁ ପଡ଼ିବ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ, ଇଡିକୁ ମଧ୍ୟ ବରବାଦ କରିଦେଇଛନ୍ତି। ଏଣୁ ବିଜେପି ସରକାରକୁ ୨୦୧୯ରେ ବଦଳାଇବାକୁ ପଡ଼ିବ ବୋଲି ମମତା କହିଛନ୍ତି।
ନିକଟରେ ଉତ୍ତରପ୍ରଦେଶରେ ବିଜେପି ବିରୋଧରେ ଏକାଠି ହୋଇଛନ୍ତି ଅଖିଳେଶ ଏବଂ ମାୟାବତୀ। ଏବେ କୋଲକାତାରେ ମମତାଙ୍କ ମହାରାଲି ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ମୋଦିଙ୍କ ବିରୋଧରେ ଅସଲ ମହାମେଣ୍ଟ ଶୁଭାରମ୍ଭ ହେଲା ବୋଲି ଚର୍ଚ୍ଚା ହେଉଛି।