#କୋଭିଡ୍-୧୯: ଅର୍ଡର କରନ୍ତୁ, ଘରକୁ ଆସିବ ଔଷଧ
ଭୁବନେଶ୍ୱର(ଓଟି): ଏଣିକି ରାଜ୍ୟ ରାଜଧାନୀର ଘର ଦୁଆର ପାଖରେ ପହଞ୍ଚିବ ଆବଶ୍ୟକ ଔଷଧ। ଘରେ ରହି ଅନଲାଇନ୍ ଅର୍ଡର କଲେ ଏଭଳି ସୁବିଧା ଯୋଗାଇବ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ଏନେଇ ପକ୍ଷରୁ ରାଜଧାନୀରେ ୧୨୧ଟି ଔଷଧ ଦୋକାନ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଏଣିକି ଅନ୍ଲାଇନ୍ରେ ବୁକିଂ କଲେ ଔଷଧ ଘରେ ପହଞ୍ଚିବ। ଏଥିପାଇଁ ପ୍ରତି ଥାନା ଅଧୀନରେ ଅତିକମ୍ରେ ୬ଟି ଔଷଧ ଦୋକାନ ସାମିଲ୍ କରାଯାଇଛି। ଗୁରୁବାରଠାରୁ ଏହି ସୁବିଧା ମିଳିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। କରୋନା ମହାମାରୀ ପାଇଁ ରାଜ୍ୟରେ ଜଣଙ୍କ ପ୍ରାଣ ଯାଇଥିବାବଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଖବର ରହିଛି ଏବଂ ଅନେକ ବ୍ୟକ୍ତି କ୍ୱାରେଣ୍ଟାଇନ୍ରେ ମଧ୍ୟ ରହିଛନ୍ତି। ତେଣୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ସମେତ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆବଶ୍ୟକ ସେବା ଲୋକଙ୍କୁ ଘରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଉଛି। ସେହିପରି ରାଜଧାନୀର ୫ଟି ଅଞ୍ଚଳରେ ସାନିଟାଇଜ୍ କରାଯାଉଛି। କିନ୍ତୁ ଔଷଧ ପାଇଁ କେହି ସମସ୍ୟାରେ ନପଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି।