#କରୋନା ଆତଙ୍କ: ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ଆକ୍ରାନ୍ତ
ନୂଆଦିଲ୍ଲୀ(ଓଟି): ରାଷ୍ଟ୍ରପତି ଭବନ ପରେ ସମ୍ପ୍ରତି ମନ୍ତ୍ରଣାଳୟରେ ସୃଷ୍ଟି ହୋଇଛି କରୋନା ଆତଙ୍କ। ସୂଚନା ଅନୁସାରେ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ମନ୍ତ୍ରଣାଳୟ ଭବନ (ରାଜୀବ ଗାନ୍ଧୀ ଭବନ) ବାହାରେ କାମ କରନ୍ତି । ମଙ୍ଗଳବାର ଅଧିକାରୀଙ୍କ କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡ଼ିଛି। ଫଳରେ ସମ୍ପୃକ୍ତ ମନ୍ତ୍ରଣାଳୟରେ ଭୟର ବାତ୍ତାବରଣ ଦେଖାଦେଇଛି।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ରାଷ୍ଟ୍ରପତି ଭବନ କ୍ୟାମ୍ପସରେ ରହୁଥିବା ଜଣେ ମହିଳା କରୋନା ସଂକ୍ରମିତ ହୋଇଥିଲେ। ସେ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ କିନ୍ତୁ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତେବେ କ୍ୟାମ୍ପସରେ ରହୁଥିବା ୧୨୫ ପରିବାରକୁ କ୍ଵାରେଣ୍ଟାଇନ୍ ରେ ରଖାଯାଇଛି। ସେହିପରି ଲୋକସଭା ସଚିବାଳୟର ଜଣେ ସୁଇପର ମଧ୍ୟ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଣିପାଗ ବିଭାଗ ମଧ୍ୟ କରୋନା କବଳରୁ ରକ୍ଷା ପାଇପାରି ନାହିଁ। ଏପ୍ରିଲ୍ ୧୭ରେ ପାଣିପାଗ ବିଭାଗରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କର ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ସେବେଠାରୁ ୧୦ ଜଣ କର୍ମଚାରୀ କ୍ଵାରେଣ୍ଟାଇନ୍ରେ ଥିବା ଜଣାପଡ଼ିଛି।