ଗଛମୂଳରେ ମନ୍ତ୍ରୀ: ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ!

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସାମ୍ବିଧାନିକ ଶାସନ କ୍ଷମତା ପାଇଥିବା ରାଜ୍ୟର ମନ୍ତ୍ରୀମାନେ ଏବେ ଆଶଙ୍କିତ ଅବସ୍ଥାରେ। ଆଗକୁ ତାଙ୍କ ପଦବୀ ରହିବ ନା ନାହିଁ, ଯେଉଁ ପ୍ରତିଶୃତି ସେମାନେ କର୍ମୀ, ଅଧିକାରୀ ଓ ବ୍ୟବସାୟୀଙ୍କୁ ଦେଇଛନ୍ତି ତାହା ରକ୍ଷା କରିପାରିବେ କି ନା ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, ଏବେ ସେମାନେ ନା କ୍ଷମତା କେନ୍ଦ୍ର ଆଡ଼କୁ ଯାଇପାରୁଛନ୍ତି ନା କ୍ଷମତା ବ୍ୟବହାର କରିପାରୁଛନ୍ତି!

ଚଳିତ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣକୁ ଅପେକ୍ଷା କରିଛି ରାଜ୍ୟ। ଗଣମାଧ୍ୟମଠାରୁ ଆରମ୍ଭ କରି ରାଜ୍ୟର ପ୍ରମୁଖ ନେତା ଓ ମନ୍ତ୍ରୀମାନେ ଏନେଇ ଚର୍ଚା ଆରମ୍ଭ କରିଦେଲେଣି। ସବୁଠାରୁ ବଡ଼ କଥା ହେଲା ଏହି ଆଶଙ୍କା ଓ ସମ୍ଭାବନା ଗଣିତ ଏତେ ପରିମାଣରେ ରାଜ୍ୟକୁ ଆକ୍ରାନ୍ତ କରିଛି ଯେ, ସେଥିରେ ନା ମନ୍ତ୍ରୀମାନେ ଘରେ ବସିପାରୁଛନ୍ତି ନା ଲୋକସେବା ଭବନର  ସର୍ବୋଚ୍ଚ କ୍ଷମତା ମହଲାରେ। ଏପରିକି ଲୋକସେବା ଭବନରେ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ସୁ ସଜ୍ଜିତ ପ୍ରକୋଷ୍ଠସବୁରେ ମଧ୍ୟ କିଛି ମନ୍ତ୍ରୀଙ୍କୁ ବିକଟାଳ ଶବ୍ଦ ଗୁଞ୍ଜରିତ ହେଉଛି। ଯେଉଁ କୋଠରୀକୁ ସେମାନେ ଏତେ ସୁନ୍ଦର ଭାବେ ସଜାଇଥିଲେ ଆଉ ପୂଜା କରି ପ୍ରବେଶ କରିଥିଲେ ତାହା କାଳେ ଅଶୁଭ ହୋଇଯିବ ସେହି ଆଶଙ୍କାରେ ଏବେ ଗଛମୂଳରେ ମନ୍ତ୍ରୀଙ୍କୁ ଠିଆ ହୋଇ ଚର୍ଚା କରୁଥିବା ଦେଖା ଯାଇଛି।

ଏହି ଗଛମୂଳ କହିଲେ ରାଜ୍ୟ ଗଣମାଧ୍ୟମ ସ୍ଵାଧୀନତାର ପ୍ରତୀକ ବୋଲି ପରିଚିତ ହୋଇଥିବା ଜୟଦେବ ଭବନ ପାଖ ଫ୍ରୀଡମ୍‌ ଟ୍ରୀ’ କଥା ବୁଝିବାକୁ ହେବ। ଏବେ ଲୋକସେବା ଭବନରେ ସାମ୍ବାଦିକଙ୍କ ପ୍ରବେଶ କଟକଣା ରହିଥିବାରୁ ଅଧିକାଂଶ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ତଥା ଟିଭି କ୍ୟାମେରା ଟିମ୍‌ ଏହିଠାରେ ବସି ରହି କ୍ଷମତାକେନ୍ଦ୍ରର ବିଭିନ୍ନ ପଦକ୍ଷେପକୁ  ଅପେକ୍ଷା କରୁଛନ୍ତି। ବିଭିନ୍ନ ସୂତ୍ରରୁ ଏହିଠାରେ ପ୍ରଥମେ ଖବର ପହଞ୍ଚୁଥିବାରୁ ଏହି ମନ୍ତ୍ରୀମାନେ ମଧ୍ୟ ଫ୍ରୀଡମ୍‌ ଟ୍ରୀ’ ମୂଳକୁ ନିଜ ଭବିଷ୍ୟତର ସାକ୍ଷୀ ହେବାକୁ ବାଛିଛନ୍ତି। ସେମାନଙ୍କ ବାବଦରେ କ୍ଷମତା ମହଲା  କି ନିଷ୍ପତ୍ତି ନେଉଛି ତାହାକୁ ଜାଣିବା ପାଇଁ ସାମ୍ବାଦିକଙ୍କୁ ମଧ୍ୟ ପ୍ରଶ୍ନ ପଚାରିବାରେ ଲାଗିଛନ୍ତି।

ଖବର ନେବାରେ ଜଣାପଡ଼ିଛି ଯେ, ଏବେ ମନ୍ତ୍ରୀମାନଙ୍କୁ ମନ୍ତ୍ରୀମଣ୍ଡଳ ମୁଖ୍ୟ ତଥା  ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବାରେ ବାରଣ ଲଗାଯାଇଛି। କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଠିକ୍‌ ସେହିପରି ଲୋକସେବା ଭବନର ପ୍ରଥମ ଓ ଦ୍ଵିତୀୟ ମହଲା ଛାଡ଼ିଦେଲେ ସେମାନଙ୍କର ଯେଉଁ ଅବାଧ ପ୍ରବେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା କ୍ଷମତା ମହଲାରେ ଥିଲା ତାହା ବି ସଙ୍କୁଚିତ ହୋଇଛି। ଅର୍ଥାତ୍‌ ନିଜ ପାଇଁ ଲବି କରିବା ତଥା ନିଜର କୁର୍ସି ବଞ୍ଚାଇବା ଲାଗି ଅଧିକାରୀ ଓ ଅନ୍ୟ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଉପରେ ପ୍ରଭାବ ବିସ୍ତାର  କରିବା କାର୍ଯ୍ୟ ଏକ ପ୍ରକାର ନିଷିଦ୍ଧ କରାଯାଇଛି। ଏଣୁ କୌଣସି ବାଟ ନପାଇ ଏ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ନିର୍ଭର କରୁଛନ୍ତି ନେତା ଓ କାର୍ଯ୍ୟରତ ମନ୍ତ୍ରୀ।

ମନ୍ତ୍ରୀମାନଙ୍କ ଏପରି ବିବସ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା କଥା। କିନ୍ତୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ଥିବା ମନ୍ତ୍ରିମଣ୍ଡଳ ଯେ, ବାସ୍ତବରେ ନବୀନଙ୍କ ଇଙ୍ଗିତରେ ପରିଚାଳିତ ତାହା ଆଉଥରେ ପ୍ରମାଣିତ ହେବାକୁ ଯାଉଛି।

Leave a Reply

Your email address will not be published.

%d bloggers like this: