୨୨ ଦଳଙ୍କ ମହାରାଲିକୁ ମୋଦୀଙ୍କ ଆକ୍ଷେପ: ‘ଓ୍ଵାହା କ୍ୟା ସିନ ହୈ’
କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା କୋଲକତା ଠାରେ ଆୟୋଜିତ ମହାରାଲିର ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ଯେ ଏହି ମହାମେଣ୍ଟର ଉଦ୍ୟମ ମୋ ବିରୋଧରେ ନୁହେଁ ବରଂ ଦେଶର ଜନତାଙ୍କ ବିରୋଧରେ ହୋଇଛି।
ମୋଦି କହିଛନ୍ତି ଯେ ଦୁର୍ନୀତି ବିରୋଧରେ ସେ ଯେଉଁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସେଥିରେ ଭୟତୀୟ ହୋଇ ବିରୋଧୀ ଦଳଗୁଡ଼ିକ ଏକତ୍ରିତ ହୋଇ ତାଙ୍କ ଓ ତାଙ୍କ ଦଳ ବିରୋଧରେ ଏହି ମହାଗଠବନ୍ଧନ ଗଠନ କରିଛନ୍ତି। ମହାରାଲିରେ ସାମିଲ ଲୋକଙ୍କ ଆଭିମୁଖ୍ୟ କେବଳ ନିଜର ପରିବାର, ଭାଇ-ଭଜଣାଙ୍କୁ ଆଗେଇ ନେବା ଉପରେ ରହିଛି। ଏହି ଲୋକଙ୍କ ଦୁନିଆ ମୋଦିଙ୍କୁ ଘୃଣା କରିବାଠୁ ଆରମ୍ଭ ହୋଇ ମୋଦୀଙ୍କୁ ଗାଳି କରିବାରେ ଶେଷ ହୋଇଥାଏ।
ମୋଦି କହିଛନ୍ତି ଯେ ମୋ ଦୁନିଆ ଶହେ କୋଟି ଦେଶବାସୀଙ୍କ ସଂକଳ୍ପ ସହିତ ଆରମ୍ଭ ହୋଇଥାଏ ଏବଂ ସେଥିରେ ହିଁ ଶେଷ ହୋଇଥାଏ। ମୋଦି କହିଛନ୍ତି ଯେ ଯେଉଁ ବଙ୍ଗାଲରେ ରାଜନୈତିକ ଦଳକୁ କାର୍ଯ୍ୟକ୍ରମ କରିବା ଉପରେ ରୋକ୍ ଲଗାଯାଏ, ଗଣତନ୍ତ୍ରର ସ୍ଵରକୁ ଚପାଇ ଦିଆଯାଏ ସେହି ବଙ୍ଗାଲରେ ଗଣତନ୍ତ୍ର ବଞ୍ଚାଇବାର କଥା ଉଠୁଛି। ତେଣୁ ମୁହଁରୁ ବାହାରୁଛି ଯେ ଓ୍ଵାହ କ୍ୟା ସିନ୍ ହେ।