‘ବୈଜୟନ୍ତଙ୍କୁ ଭୋଟ ଦିଅ ପଛେ ମୋତେ ଛାଡ଼ ନାହିଁ’
ଉେତ୍ତଜିତ ଲୋକଙ୍କୁ ବିନତୀ ହେଲେ ପ୍ରତାପ
କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ମାହଙ୍ଗା ବିଧାନସଭା କ୍ଷେତ୍ରରେ ନିଜ ସପକ୍ଷରେ ଅଧିକ ଭୋଟ ହାତେଇବା ପାଇଁ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ପ୍ରତାପ ଜେନା କରିଥିବା ଉଦ୍ୟମ ଫସର ଫାଟିଯାଇଛି। ଗତ ସୋମବାର ଦିନ ନିଜ ନିର୍ବାଚନ ମଣ୍ଡଳୀର ଗୌଡପଡ଼ାଠାରେ ଦଳ ପକ୍ଷରୁ ଆୟୋଜନ ହୋଇଥିବା ଏକ ବିଶାଳ ଜନସଭାରେ ପ୍ରାର୍ଥୀ ହୋଇଥିବା ମନ୍ତ୍ରୀ ଜନଆକ୍ରୋଶର ଶିକାର ହୋଇଛନ୍ତି। ଘୋଷଣା ଅନୁଯାୟୀ ଦଳର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ ସଭାରେ ମୁଖ୍ୟ ଆକର୍ଷକ ଥିଲେ। ସନ୍ଧ୍ୟା ୬ରୁ ରାତି ସାଢ଼େ ୯ଟା ମଧ୍ୟରେ ଉଭୟ ପ୍ରାର୍ଥୀ ଓ ଅଭିନେତ୍ରୀ ସଭାମଞ୍ଚଳରେ ନପହଞ୍ଚିବାରୁ ସେଠାରେ ହୋଇଥିବା ପରିସ୍ଥିତିରେ ବାଧ୍ୟହୋଇ ମନ୍ତ୍ରୀ ବିକ୍ଷୁବ୍ଧ ଭୋଟରଙ୍କୁ ବୈଜୟନ୍ତ ପଣ୍ଡାଙ୍କୁ ଭୋଟ ଦିଅ ପଛେ ମୋତେ ଆପଣମାନେ ଭୋଟ ଖଣ୍ଡେ ଦେବାକୁ ଏହି ସଭାରେ ନିବେଦନ କରିଥିଲେ।
ସୋମବାର ସନ୍ଧ୍ୟା ୬ଟାରେ ଗୌଡ଼ପଡ଼ାଠାରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସମାବେଶ ପାଇଁ ବ୍ୟାପକ ପ୍ରଚାର କରାଯାଇଥିଲା। ଏହି ସଭାରେ ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆକର୍ଷଣ ଦେଖାଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଗାଡ଼ି ମୋଟରରେ ଲୋକ ବୁହାହୋଇ ଆସିଥିଲେ। ବିଳମ୍ୱ ହେବାରୁ ମାଇକ ଯୋଗେ ଏବେ ଆସୁଛନ୍ତି ଟିକିଏ ପରେ ପହଞ୍ଚିବେ କହି ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସଭାରେ ନେତାଙ୍କୁ ସାନ୍ତ୍ୱନା ଦିଆଯାଇଥିଲା। ବାରମ୍ୱାର ଯୋଗାଯୋଗ ସତ୍ତ୍ୱେ ଅନୁଭବ, ବର୍ଷା ଫୋନ ଉଠାଉ ନଥିବା ଖବର ସେଠାରେ ପ୍ରଚାର ହେବାପରେ ଗଣ୍ଡଗୋଳ ଘଟିଥିଲା।
ସଭା ମଞ୍ଚଉପରକୁ କେତେକ କର୍ମୀ ବିଜେଡିକୁ ଭୋଟ ଦେବୁ ନାହିଁ ବୋଲି ସିଧାସଳଖ ମାଇକରେ ଘୋଷଣା କରିଥିଲେ। ମଞ୍ଚ ଉପରେ ମନ୍ତ୍ରୀ ଶ୍ରୀ ଜେନା ଏହି ୨ନେତାଙ୍କ ଅନୁପସ୍ଥିତ ପାଇଁ କ୍ଷମା ମାଗିଥିଲେ। ବୈଜୟନ୍ତ ପଣ୍ଡାଙ୍କୁ ଭୋଟ ଦିଅ ପଛେ ମୋ ପ୍ରତି ସମର୍ଥନ ଜାରି ରଖିବାକୁ ସଭା ମଞ୍ଚରେ ଗୁହାରି କରିଥିଲେ।
ଏଠାରେ ଉଲ୍ଲେଖଥାଉ କି, ପ୍ରାର୍ଥିପତ୍ର ଦିନଠାରୁ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ବିଧାୟକ ପ୍ରାର୍ଥୀଙ୍କ ସହ କୌଣସି ସମ୍ପର୍କ ରଖି ନାହାନ୍ତି। ଶଶୀ ବେହେରାଙ୍କ ର୍ୟାଲିରେ ମିଶି ପ୍ରାର୍ଥିପତ୍ର ଦାଖଲ କରିଥିବା ଅନୁଭବ ସେହିଦିନ କୌଣସି ବିଧାୟକ ପ୍ରାର୍ଥୀଙ୍କୁ ଡାକିନାହାନ୍ତି ବୋଲି ଗୌଡ଼ପଡ଼ାରେ ପ୍ରାର୍ଥୀ ହୋଇଥିବା ମନ୍ତ୍ରୀ ସମର୍ଥକଙ୍କୁ ସୂଚନା ଦେଇଥିଲେ।
ଏପରିକି ଏହି ଆଲୋଚନା ଆସିବା ପରେ ସାଂସଦ ପ୍ରାର୍ଥୀ ଅନୁଭବ ଖୋଲାଖୋଲି ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁଭବଙ୍କ ସହ ସୁନିତା ବିଶ୍ୱାଳ ଓ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରକାର ନିର୍ବାଚନ ଖର୍ଚ୍ଚ ବିଧାନସଭା ପ୍ରାର୍ଥୀମାନେ ତାଙ୍କ ପାଇଁ କରୁନାହାନ୍ତି। ଏଥିପାଇଁ ବୁଧବାର ଦିନ ମଧ୍ୟ କଂସାରଠାରେ ଆୟୋଜିତ ନିର୍ବାଚନୀ ସଭାରେ ଅନୁଭବ ନଆସିବାରୁ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ାରେ ବିଜଦର ଗୋଡ ତଳରୁ ଆହୁରି ତଳକୁ ଯାଉଛି ଓ ବିଜେପିର ଜୟଯାତ୍ରା ସୁନିଶ୍ଚିତ ବୋଲି ଜୋରଦାର ଆଲୋଚନା ଚାଲିଛି।