ଏପ୍ରିଲ ପହିଲାରୁ ୪ ନୂଆ ବ୍ୟାଙ୍କ
ନୂଆଦିଲ୍ଲୀ (ଓଟି): ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏହି ମିଶ୍ରଣ ପ୍ରକ୍ରିୟା ସମ୍ପର୍କିତ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସହିତ ଆସନ୍ତା ଏପ୍ରିଲ ୧ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯିବ। ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ଟି ଶକ୍ତିଶାଳୀ ବ୍ୟାଙ୍କ ଭାବେ ପ୍ରତିଷ୍ଠା କରିବାକୁ ଗତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ବେଳେ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ସମୟ ଲାଗିଥିଲା । ଏହାବ୍ୟତୀତ ବ୍ୟାଙ୍କ ମିଶ୍ରଣକୁ ପ୍ରାଥମିକ ସ୍ତରରେ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ବିରୋଧ ମଧ୍ୟ କରାଯାଇଥିଲା । ତେବେ ମିଶ୍ରଣ ପ୍ରକ୍ରିୟା ପ୍ରାୟ ଚୂଡ଼ାନ୍ତ ହୋଇଥିବା ବେଳେ ଏପ୍ରିଲ ୧ରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ପ୍ରକାଶ କରିଛନ୍ତି । ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଭାବେ ସଂଯୋଗ ରକ୍ଷା କରାଯାଇଛି ଏବଂ ନିୟାମକ ବ୍ୟବସ୍ଥାକୁ ନେଇ ମଧ୍ୟ କୌଣସି ସମସ୍ୟା ନାହିଁ । ଏହାବ୍ୟତୀତ ମିଶ୍ରଣ ପ୍ରକ୍ରିୟାକୁ ନେଇ କୌଣସି ଦ୍ୱନ୍ଦ୍ୱ ନଥିବା ବେଳେ ବିଭିନ୍ନ ବ୍ୟାଙ୍କର ପରିଚାଳନା ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇସାରିଛି ବୋଲି ସୀତାରମଣ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସେଗୁଡିକୁ ବିଶ୍ୱସ୍ତରୀୟ ବ୍ୟାଙ୍କ ଭାବେ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ମାସରେ ୪ଟି ପ୍ରମୁଖ ବ୍ୟାଙ୍କିଙ୍ଗ ଉଦ୍ୟୋଗ ସହ ଅନ୍ୟ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ପାଇଁ ଘୋଷଣା କରିଥିଲେ । ୨୦୧୭ ମସିହା ସୁଦ୍ଧା ଦେଶର ମୋଟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୨୭ ରହିଥିଲା ବେଳେ ଏହାକୁ ୧୨କୁ ହ୍ରାସ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍ବି) ସହ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସର ମିଶ୍ରଣ ପାଇଁ ଘୋଷଣା କରାଯାଇଥିଲା ବେଳେ କାନାରା ବ୍ୟାଙ୍କ ସହିତ ସିଣ୍ଡିକେଟ୍ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ସହ ଆହ୍ଲାବାଦ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ପାଇଁ ଘୋଷଣା କରାଯାଇଥିଲା । ପୂର୍ବରୁ ବ୍ୟାଙ୍କ ଅଫ୍ ବରୋଦା ସହିତ ଅନ୍ୟ ଦୁଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କର ମିଶ୍ରଣ ହୋଇସାରିଛି ।