ସଙ୍କଟରେ ଖଣି ନିଲାମ ପ୍ରକ୍ରିୟା
ଖଣି ନିଲାମ ସହିତ ଅଧିକ ରାଜସ୍ୱ ସଂଗ୍ରହ ନିମନ୍ତେ ରାଜ୍ୟ ସରକାର ଆତୁର ଅଛନ୍ତି। ଏହି କାମକୁ ଆଗେଇନେବା ପାଇଁ ରାଜ୍ୟ ଭୂତତ୍ତ୍ୱ ନିର୍ଦ୍ଦେଶାଳୟରେ ଆବଶ୍ୟକୀୟ କର୍ମଚାରୀ ନାହାଁନ୍ତି। ଫଳରେ ଖଣି ନିଲାମ ପ୍ରକ୍ରିୟା ଏବେ ସଙ୍କଟରେ ପଡିଛି।
ଖଣିଜ ଅନୁସନ୍ଧାନ ପ୍ରକ୍ରିୟା ଦ୍ୱାରା ହିଁ ନୂତନ ଖଣିର ଆବିଷ୍କାର ହୋଇଥାଏ। ଖଣିଜ ସମ୍ପଦର ପରିମାଣ ଆକଳନ କରି ଏହି ବିଭାଗର ଭୂତତ୍ତ୍ୱବିତମାନେ ସଂପୃକ୍ତ ଅଞ୍ଚଳରେ କେତେ ଖଣିଜ ପଦାର୍ଥ ମହଜୁଦ୍ ରହିଛି ତାହା ସରକାରଙ୍କୁ ଜଣାଇଥାନ୍ତି। କିନ୍ତୁ ରାଜ୍ୟ ଭୂତତ୍ତ୍ୱ ନିର୍ଦ୍ଦେଶାଳୟରେ ବର୍ଷ ବର୍ଷ ଧରି ବହୁ ସଂଖ୍ୟାରେ ପଦବୀ ଖାଲି ପଡିଥିବା ଯୋଗୁଁ ଖଣିଜ ପଦାର୍ଥର ସଠିକ୍ ଆକଳନ ହୋଇପାରୁନାହିଁ।
ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନିର୍ଦ୍ଦେଶକ ପଦବୀ ସହିତ ଦୁଇଟି ଅତିରିକ୍ତ ନିର୍ଦ୍ଦେଶକ ପଦବୀ ମାସ ମାସ ଧରି ଖାଲିରହିଛି। ସେହିପରି ନିର୍ଦ୍ଦେଶାଳୟରେ ମୋଟ ୯ଟି ଯୁଗ୍ମ ନିର୍ଦ୍ଦେଶକ ପଦବୀରୁ ମାତ୍ର ୩ଟିରେ ଅଧିକାରୀ ଥିବାବେଳେ ବାକି ୬ଟି ପଦବୀରେ ଅଧିକାରୀ ନାହାଁନ୍ତି। ଫଳରେ ନିର୍ଦ୍ଦେଶାଳୟ ଅଧୀନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ୬ଟି ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ରହିଛି। ୫ଟିରେ ମୁଖ୍ୟ ଅଧିକାରୀ ନାହାଁନ୍ତି।
ସ୍ୱଳ୍ପ ଅଭିଜ୍ଞତା ଥିବା କର୍ମଚାରୀମାନଙ୍କୁ ଏହି ସବୁ ଆଞ୍ଚଳିକ କାର୍ଯ୍ୟାଳୟର ଦାୟିତ୍ୱ ସାମୟିକ ଦିଆଯାଇ ଖଣିଜ ଅନୁସନ୍ଧାନ କାମଚଳା ଭାବେ ଚାଲିଛି। କୋରାପୁଟ ଆଞ୍ଚଳିକ ଭୂତତ୍ତ୍ୱ ଆଞ୍ଚଳିକ କାର୍ଯ୍ୟାଳୟରେ ମାତ୍ର ୩ ଜଣ କାର୍ଯ୍ୟରତ ଥିବାବେଳେ ମାତ୍ର ୫ ବର୍ଷରୁ କମ୍ ଅଭିଜ୍ଞତା ଥିବା ଜଣେ ଭୂତତ୍ତ୍ୱବିତ୍ଙ୍କୁ ଯୁଗ୍ମ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି।
ନିର୍ଦ୍ଦେଶାଳୟର ସର୍ବମୋଟ ପଦବୀ ୬୪୪ଟି ହୋଇଥିବାବେଳେ ସେଥିରୁ ୪୦୦ଟି ପଦବୀ ଖାଲି ପଡିଛି। ଗ୍ରୁପ୍ ଏ’ରେ ୨୧୨ଟି ପଦବୀରେ ମାତ୍ର ୫୩ ଜଣ ଥିବାବେଳେ ଗ୍ରୁପ୍ ବି’ର ୧୫୬ ପଦବୀରୁ ମାତ୍ର ୬୫ଜଣ କାର୍ଯ୍ୟ କରୁଛନ୍ତି। ଗ୍ରୁପ ସି’ର ୨୧୮ରୁ ୮୨ ଓ ଡି’ର ୫୮ ରୁ ୪୦ ଜଣ କର୍ମଚାରୀ ଅଛନ୍ତି। ଏତେସଂଖ୍ୟକ ପଦବୀ ଖାଲି ପଡିଥିବାରୁ ନିଦ୍ଦେର୍ଶାଳୟର ଖଣିଜ ଅନୁସନ୍ଧାନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ନିଲାମ ହେବା ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଖଣି ଆବିଷ୍କୃତ ହୋଇପାରୁନାହିଁ।
୨୦୧୫ ମସିହାଠାରୁ ଖଣି ନିଲାମ ସକାଶେ ନୀତି ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ୪ ବର୍ଷ ମଧ୍ୟରେ ମାତ୍ର ୫ଟି ଖଣି ନିଲାମ ହୋଇଛି। ୨୦୨୦ ମସିହାରେ ୨୪ଟି ଖଣିର ଅବଧି ସରୁଥିବାବେଳେ ତାହାର ଅନୁସନ୍ଧାନ କାମ ଘରୋଇ ମାଲିକଙ୍କ ହାତରେ କରାଯାଇ ଭୁଲ୍ଭଟକା ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସରକାର ଉପଯୁକ୍ତ ପଦବୀରେ ସଠିକ୍ ଲୋକଙ୍କୁ ନିଯୁକ୍ତି ଦେଉନଥିବାରୁ ସରକାରଙ୍କ ଖଣି ନିଲାମ ସହିତ ରାଜସ୍ୱ ଆଦାୟ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।