କାଗଜ କଲମ ନୁହେଁ, ଆପ ମାଧ୍ୟମରେ ୨୦୨୧ ଜନଗଣନା
ଦେଶର ଆଗାମୀ ଜନଗଣନା କାମ କାଗଜକଲମରେ ହେବ ନାହିଁ। ଏହି କାମ ଆଣ୍ଡ୍ରଏଡ଼ ମୋବାଇଲରେ ଥିବା ଆପ ମାଧ୍ୟମରେ କରାଯିବ ବୋଲି ଜଣାପଡ଼ିଛି। ମୋଦି ସରକାର ଜନସଂଖ୍ୟାର ତଥ୍ୟ ସଂଗ୍ରହ ଓ ବର୍ଗୀକରଣର ସମ୍ପୁର୍ଣ୍ଣ ପ୍ରକ୍ରିୟାକୁ ଡ଼ିଜିଟାଲ କରିବାକୁ ସ୍ଥିର କରିଛନ୍ତି। ଏଥିପାଇଁ ସରକାର ଏକ ଆପ ବିକଶିତ କରିଛନ୍ତି। ଜନଗଣନାକାମରେ ନିୟୋଜିତ ହେଉଥିବା ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ମାବାଇଲରେ ଏହି ଆପକୁ ଡାଉନଲୋଡ଼ କରିବାକୁ କୁହାଯିବ। ଜନଗଣନା ସମୟରେ ସମସ୍ତ ତଥ୍ୟକୁ ଏହି ଆପ ଜରିଆରେ ଦାଖଲ କରାଯିବ। ଫଳରେ ପୂର୍ବରୁ ଯେପରି କାଗଜରେ ଅଙ୍କିତ କରିବାକୁ ପଡ଼ୁଥିଲା ତାହା ଆଉ କରିବାକୁ ପଡ଼ିବ ନାହିଁ।
ଜନଗଣନା ପାଇଁ ସରକାରଙ୍କ ତରଫରୁ ତିଆରି କରାଯାଇଥିବା ଏହି ଆପ କିପରି କାମ କରୁଛି ତାହା ୫୦ଲକ୍ଷ ଜନସଂଖ୍ୟା ଥିବା ଅଞ୍ଚଳରେ ପରୀକ୍ଷଣ କରାଯିବ। ପରୀକ୍ଷଣ ସମୟରେ ଏକତ୍ର କରାଯାଉଥିବା ତଥ୍ୟକୁ କେବଳ ବିଭାଗର ପରୀକ୍ଷା ନିରୀକ୍ଷା ପାଇଁ ଉପଯୋଗ କରାଯିବ। ଏହି ପରୀକ୍ଷଣର ଅନୁଭବ ଅନୁସାରେ ଆପରେ ଥିବା ଅସୁବିଧାକୁ ଦୂର କରାଯିବ। ଫଳରେ ୨୦୨୧ ଜନଗଣନା ପ୍ରକ୍ରିୟା ବିନା କୌଣସି ଅସୁବିଧାରେ ପରିଚାଳିତ ହୋଇ ସଠିକ୍ ଢ଼ଙ୍ଗରେ ତଥ୍ୟ ହାସଲ ହୋଇପାରିବ। ୨୦୧୧ଜନଗଣନାରେ ବିବରଣୀରେ ଥିବା ପ୍ରଶ୍ନର ଜବାବ କାଗଜରେ ଲେଖାଯାଉଥିଲା। ଫଳରେ ଏହି ତଥ୍ୟକୁ ଏକତ୍ର କରି ପରିଣାମ ପ୍ରକାଶ କରିବାରେ ବିଳମ୍ୱ ହୋଇଥିଲା।
ଜନଗଣନା ପାଇଁ ପ୍ରସ୍ତୁତ ହୋଇଥିବା ଆପ ବିନା ଇଣ୍ଟରନେଟରେ ବି କାମ କରିବ ବୋଲି ଜଣାପଡ଼ିଛି। ସାଧାରଣ ସ୍ମାର୍ଟଫୋନରେ ଚାଲୁ ହେବାକୁ ଥିବା ଏହି ଆପକୁ ପାଶୱାର୍ଡ଼ ମାଧ୍ୟମରେ ସୁରକ୍ଷିତ ରଖାଯାଇପାରିବ। ଏହି ଆପରେ ୧୮ଟି ଭାଷାରେ ସୂଚନା ସଂଗ୍ରହ ହୋଇପାରିବ। ଜନଗଣନା କାମରେ ନିୟୋଜିତ ହୋଇଥିବା ଗଣନାକାରୀ କେବଳ କାଗଜପତ୍ର ବରିବେର୍ତ୍ତ ଫୋନ ନେଇ ବୁଲିବାକୁ ପଡ଼ିବ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଦାଖଲ ହୋଇଥିବା ତଥ୍ୟ ସିଧାସଳଖ ଜନଗଣନା କେନ୍ଦ୍ରୀୟ ଡାଟାବେସରେ ଜମା ହେବ।
୨୦୨୧ ଜନଗଣନା ପାଇଁ ପ୍ରଶ୍ନରେ କେତେକ ପରିବର୍ତ୍ତନ କରାଯାଉଛି। ଏଥର ଘରେ ଇଣ୍ଟରନେଟ ବ୍ୟବହାର ସମ୍ପର୍କରେ ମଧ୍ୟ ପ୍ରଶ୍ନ କରାଯିବ। ପ୍ରଶ୍ନ ସହଖ୍ୟା କମ କରିବା ଉଦ୍ଦେଶ୍ୟରେ କିଛି ପ୍ରଶ୍ନକୁ ମିଶାଇ ଦିଆଯାଉଛି। ଜନଗଣନା ପାଇଁ ବ୍ୟବହାର ହେବାକୁ ଥିବା ଆପର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର ସ୍ୱତନ୍ତ୍ରଭାବେ ଧ୍ୟାନ ଦେଇଛନ୍ତି। ଯାହାଫଳରେ ଡାଟା ହସ୍ତାନ୍ତରଣ ସୁନିଶ୍ଚିତ ନେଟୱର୍କ ଜରିଆରେ ହେବା ସହି ପ୍ରତ୍ୟେକ ଲୋକର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବ।
୨୦୨୧ଜନଗଣନା ତିନିଟି ପର୍ଯ୍ୟାୟରେ କରାଯିବ। ୨୦୨୦ ଏପ୍ରିଲରୁ ସେପ୍ଟେମ୍ୱର ମଧ୍ୟରେ ଘରଗୁଡ଼ିକର ତାଲିକା ପ୍ରସ୍ତୁତ କରାଯିବ। ଜନସଂଖ୍ୟା ଗଣନା ୨୦୨୧ ଫେବୃଆରୀ ୯ରୁ ୨୮ ତାରିଖ ମଧ୍ୟରେ କରାଯିବ। ୨୦୨୧ ମାର୍ଚ୍ଚ ୧ତାରିଖରୁ ୫ ତାରିଖ ମଧ୍ୟରେ ପୁନଃନିରୀକ୍ଷଣ କାମ କରାଯିବ। ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାଳୟ, ବଡ଼ ବଡ଼ ଘରକୁ ଗଣନା କରାଯିବ। ୨ୟ ପର୍ଯ୍ୟାୟରେ ପରିବାରର ମୁଖିଆ ଓ କାର୍ଯ୍ୟରଥ ଲୋକମାନଙ୍କ ସମ୍ପର୍କରେ ସୂଚନା ହାସଲ କରାଯିବ। ତୃତୀୟ ପର୍ଯ୍ୟାୟରେ ନିକଟରେ ହୋଇଥିବା ଜନ୍ମ ଓ ମୃତ୍ୟୁ ତଥ୍ୟ ସାମିଲ କରାଯିବ। ଏହା ପରେ ସବିଶେଷ ତଥ୍ୟ ଅପଡେ଼ଟ କରାଯିବ।