ପୁଲ୍‌ୱାମା ଆତଙ୍କୀ ଆକ୍ରମଣ: ଦୋମୁହାଁ ନୀତିରେ ପୂର୍ଣ୍ଣଚ୍ଛେଦ

ଦତ୍ତାତ୍ରେନାୟକ
ଛାତ୍ର, ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ ସମ୍ପୃକ୍ତ ଆଲେଖ୍ୟରେ ପ୍ରତିଫଳିତ ମତାମତ ଲେଖକଙ୍କ ନିଜସ୍ଵ।

ଜମ୍ମୁକାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ସିଆର୍‌ପିଏଫ୍‌ ଯବାନ ସହିଦ ଘଟଣା ଦେଶରେ ବେଶ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସାରା ଦେଶରେ ପଡ଼ିଶା ଦେଶ ପାକିସ୍ଥାନ ପ୍ରତି ଘୃଣା ଓ କ୍ରୋଧ ବଢିବାରେ ଲାଗିଛି । ଏମିତି  ସ୍ଥିତିରେ ଆତଙ୍କୀ ସଂଗଠନ ପ୍ରତି ପାକିସ୍ତାନର କୋହଳ ମନୋଭାବ ଓ ପ୍ରୋତ୍ସାହନ ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ସଂପର୍କକୁ ଆହୁରି ଖରାପ କରିଛି । ପୁଲୱାମା ଘଟଣାକୁ ୨୪ଘଣ୍ଟା ନ ପୂରୁଣୁ ମୋଦି ସରକାର ପାକିସ୍ତାନ ବିରୋଧରେ ଏକ ଦୃଢ ପଦେକ୍ଷପ ନେଇଛନ୍ତି । ଭାରତ ବିଶ୍ୱ ବାଣିଜ୍ୟ ସଂଘ(ଡବ୍ଲୁଟିଓ) ଦ୍ୱାରା ଅନୁବନ୍ଧିତ ହୋଇଥିବାରୁ ୧୯୯୬ ମସିହାରୁ ପ୍ରାୟ ସବୁ ଦେଶକୁ ସର୍ବାଧିକ ଅନୁଗୃହୀତ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିଛି । ଏହି କ୍ରମରେ ପାକିସ୍ତାନକୁ ମଧ୍ୟ ସର୍ବାଧିକ ଅନୁଗୃହୀତ ରାଷ୍ଟ୍ରର ମାନ୍ୟତା(ଏମ୍ଏଫ୍ଏନ୍) ଦେଇଥିଲା । ମାତ୍ର ପୁଲୱାମା ଘଟଣା ପରେ ଭାରତ ପାକିସ୍ତାନଠାରୁ ଏହି ମାନ୍ୟତା ହଟାଇ ନେଇଛି ।

ଏମ୍‌ଏଫ୍‌ଏନ୍‌ କ’ଣ

ବିଶ୍ୱ ବାଣିଜ୍ୟ ସଂଘରେ ଅନୁବନ୍ଧିତ ଥିବା ପ୍ରାୟ ସମସ୍ତ ଦେଶ ପରସ୍ପରକୁ ଏହି ମାନ୍ୟତା ପ୍ରଦାନ କରନ୍ତି । ବାଣିଜ୍ୟ କ୍ଷେତ୍ରରେ ପରସ୍ପର ସହଯୋଗୀ ମନୋଭାବ ରଖିବା ସହ ନିରପେକ୍ଷ ବାଣିଜ୍ୟକୁ ପ୍ର୍ରୋତ୍ସାହନ ଦେବା ଏହି ମାନ୍ୟତାର ମୂଳ ଉଦ୍ଦେଶ୍ୟ । ମନେକର କୌଣସି ଅନୁବନ୍ଧିତ ଦେଶ ଅନ୍ୟ ଏକ ଅନୁବନ୍ଧିତ ଦେଶକୁ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଆମଦାନୀ ଉପରେ ଶୁଳ୍କଛାଡକୁ ପ୍ରୋତ୍ସାହନ ଦେଉଛି, ତେବେ ଅନ୍ୟ  ଅନୁବନ୍ଧିତ ଦେଶକୁ ମଧ୍ୟ ସମାନ ପରିମାଣର ଶୁଳ୍କ ଛାଡ କରିବା ଏକପ୍ରକାର ବାଧ୍ୟ । ମାତ୍ର ଏମ୍ଏଫ୍ଏନ୍ର ଉଚ୍ଛେଦ ପରେ ଶୁଳ୍କ ଛାଡ କରିବା ବାଧ୍ୟତାମୂଳକ ନୁହେଁ । ଭାରତ ଧାରା ୨୧(ଖ) ସେକ୍ସନ୍ ‘ସି’ ଆଧାରରେ ପାକିସ୍ତାନକୁ ଏହି ମାନ୍ୟତା ତାଲିକାରୁ କାଢି ଦେଇଛି ।

ଭାରତ-ପାକ୍‌ ବାଣିଜ୍ୟିକ ସମ୍ପର୍କ

ପୂର୍ବ ଦିନଗୁଡି଼କରେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ପ୍ରକ୍ରିୟା ଏତେଟା ଭଲ ନଥିଲା । ଉଭୟଙ୍କ ମଧ୍ୟରେ ହେଉଥିବା ବାଣିଜ୍ୟ କାରବାର ସିଧାସଳଖ ନହୋଇ ୟୁନାଇଟେଡ୍ ଆରବ ଏମିରେଟ୍ସ(ୟୁଏଇ) ଭଳି ଦେଶର ମଧ୍ୟସ୍ଥତାରେ ଚାଲିଛି । ଏହା ଦର୍ଶାଉଛି ଯେ, ଉଭୟ ଦେଶ ମଧ୍ୟରେ ବିଶ୍ୱାସ ଜନ୍ମିବା ସମ୍ଭବପର ହେଉନାହିଁ । ଏପରିକି ପାକିସ୍ତାନ କେବଳ ୧୩୮ଟି ଦ୍ରବ୍ୟ ଅଟାରୀ-ୱାଘା ସ୍ଥଳଭାଗଦେଇ ଆମଦାନି କରୁଛି । ଏହାବ୍ୟତୀତ ଉଭୟ ଦେଶ ସମୟ ସମୟରେ କିଛି ସମ୍ବେଦନଶୀଳ ଦ୍ରବ୍ୟର ତାଲିକା ପ୍ରକାଶ କରି ଆସିଛନ୍ତି, ଯାହା ଉପରେ କୌଣସି ଶୁଳ୍କଛାଡ ଦିଆଯାଉନାହିଁ ।

ହେଲେ ଏମ୍‌ଏଫ୍‌ଏନ୍‌ ମାନ୍ୟତା ହଟାଇବା ପରେ ବ୍ୟାପାର ଅଧିକ ଜଟିଳ ହୋଇଛି । କାରଣ ପାକିସ୍ତାନକୁ ରପ୍ତାନି ହେଉଥିବା ଦ୍ରବ୍ୟ ଉପରେ ଭାରତ ଅଧିକ ଶୁଳ୍କ ଲାଗୁ କରିବାରେ ଡବ୍ଲୁଟିଓର କୌଣସି କଟକଣା ରହିବ ନାହିଁ । ତେଣୁ ଭାରତ ଏମ୍ଏଫ୍ଏନ୍ ମାନ୍ୟତା ହଟାଇ ଏବେ ପାକିସ୍ତାନକୁ ରପ୍ତାନୀ ହେଉଥିବା ଦ୍ରବ୍ୟ ଉପରେ ଅଧିକ ଶୁଳ୍କ ଲାଗୁ କରିଛି । ଗତ ୧୫ ତାରିଖରେ ସରକାରଙ୍କ ଘୋଷଣା ଅନୁଯାୟୀ ପାକିସ୍ତାନ ରପ୍ତାନି କରୁଥିବା ସବୁ ପ୍ରକାର ସାମଗ୍ରୀ ଉପରେ ୨୦୦ ପ୍ରତିଶତର ସୀମା ଶୁଳ୍କ ଲାଗୁ କରିଛି ।

ଭାରତର ସମ୍ବେଦନଶୀଳ ଦ୍ରବ୍ୟ ତାଲିକାରେ ୬୧୪ଟି ଦ୍ରବ୍ୟକୁ ସାମିଲ କରିଥିବା ବେଳେ ପାକିସ୍ତାନ୯୩୬ଟି ଦ୍ରବ୍ୟକୁ ସାମିଲ କରିଛି । ଦୀର୍ଘଦିନ ଧରି ପାକିସ୍ତାନ ଏକ ନକରାତ୍ମକ ତାଲିକା ମଧ୍ୟ ପ୍ରକାଶ କରିଆସୁଛି, ଯାହା ଫଳରେ ପାକିସ୍ତାନକୁ ୧୨୦୯ଟି ଦ୍ରବ୍ୟର ଆମଦାନି ଓ ରପ୍ତାନିରେ ରୋକ ଲାଗିଛି । ସ୍ଥିତିକୁ ଅନୁଧ୍ୟାନ କଲେ ସହଜରେ ଅନୁମାନ କରାଯାଇପାରୁଛି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବାଣିଜ୍ୟ କାରବାର ଏକ ଔପଚାରିକତା ମାତ୍ର । ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୨.୪ ବିଲିଅନ୍ ସ୍ତରରେ ରହିଛି । ଭାରତ ପାକିସ୍ତାନ ସହ କରୁଥିବା ବାଣିଜ୍ୟ କାରବାର ପରିମାଣ ଚିଲି ଓ ବାଂଲାଦେଶଠାରୁ ମଧ୍ୟ କମ୍ ।

କ’ଣ ଆସେ ଆଉ ଯାଏ

ପାକିସ୍ତାନଠାରୁ ଭାରତ ସତେଜ ଫଳ, ସିମେଣ୍ଟ, ଚମଡା ଭଳି ଖୁବ୍ କମ୍ ଦ୍ରବ୍ୟ ଏବଂ ଖୁବ୍ କମ୍ ପରିମାଣରେ ଆମଦାନି କରିଥାଏ । ଭାରତର ବାର୍ଷିକ ରପ୍ତାନି ପରିମାଣ ୩୦୩ ବିଲିୟନ୍ ଡଲାରରୁ ଊଦ୍ଧ୍ୱର୍ ହୋଇଥିବା ବେଳେ ପାକିସ୍ତାନର ବାର୍ଷିକ ରପ୍ତାନି ୨୭ ବିଲିୟନ୍ରୁ ମଧ୍ୟ କମ୍ । ତେଣୁ ଭାରତ ପାକିସ୍ତାନ ସହ ବାଣିଜ୍ୟ କାରବାର ତୁଟାଇବା ଦ୍ୱାରା ପାକିସ୍ତାନ ହିଁ କ୍ଷତିଗ୍ରସ୍ତ ହେବ । ଭାରତ ଉପରେ ଏହାର ସାମାନ୍ୟ ପ୍ରଭାବ ପଡି଼ବ । ମାତ୍ର ଭାରତ ଏକ ବୃହତ ବଜାର ହୋଇଥିବାରୁ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

ପ୍ରଭାବ

ଅପରପକ୍ଷରେ ପାକିସ୍ତାନ ଏକ ବଡ଼ ଅର୍ଥନୈତିକ ବଜାରକୁ ହରାଇବ । ଯାହାର ପ୍ରଭାବ ଛୋଟ ବ୍ୟବସାୟୀଙ୍କ କ୍ଷେତ୍ରରେ ଅଧିକ ଦେଖାଯିବ । ଛୋଟ ବ୍ୟବସାୟୀମାନେ ପାଖ ଦେଶରୁ ଦ୍ରବ୍ୟ ଆଣି ସହଜରେ ବ୍ୟବସାୟ କରିପାରୁଥିଲେ । ଏହା ଆଉ ଏବେ ସମ୍ଭବ ହେବ ନାହିଁ ।

କୂଟନୀତି

ଭାରତ ଏମ୍ଏଫ୍ଏନ୍ ମାନ୍ୟତା ଛଡାଇ ପାକିସ୍ତାନକୁ ଅର୍ଥନୈତିକ ସ୍ତରରେ ପରାସ୍ତ କରିବାକୁ ଉଦ୍ୟମ କରିଛି । ଏହାସହ ଭାରତର ଏହି ନିଷ୍ପତ୍ତି କୂଟନୈତିକ ସ୍ତରରେ ଏକ ବଡ ବିଜୟ ବୋଲି କୁହାଯାଇପାରେ । ଏହି ପଦକ୍ଷପେ ନେଇ ଭାରତ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ଏହାସହ ବିଶ୍ୱର ଏଧିକାଂଶ ପ୍ରଭାବଶାଳୀ ଦେଶ ଭାରତକୁ ନୈତିକ ସମର୍ଥନ ଦେବାସହ ପାକିସ୍ତାନକୁ ନିନ୍ଦା କରୁଛନ୍ତି ।

ଭାରତ ପାକିସ୍ତାନ ବିପକ୍ଷରେ ଏଭଳି ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛି, ଯାହା ପାକିସ୍ତାନର ଉଭୟ ରାଜନୈତିକ ଓ ଅର୍ଥନୈତିକ ସ୍ଥିତିକୁ ବିଗାଡି ଦେଇପାରେ । ଏହାଛଡା ଭାରତର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଏବେ ସାକ୍ଷୀ ପ୍ରମାଣ ଯୋଗାଡରେ ଲାଗିପଡିଛନ୍ତି । କାରଣ ଭାରତ ଏ ସବୁକୁ ଅସ୍ତ୍ର କରି ଫାଇନାନ୍ସିଆଲ୍ ଆକ୍ସନ୍ ଟ୍ୟାକ୍ସ ଫୋର୍ସରେ ନିଜ ଦାବି ଉପସ୍ଥାପିତ କରିବାକୁ ଚାହୁଁଛି । ଆତଙ୍କବାଦୀ ସଂଗଠନର କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଏହି ସଂସ୍ଥାକୁ ସନ୍ତୁଷ୍ଟ କରିପାରିଲେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବା ସହଜ ହୋଇପାରିବ ।

ଗୋପନୀୟତା ପାଣିଫାଟ୍‌ 

http://odishatime.com/right-to-privacy-and-it-act-2000/

ସରକାରୀ ସେବକ ବନାମ ଜଗନ୍ନାଥଙ୍କ ସେବକ 

http://odishatime.com/administration-fails-to-manage-jagannath-temple-properly/

ଅନେକ ’ପିପିଲି’ ଅପେକ୍ଷାରତ 

http://odishatime.com/how-can-i-be-confident-on-the-state/

Leave a Reply

Your email address will not be published. Required fields are marked *