#କୋଭିଡ୍-୧୯: ରାଜ୍ୟରେ ୫ ମାସ ପାଇଁ ରହିଛି ଔଷଧ
ଭୁବନେଶ୍ୱର (ଓଟି): ମହାମରୀ କରୋନା ମୁକାବିଲା ପାଇଁ ରାଜ୍ୟରେ ୫ ମାସ ପାଇଁ ଅତ୍ୟାବଶ୍ୟକ ଔଷଧ ଗଚ୍ଛିତ ଅଛି। ତେବେ ଅତିରିକ୍ତ ୪ ମାସର ଔଷଧ ମହଜୁଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେହି ଅନୁସାରେ ମେ ମାସ ସୁଦ୍ଧା ଔଷଧ ଅଣାଯିବ। କରୋନା ଟେଷ୍ଟିଂ ପାଇଁ ଆର୍ଟିପିସିଆର ମେସିନ, ବାଓସେଫଟି କ୍ୟାବିନେଟ, ବିଏସଏଲ୨ ପ୍ଲସ ଲାବ ଅଣାଯାଇଛି। ସେହିପରି ଆଇସିୟୁ ଭେଣ୍ଟିଲେଟର ୨୯୯ଟି କାର୍ଯ୍ୟକ୍ଷମ ରହିଛି। ୪୨୪ଟି ଅର୍ଡର ଦିଆଯାଇଥିବାବେଳେ ୫୭ଟି ପହଞ୍ଚିସାରିଛି ଓ ଅନ୍ୟସବୁ ଆସନ୍ତା ୬ ସପ୍ତାହ ଭିତରେ ମିଳିଯିବ। ଓଡ଼ିଶା ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ଏ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।
ଶ୍ରୀମତୀ ଷଡ଼ଙ୍ଗୀ ଦେଇଥିବା ସୂଚନା ଅନୁସାରେ ଅକ୍ସିଜେନ କନସେନଟ୍ରଟର୍ସ ୧୦୦୪ଟି କାର୍ଯ୍ୟକ୍ଷମ ରହିଛି। ୧୦ ହଜାର ଅର୍ଡର ମଧ୍ୟରୁ ୫୮୬ଟି ପହଞ୍ଚିସାରିଛି। ସେହିପରି ନେବୁଲାଇଜର ୭୭୦୦ ଅର୍ଡର ଦିଆଯାଇଥିବାବେଳେ ୭୨୦୦ଟି ପହଞ୍ଚି ସାରିଛି। ଗୁରୁତ୍ଵପୂର୍ଣ୍ଣ ଯେ ଯେଉଁ କ୍ଷେତ୍ରରେ ଆଇସିୟୁ ଆବଶ୍ୟକ ନାହିଁ କିନ୍ତୁ ଅକ୍ସିଜେନ ଆବଶ୍ୟକ ଅଛି ସେତେବେଳେ ଅକ୍ସିଜେନ କନସେନଟ୍ରଟର୍ସ ଓ ନେବୁଲାଇଜର ଆବଶ୍ୟକ ରହିଛି। ଅନ୍ୟପକ୍ଷରେ କରୋନା ମୁକାବିଲା କରିବାକୁ ରାଜ୍ୟରେ ଥିବା ମେଡିକାଲମାନଙ୍କୁ ପର୍ୟ୍ୟାପ୍ତ ପରିମାଣର ଔଷଧ ଓ ଅନ୍ୟ ଉପକରଣ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।