ଦର ଲେଖିବେ, ସତ କହିବେ, ସବୁ ବିକିବେ

ଭୁବନେଶ୍ୱର (ଓଟି): କରୋନା ଆତଙ୍କ ବେଳକୁ ପ୍ରଶାସନ ସତର୍କ ହୋଇଛି। ଆଉ ସଚେତନ ଜନତା ଆବଶ୍ୟକ ସାନିଟାରୀ ସାମଗ୍ରୀ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଏଭଳି ସ୍ଥିତିକୁ ଲକ୍ଷ୍ୟକରି କେତେକ ଅସାଧୁ ବ୍ୟବସାୟୀ ଧାର୍ଯ୍ୟ ଦରଠୁ ଅଧିକ ମୂଲ୍ୟ ନେଉଛନ୍ତି। ସେହିପରି ସାମାନ ଗଚ୍ଛିତ ରଖି ମଧ୍ୟ ଲୋକଙ୍କୁ ଫେରାଇ ଦେଉଥିବାବେଳେ ଆଉକେତେକ ବ୍ୟବସାୟୀ ନାନା ଆଳ ଦେଖାଉଥିବା ଅଭିଯୋଗ ହେଉଛି। ତେବେ ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଣିକି କୌଣସି ବ୍ୟବସାୟୀ ନିଜ ଦୋକାନରେ ସାମଗ୍ରୀ ଦର ଲେଖି ଟାଙ୍ଗିବେ ଅର୍ଥାତ୍‌ ଦର ସମ୍ପର୍କିତ ସୂଚନା ସାର୍ବଜନୀନ କରିବେ, ଦୋକାନରେ ସାମଗ୍ରୀ ଅଛି କି ନାହିଁ ସତ କହିବେ ଆଉ ସବୁ ସରିବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ଉଚିତ୍‌ ମୂଲ୍ୟରେ ବିକିବେ।

ଏନେଇ ବିଏମ୍‌ସି, ବିଡିଏ ଏବଂ କମିଶନରେଟ୍ ପୁଲିସ ପକ୍ଷରୁ ଗଠିତ ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଦେଇଛନ୍ତି।

ସାବାଡ଼ ହେବେ ଅସାଧୁ ବ୍ୟବସାୟୀ

ସୂଚନା ଅନୁସାରେ, ମଙ୍ଗଳବାରଠାରୁ ସମସ୍ତ ଔଷଧ ଦୋକାନୀ ନିଜ ଦୋକାନରେ ଉପଲବ୍ଧ ମାସ୍କ, ଉପଲବ୍ଧ ହ୍ୟାଣ୍ଡ ୱାଶ ଓ ସାନିଟାଇଜର ଏବଂ ସେସବୁର ଦାମ ସମ୍ପର୍କରେ ଏକ ବୋର୍ଡରେ ଲେଖି ମାରିବେ। ଡିଜିଟାଲ ବୋର୍ଡରେ ମଧ୍ୟ ସେଗୁଡ଼ିକୁ ପ୍ରଦର୍ଶନ କରିବେ ବୋଲି ସମ୍ପୃକ୍ତ ମିଳିତ ଟିମ୍ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆବଶ୍ୟକ ସାମଗ୍ରୀ ଥାଇ ଲୋକଙ୍କୁ ଫେରାଇଲେ ଦୋକାନୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ କେହି ଅଭିଯୋଗ କଲେ କିମ୍ବା ଏଭଳି ଘଟଣା ସାମ୍ନାକୁ ଆସିଲେ ଆଇନ ଅନୁସାରେ ଦଣ୍ଡ ଦିଆଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ସୋମବାର ପ୍ରଥମ ଦିନରେ ସ୍କ୍ୱାଡ୍‌ଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିବାବେଳେ ମଙ୍ଗଳବାରଠାରୁ ନିୟମ ଉଲ୍ଲଂଘନକାରୀ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *