ବକ୍ସ ଅଫିସ୍ ଟକ୍କର୍: ମିଶନ୍ ମଙ୍ଗଲ/ବାଟଲା ହାଉସ୍, ରେକର୍ଡ଼ ଭାଙ୍ଗିଲା ‘ମିଶନ୍ ମଙ୍ଗଲ’

ଗୁରୁବାର ଦିନ ସିନେମାଘରକୁ ଆସିଛି ଦୁଇଟି ଜବରଦସ୍ତ ଫିଲ୍ମ ‘ମିଶନ୍ ମଙ୍ଗଲ୍’ ଓ ‘ବାଟଲା ହାଉସ୍’ । ଅଗଷ୍ଟ ୧୫ ଦିନ ରିଲିଜ୍ ହୋଇଥିବା ଏହି ଦୁଇଟି ଫିଲ୍ମ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । ମଲଟି ଷ୍ଟାରର୍ ‘ମିଶନ୍ ମଙ୍ଗଲ୍’ ପ୍ରଥମ ଦିନରେ ୨୯.୧୬ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ ଏହା ଅକ୍ଷୟଙ୍କ ପୂର୍ବ ଅଭିନୀତ ସମସ୍ତ ଫିଲ୍ମର ଫାଷ୍ଟ୍ ଡେ’ କଲେକସନ୍ ରେକର୍ଡ଼ ଭାଙ୍ଗିଦେଇଛି । ମଙ୍ଗଳ ଯାନର ଇତିହାସ ଓ ଏହାର ସଫଳତାର କାହାଣୀ ନେଇଆସିଛି ‘ମିଶନ୍ ମଙ୍ଗଲ୍’ । ପ୍ରଥମ ଦିନରେ ଏହି ଫିଲ୍ମ ମୁମ୍ବାଇରେ ୯ କୋଟି ଟଙ୍କାର ବିଜନେସ୍ କରିଥିବାବେଳେ ମହୀଶୂରରେ ଏହାର ବିଜନେସ୍ ଥିଲା ୧.୫୦ କୋଟି । ଏହା ସହିତ ବେଙ୍ଗାଲୁରୁ, ଗୁଡ଼ଗାଓଁ ଓ ଭୋପାଳରେ ମଧ୍ୟ ଏହାର ଭଲ କଲେକ୍ସନ୍ ହୋଇଛି । ଜଗନ ଶକ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟକୁମାର ସାଇଣ୍ଟିଷ୍ଟ୍ ରାକେଶ ଧୱନଙ୍କ ଭୂମିକାରେ ଅଛନ୍ତି । ଅକ୍ଷୟଙ୍କ ସହିତ ସ୍କ୍ରୀନ୍ ସେୟାର୍ କରିଛନ୍ତି ବିଦ୍ୟା ବାଲାନ୍, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କିର୍ତ୍ତି କୁଲହରି, ନିତ୍ୟା ମେନନ୍ ଓ ସରମନ୍ ଯୋଶୀ ।

ଅନ୍ୟ ପକ୍ଷରେ ଜନଙ୍କ ଅଭିନୀତ ‘ବାଟଲା ହାଉସ୍’ ମଧ୍ୟ ପ୍ରଥମ ଦିନ ଭଲ କଲେକସନ୍ କରିଛି । ଏହାର ଫାଷ୍ଟ୍ ଡେ’ କଲେକସନ୍ ହେଉଛି ୧୪ କୋଟି । ଫିଲ୍ମରେ ଜନଙ୍କ ଆକ୍ସନ୍ ଅଭିନୟ ସହିତ କାହାଣୀ ,ସ୍କ୍ରୀପ୍ଟିଙ୍ଗ୍ ଓ ସିନେମାଟୋଗ୍ରାଫି ଦର୍ଶକଙ୍କ ମନ କିଣିନେଇଛି । ଜନ୍ ଆବ୍ରାହମ୍ ଓ ମୃଣାଳ ଠାକୁରରଙ୍କ ଅଭିନୀତ ଏହି ଫିଲ୍ମର କାହାଣୀ ୨୦୦୮ରେ ହୋଇଥିବା ଫର୍ଜି ଏନକାଉଣ୍ଟରର କାହାଣୀ ଉପରେ ଆଧାରିତ । କାହାଣୀ ଅନୁଯାୟୀ ଜନ୍ ଡିସିପି ସଞ୍ଜିବ କୁମାରଙ୍କ ଭୂମିକାରେ ଅଛନ୍ତି । ତେବେ ଆଗାମୀ ଦିନରେ ଏହି ଦୁଇଟି ଫିଲ୍ମ ମଧ୍ୟରେ ହେବାକୁ ଥିବା ବକ୍ସ ଅଫିସ୍ ଯୁଦ୍ଧ ଦେଖିବା ପାଇଁ ସିନେପ୍ରେମୀ ଉତ୍ସାହିତ ଜଣାପଡ଼ୁଛନ୍ତି ।

Leave a Reply

Your email address will not be published.