ଓଡ଼ିଶା ଫେରନ୍ତାଙ୍କ ଲାଗି ମୋ’ ବସ୍ ସ୍ଵତନ୍ତ୍ର ସେବା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଓଡ଼ିଶା ଫେରନ୍ତାଙ୍କ ଲାଗି ମୋ’ ବସ୍ ତରଫରୁୁ ସ୍ଵତନ୍ତ୍ର ବସ୍ ସେବା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଗୁରୁବାରଠାରୁ ଏହି ସେବା ଆରମ୍ଭ ହେବ। ବିମାନ ବନ୍ଦର ଏବଂ ରେଳ ଷ୍ଟେସନ୍ରୁ ଏହି ସେବା ଆରମ୍ଭ ହେବ। ଏଥିଲାଗି କ୍ରୁଟ୍ ପକ୍ଷରୁ ୪ଟି ବସ୍ ବ୍ୟବସ୍ଥା କରାଯାଇଥିବା କ୍ରୁଟ୍ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଜଣାଇଛନ୍ତି।
ଏକ ପ୍ରେସ୍ ବାର୍ତ୍ତାରେ ସେ କହିଛନ୍ତି, ଓଡ଼ିଶା ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ ମୋବସ ତରଫରୁ ସ୍ୱତନ୍ତ୍ର ସଟଲ ବସ ସେବା ଆସନ୍ତା ଗୁରୁବାର ଠାରୁ ଆରମ୍ଭ ହେବ । ଓଡ଼ିଶା ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ ଆର୍ନ୍ତଜାତିକ ବିମାନ ବନ୍ଦର ଏବଂ ଭୁବନେଶ୍ୱର ରେଲୱେ ଷ୍ଟେସନ ଠାରୁ ଏହି ସ୍ୱତନ୍ତ୍ର ବସ ସେବା ଉପଲବ୍ଧ ହେବ । ଏହି ବସ୍ ସେବା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ସହିତ ଯାତ୍ରୀମାନଙ୍କୁ ଯୋଡିବ । ଏହି ସେବା ବ୍ୟବହାର କରି ସେମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବେ।
କଟକ, ଭୁବନେଶ୍ଵର ଏବଂ ଖୋର୍ଦ୍ଧାରେ ମୋ’ ବସ୍ର ଅନୁମୋଦିତ ରୁଟ୍ରେ ଏହି ସେବା ଉପଲବ୍ଧ ହେବ। ଯେଉଁ ଯାତ୍ରୀମାନେ ନିଜସ୍ଵ ଟ୍ୟାକ୍ସି ବ୍ୟବସ୍ଥା ନକରୁଛନ୍ତି ସେମାନଙ୍କ ଲାଗି ବିଶେଷକରି ଏହା ସହାୟକ ହେବ। ବସ୍ ସେମାନଙ୍କୁ ନେଇ କଟକ, ଭୁବନେଶ୍ଵର ଏବଂ ଖୋର୍ଦ୍ଧାର ବିଭିନ୍ନ ଛକ ସ୍ଥାନରେ ସେମାନଙ୍କୁ ଓହ୍ଲାଇବାର ବ୍ୟବସ୍ଥେ କରିବ। ସେଠାରୁ ଯାତ୍ରୀମାନେ ନିଜସ୍ଵ ବ୍ୟବସ୍ଥା କରିବେ।
ଯାତ୍ରା ସମୟରେ ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକଭାବେ ମାସ୍କ ପିନ୍ଧିବାକୁ ପଡିବ । ନଚେତ ସେ ବସରେ ଯାତ୍ରା କରିବା ପାଇଁ ଅନୁମତି ମିଳିବ ନାହିଁ । ପ୍ରତ୍ୟେକ ବସର ପ୍ରତିଦିନ ନିଃସଂକ୍ରମଣ କରାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ବିଷେଶ ଭୂତାଣୁ ନାଶକ ବିଶୋଧକର ବ୍ୟବହାର କରାଯାଇଛି ।
ଗୁରୁବାର ସନ୍ଧ୍ୟାରେ ବିମାନ ଯୋଗେ ୨୦୦ରୁ ଅଧିକ ଯାତ୍ରୀ ଭୁବନେଶ୍ଵରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।