ଓଡ଼ିଶାରେ ବିଜେପି ଭାଗଭାଗ

ଗୌରୀ ପ୍ରସାଦ ମହାପାତ୍ର
ଲେଖକ ଜଣେ ସାମ୍ବାଦିକ ଏବଂ ଆଲେଖ୍ୟ ତାଙ୍କ ବ୍ୟକ୍ତିଗତ ଅନୁଶୀଳନରୁ ପ୍ରସ୍ତୁତ ।
ବିଜେପିର ଓଡ଼ିଶା ଶାଖା ବିଭାଜିତ। ‘ମୋଦୀ ଟିମ୍’ – ‘ଶାହା ଟିମ୍’ ଏଭଳି ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମକର୍ତ୍ତା। ଗୋଟିଏ ଆକ୍ରମଣାତ୍ମକ ଓ ଅନ୍ୟଟି ରକ୍ଷଣାତ୍ମକ । ଦୁଇ ଦୁଇଟି ସମାନ୍ତରାଳ ନେତୃତ୍ୱ ସକ୍ରିୟ ଅଛନ୍ତି।
ଏସବୁ ଆଗରେ ପ୍ରଶ୍ନବାଚୀ ଲଗାଇ ଦିଅନ୍ତୁ । ଅର୍ଥାତ୍ ଏସବୁ ସତ କି? ଆପଣ ଭାବୂଥିବେ ଟଙ୍କିକିଆ କଏନ୍ର ଦୁଇ ପକ୍ଷ ଭଳି ଏ ଦୁହିଁଙ୍କୁ ଏକାଠି ନଧରିଲେ ବିଜେପି ସରକାର ଯେଉଁଠି ଅସମ୍ଭବ ବୋଲି ଧରାଯାଉଛି ସେଠାରେ ଏମିତି ପ୍ରଶ୍ନ କାହିଁକି?
ଆମେ ପଚାରୁନୁ, ରାଜ୍ୟରେ ଏମିତି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଛି । ଗତ କିଛି ଦିନ ହେଲା ବିଜେପିର ତୁଙ୍ଗ ନେତୃତ୍ୱର ଓଡ଼ିଶା ପ୍ରତି ଆଭିମୁଖ୍ୟ ଓ ରାଜ୍ୟ ବିଜେପି ନେତାଙ୍କ କାର୍ଯ୍ୟଧାରା ଉପରୋକ୍ତ ଚର୍ଚ୍ଚାକୁ ଖୋରାକି ଯୋଗାଇଛି । ଅପରପକ୍ଷରେ ଏହି ଚର୍ଚ୍ଚାକୁ ନେଇ ରାଜନୈତିକ ବିଶାରଦମାନେ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି । ଚର୍ଚ୍ଚା ସମ୍ପୂର୍ଣ୍ଣ ନିରାଧାର ହୋଇନପାରେ ବୋଲି ଗୋଟିଏ ମହଲର ଦାବିକୁ ଅନ୍ୟ ଏକ ମହଲ ସ୍ୱୀକାର କରିବାକୁ ନାରାଜ ।

ଗତବର୍ଷ ଶେଷଭାଗରେ ଅନୁଷ୍ଠିତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ବିଜେପିର କେନ୍ଦ୍ରୀୟ ନେତୃବର୍ଗଙ୍କ ମନୋଭାବ ରକ୍ଷଣାତ୍ମକ ହୋଇଯାଇଥିବା ରାଜନୈତିକ ମହଲରେ ଏକ ଧାରଣା ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଗତ ଓଡ଼ିଶା ଗସ୍ତ ଅବସରରେ ନବୀନଙ୍କ ପ୍ରତି କୋହଳ ଆଭିମୁଖ୍ୟ ଏହି ଧାରଣାକୁ ଆହୁରି ଦୃଢ଼ କରିଛି । କେନ୍ଦ୍ରୀୟ ନେତୃତ୍ୱର ଏହି ଆଭିମୁଖ୍ୟରେ କିନ୍ତୁ ନିରାଶ ହୋଇଥିଲା ଓଡ଼ିଶାରେ କ୍ଷମତା ହାସଲ ଲକ୍ଷ୍ୟରେ ଥିବା ରାଜ୍ୟର ବିଜେପି ଶାଖା । ବିଶେଷକରି ପ୍ରତିଟି ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାର ସୁଯୋଗ ହାତ ଛଡ଼ା କରୁନଥିବା ଓଡ଼ିଶାରେ ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସବୁଠାରୁ ଅସନ୍ତୁଷ୍ଟ ହୋଇଥିବା ଆଲୋଚନା ହେଉଥିଲା ।

ରାଜ୍ୟ ବିଜେପି ନେତୃତ୍ୱର ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଜେପି କେନ୍ଦ୍ରୀୟ ଟିମ୍ ରଣନୀତି ବଦଳାଇଥିବା ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଆସନ୍ନ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ଶାଖାରେ କୁହୁଳୁଥିବା ଅସନ୍ତୋଷର ଧୂଆଁକୁ ପ୍ରଶମିତ କରିବାରେ ବିଫଳ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ମାଟିରୁ ନବୀନ ବିରୋଧୀ ସ୍ୱରକୁ ପୁଣି ଥରେ ତୀବ୍ର କରିଛନ୍ତି । ବିଶେଷକରି ଗତ ଓଡ଼ିଶା ଗସ୍ତ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମୋଦୀ-ନବୀନ ସମ୍ପର୍କକୁ ନେଇ କଟାକ୍ଷ କରିବା ପରେ ବିଜେପି ତାର ରଣନୀତି ବଦଳାଇବାକୁ ବାଧ୍ୟ ହୋଇଥିବା କୁହାଯାଉଛି ।
ରାଜନୈତିକ ମହଲରେ ସୃଷ୍ଟି ହୋଇଥିବା ଚର୍ଚ୍ଚା ରାଜ୍ୟ ବିଜେପିର ଏହି ଦୁଇ ବିପରୀତମୁଖୀ ଆଭିମୁଖ୍ୟକୁ ନେଇ ହିଁ ସୃଷ୍ଟି ହୋଇଛି । ବିଜେପିରେ ବିଭାଜନ ଅନୁମାନ କରୁଥିବା ରାଜନୈତିକ ମହଲର କହିବା ଅନୁଯାୟୀ ଶାହାଙ୍କ ଉଭୟ କଂଗ୍ରେସ ଓ ବିଜେଡି ବିରୋଧୀ ସ୍ୱରକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ଗୁରୁଦାୟିତ୍ୱ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅପରପକ୍ଷରେ ମୋଦୀଙ୍କ ନରମ ଆଭିମୁଖ୍ୟ ଓ ରଣନୀତିର ସେନାପତି ସାଜିଛନ୍ତି ଅପରାଜିତା ଷଡ଼ଙ୍ଗୀ । ତେଣୁ ଆସନ୍ନ ନିର୍ବାଚନ ପୃଷ୍ଠଭୂମିରେ ସ୍ୱାଭାବିକ ଭାବରେ ଆକ୍ରମଣାତ୍ମକ ରଣନୀତି ସ୍ଥିର କରିସାରିଥିବା ରାଜ୍ୟ ବିଜେପି ନେତୃତ୍ୱଠାରୁ ଶ୍ରୀମତୀ ଷଡ଼ଙ୍ଗୀ ନିଜକୁ ନିରାପଦ ଦୂରତ୍ୱରେ ରଖିଛନ୍ତି । ବିଗତ କିଛି ଦିନର ଘଟଣାକ୍ରମରୁ ଏହି ଧାରଣା ସୃଷ୍ଟି ହୋଇଛି ।

ବିଶେଷକରି ପିପିଲି ଗଣଦୁଷ୍ମର୍ମ ମାମଲାରେ ବିଜେପି ମହିଳା ମୋର୍ଚ୍ଚାର ଅଭିଯାନରେ ବଲିଉଡ୍ ଓ ଓଲିଉଡ୍ ଅଭିନେତ୍ରୀ ସାମିଲ ହୋଇଥିଲେ ମଧ୍ୟ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସକ୍ରିୟତା ଦେଖିବାକୁ ମିଳିନଥିଲା । ଏକ ବୃହତ ଲକ୍ଷ୍ୟରେ ରାଜ୍ୟ ବିଜେପି ଶାଖାରେ ସଦ୍ୟ ଯୋଗଦେଇଥିବା ଜଣେ ନାରୀ ନେତ୍ରୀ ଯେ ମହିଳା ମୋର୍ଚ୍ଚାର ଅଭିଯାନରୁ ନିଜକୁ ଦୂରେଇ ରଖିବେ ତାହା ବିଶ୍ୱାସଯୋଗ୍ୟ ହେଉନାହିଁ । କିନ୍ତୁ ଅପରାଜିତା ଯେ ପୂରାପୂରି ନିରବ ହୋଇଯାଇଛନ୍ତି ତାହା ନୁହେଁ । ନିୟମିତ ବ୍ୟବଧାନରେ ରାଜ୍ୟ ସରକାରଙ୍କ ବିରୋଧରେ ତଥ୍ୟ ସମ୍ବଳିତ ପ୍ରଶ୍ନ ରଖି ବୌଦ୍ଧିକ ସମାଲୋଚନାର ଧାରା ଜାରି ରଖିଛନ୍ତି ଶ୍ରୀମତୀ ଷଡ଼ଙ୍ଗୀ ।
ଅନ୍ୟ ଏକ ମହଲର କହିବା କଥା ହେଉଛି, ବିଜେପିରେ ବିଭାଜନ ଧାରଣା ଅମୂଳକ । ଏହା ହେଉଛି ବିଜେପିର ପରିବର୍ତ୍ତିତ ରଣନୀତିର ପରିଚାୟକ । ଯଦି ନିର୍ବାଚନ ପରେ ଝୁଲା ସଂସଦ ଗଠନ ହୁଏ ତେବେ ନବୀନ ପଟ୍ଟନାୟଙ୍କ ସମର୍ଥନ ହାସଲ କରିବାରେ କେନ୍ଦ୍ରୀୟ ବିଜେପି କାର୍ପଣ୍ୟ କରିବ ନାହିଁ । ଏଭଳି କ୍ଷେତ୍ରରେ ମୋଦୀଙ୍କ ରକ୍ଷଣାତ୍ମକ ଭାବମୂର୍ତ୍ତି କାମ କରିବ ଏବଂ ସେନାପତି ଭାବେ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ବିଜେପିର ମଙ୍ଗ ଧରିବେ । ଯଦି କେନ୍ଦ୍ରରେ ବିଜେପି ପୁଣି ଥରେ ସରକାର ଗଠନ ପାଇଁ ଏକକ ସଂଖ୍ୟାଗରିଷ୍ଠତା ହାସଲ କରେ ତେବେ ନବୀନଙ୍କ ବିରୋଧରେ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିବ ଏବଂ ତାହାର ନେତୃତ୍ୱ ନେବେ ଧର୍ମେନ୍ଦ୍ର ପ୍ରଧାନ ।