ଲୋକଙ୍କୁ ମିଳୁନି ଏମ୍‍ଜିନରେଗା ଟଙ୍କା

ଗାଁ ଗହଳର ଲୋକଙ୍କୁ ସର୍ବାଧିକ କାମ ଦେଉଥିବା ଏମ୍‍ଜିନରେଗା ଯୋଜନା ଏବେ ଅର୍ଥାଭାବରୁ ସଙ୍କଟରେ । ଏହାକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ଠିକଣା ଭାବେ ଅର୍ଥ ଯୋଗାଉନାହାନ୍ତି । ରାଜ୍ୟ ସରକାର ଏମ୍‍ଜିନରେଗାରେ କେନ୍ଦ୍ରୀୟ ଅଂଶଧନ ବାବଦରେ ମିଳିବାକୁ ଥିବା ୧୨୦୦ କୋଟି ଟଙ୍କା ପାଇପାରୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ପକ୍ଷରୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟକୁ ଅର୍ଥ ପ୍ରଦାନ ଲାଗି ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ କେନ୍ଦ୍ରରୁ ଏ ନେଇ କୌଣସି ସଙ୍କେତ ମିଳୁନଥିବା ଜଣେ ଅଧିକାରୀ କହିଛନ୍ତି ।

ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କେନ୍ଦ୍ରୀୟ ମନ୍ତ୍ରାଳୟକୁ ପତ୍ର ଲେଖିବା ସହିତ ଯୋଗାଯୋଗରେ ଅଛନ୍ତି । କିନ୍ତୁ ବର୍ଷକୁ ବର୍ଷ ଅର୍ଥ ମିଳିବାରେ ବିଳମ୍ବ ଯୋଗୁଁ ସ୍ଥିତି ବିଗିଡ଼ିବାରେ ଲାଗିଛି । ୨୦୧୭-୧୮ରେ କେନ୍ଦ୍ରୀୟ ବଜେଟ୍‍ରେ ଓଡ଼ିଶା ପାଇଁ ଏମ୍‍ଜିନରେଗାରେ ୨୭୯୮ କୋଟି ୩୭ ଲକ୍ଷ ଟଙ୍କା ବରାଦ ହୋଇଥିବା ବେଳେ ଏଥିରୁ କେନ୍ଦ୍ରୀୟ ଅଂଶଧନ ବାବଦରେ ୨୫୩୪ କୋଟି ୩୮ ଲକ୍ଷ ଟଙ୍କା ମିଳିବା କଥା ।

ହେଲେ ଗତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା କେନ୍ଦ୍ର ସରକାର ୨୧୯୮ କୋଟି ୪୯ ଲକ୍ଷ ଟଙ୍କା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଗତ ଆର୍ଥିକ ବର୍ଷର ବାକିଆ ଥିବା ୩୩୫ କୋଟି ୮୯ ଲକ୍ଷ ଟଙ୍କା ରାଜ୍ୟ ସରକାର ପାଇପାରିନାହାନ୍ତି । ସେହିଭଳି ୨୦୧୮-୧୯ରେ କେନ୍ଦ୍ର ସରକାର ୩୦୫୪ କୋଟି ୫୩ ଲକ୍ଷ ଟଙ୍କାର ଶ୍ରମ ବଜେଟ୍‍କୁ ଅନୁମୋଦନ କରିଥିବା ବେଳେ ଏଥିରେ କେନ୍ଦ୍ରୀୟ ଅଂଶଧନ ବାବଦରେ ରହିଛି ୨୭୬୬ କୋଟି ୩୮ ଲକ୍ଷ ଟଙ୍କା । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏଥିରୁ ୧୮୮୮ କୋଟି ୫୮ ଲକ୍ଷ ଟଙ୍କା ପାଇଛନ୍ତି ।

ପ୍ରତିବର୍ଷ ଏହି ଯୋଜନାରେ କେନ୍ଦ୍ରୀୟ ଅଂଶଧନ ବାବଦ ଅର୍ଥ କମି କମି ଯାଉଛି । ୨୦୧୭-୧୮ ବର୍ଷରେ କେନ୍ଦ୍ର ସରକାର ତାଙ୍କର ଅଂଶଧନ ବାବଦ ଅର୍ଥରୁ ୮୬ ପ୍ରତିଶତ ଦେଇଥିବା ବେଳେ ୨୦୧୮-୧୯ ବର୍ଷରେ ଏହା ୬୮ ପ୍ରତିଶତ ରହିଛି । ଫଳରେ ଏମ୍‍ଜିନରେଗା ଯୋଜନା ଉପରେ ଏହା ଗୁରୁତର ପ୍ରଭାବ ପକାଇଛି ।

ଲୋକଙ୍କୁ କର୍ମ ଯୋଗାଇବା ଲାଗି ରାଜ୍ୟ ସରକାର ତୁରନ୍ତ ଅର୍ଥ ପ୍ରଦାନ ସକାଶେ ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଏମ୍‍ଜିନରେଗା ଯୋଜନାକୁ କାର୍ଯ୍ୟକାରୀ କରିବାର ଠିକଣା ସମୟ ହୋଇଥିବା ବେଳେ କେନ୍ଦ୍ରରୁ କିନ୍ତୁ ଅର୍ଥ ମିଳିପାରୁନାହିଁ । ସ୍ଥିତିକୁ ଦେଖି ରାଜ୍ୟ ସରକାର ଲୋକଙ୍କୁ କାମ ଯୋଗାଇବା ଲାଗି ନିଜସ୍ୱ ପାଣ୍ଠିରୁ ଏ ବାବଦରେ ୩୦୦ କାଟି ଟଙ୍କା ଯୋଗାଇ ଦେଇଛନ୍ତି ।

ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ଅଂଶଧନ ବାବଦରେ ୧୨୧୩ କୋଟି ୬୯ ଲକ୍ଷ ଟଙ୍କା ପାଇପାରୁନଥିବାରୁ ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ଗୁରୁତର ବ୍ୟାହତ ସୃଷ୍ଟି ହେଉଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଥିବା ପରିବାରର ଜୀବିକା ନିର୍ବାହ ପାଇଁ ବର୍ଷକୁ ଅତିକମ୍‍ରେ ୧୦୦ ଦିନର କାମ ଯୋଗାଇ ଦେବା । ହେଲେ କେନ୍ଦ୍ରରୁ ଠିକଣା ସମୟରେ ଅର୍ଥ ମିଳିପାରୁନଥିବାରୁ ଏହି ରୋଜଗାର ଯୋଜନା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । 

Leave a Reply

Your email address will not be published.