ବିଜେଡି ଟିକଟ: ମିଡିଆ ମାଲିକ ଫାଇଦାରେ ଆଶାୟୀ ସାମ୍ବାଦିକ ଭକୁଆ
ଭୁବନେଶ୍ଵର, (ଓଟି): ପ୍ରତି ନିର୍ବାଚନରେ କିଛି ମିଡିଆ ମାଲିକ ଏବଂ ସାମ୍ବାଦିକ ରାଜନୀତିକ ଦଳର ପ୍ରୋତ୍ସାହନ ପାଇବା ନୂଆ ନୁହେଁ। ବିଶେଷକରି ଶାସକ ଦଳ ନିଜ ପ୍ରତି ଆନୁଗତ୍ୟ ଥିବା କିଛି ସାମ୍ବାଦିକ, ମିଡିଆ ମାଲିକଙ୍କୁ ଟିକଟ ଦେଇ ପ୍ରତିନିଧି ଭାବେ ବାଛିଥାଏ। କଂଗ୍ରେସ ଅମଳରେ ତାହା ହେଉଥିଲା ଆଉ ଗଲା ୨୦ ବର୍ଷ ହେଲା ବିଜେଡି ଶାସନରେ ତାହା ହୋଇ ଆସୁଛି। ସେ ତଥାଗତ ସତପଥିଙ୍କ କଥା କୁହନ୍ତୁ କି ଅତନୁ ସବ୍ୟସାଚି ନାୟକ ଅଥବା ଅଶୋକ ପଣ୍ଡା ସମସ୍ତେ ଏଇ ସ୍ରୋତରେ ସାମିଲ୍। ଏମିତି କି ସେମାନେ ସାମ୍ବାଦିକରୁ ମନ୍ତ୍ରୀଟିଏ ହେବାର ମୌକା ବି ପାଇଛନ୍ତି।
ହେଲେ ୨୦୧୯ ନିର୍ବାଚନ କିଛି ନୂଆ ଇଙ୍ଗିତ ଦେଇଛି। ଏମିତି କିଛି ଆଶା ନେଇ ନିଜକୁ ରାଜନେତା ଭାବେ ପ୍ରତିଷ୍ଠିତ କରିବା ପାଇଁ ଯେଉଁ ସାମ୍ବାଦିକମାନେ ନିଜର ପେସା ଛାଡ଼ିଥିଲେ ବା ଟିକଟ ଟିଏ ପାଇବା ଲାଗି ଆପ୍ରାଣ ଉଦ୍ୟମ ଚଳାଇଥିଲେ ସେମାନେ ଭକୁଆ ହୋଇଛନ୍ତି। କେବଳ ଶାସକ ବିଜେଡିରେ ନୁହେଁ ବରଂ ରାଜ୍ୟ ବିଜେପିରେ ମଧ୍ୟ ଏହାର
କିଛି ଆଭାସ ମିଳିଛି।
ଅର୍ଥାତ୍ ଏଥରର ନିର୍ବାଚନ ସାମ୍ବାଦିକଙ୍କଠାରୁ ଧ୍ୟାନ ଫେରାଇ ମିଡିଆ ସଂସ୍ଥାକୁ କରାୟତ କରିବାନୀତିକୁ ଗୁରୁତ୍ଵ ଦେଇଛି । ଏହିକ୍ରମରେ ସର୍ବାଧିକ ଫାଇଦା ମିଳିଛି ବିଜେଡି ଠାରୁ। ଏହା ଅବଶ୍ୟ ଏକ ସ୍ଵାଭାବିକ କଥା, ଯେ, କ୍ଷମତାରେ ଥିବା ଦଳ ଆଡ଼କୁ ବ୍ୟବସାୟ କରୁଥିବା ଲୋକେ ଅଧିକ ଆଗ୍ରହ ଦେଖାନ୍ତି କାରଣ ଏଥିରେ ସେମାନଙ୍କ ପୁଞ୍ଜି ଠୁଳ କରିବା ସ୍ଵାର୍ଥ ଅଧିକ ରହିପାରିବ।
ଆସନ୍ତୁ ନଜର ପକାଇବା କିଏ କେମିତି ହୋଇଛନ୍ତି ଲାଭବାନ
ମିଡିଆ ହାଲ୍ଚାଲ୍ ଏବଂ ରାଜନୀତିକ ଆଶା ରଖିଥିବା ସାମ୍ବାଦିକମାନଙ୍କ ବାବଦରେ ଆମେ ଅନେକଥର ଖବର ପ୍ରସାରଣ କରିଛୁ। କିନ୍ତୁ ଯେଉଁମାଲିକମାନେ ଏବେ ଫାଇଦା ପାଇଛନ୍ତି ତାହା ଆମଠାରେ ନୁହେଁ ବରଂ ପୂରା ସୋଶାଲ୍ ମିଡିଆରେ ଘୁରି ବୁଲୁଛି। ଏହି ସୂଚନା ଅନୁସାରେ, ବିଜେଡି ସର୍ବାଧିକ ୪ଜଣ ମିଡିଆ ମାଲିକଙ୍କୁ ପାର୍ଟି ଟିକଟ ଦ୍ଵାରା ଆପ୍ୟାୟିତ କରିଛି। ସେମାନଙ୍କ ଭିତରେ ସବୁଠୁ ଆଗୁଆ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ଏବେ ସେ ରାଜ୍ୟସଭାର ସାଂସଦ କିନ୍ତୁ ବିଧାୟକ ହେବାର ସ୍ଵପ୍ନ ସାକାର ପାଇଁ ସେ ପୁଣି ବିଜେଡି ଟିକଟ ଅକ୍ତିଆର କରିଛନ୍ତି। ସେ ଖଣ୍ଡପଡ଼ାରୁ ବିଜେଡି ପ୍ରାର୍ଥୀ।
କିଛିଦିନ ତଳେ ଶଙ୍ଖ ଧରି ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶିକ୍ଷା ବ୍ୟବସାୟୀ ଅଚ୍ୟୁଚ ସାମନ୍ତ ବିଜେଡି ଟିକଟ୍ରୁ ଲଢ଼ୁଛନ୍ତି। ସେ କନ୍ଧମାଳ ପାଇଁ ସାଂସଦ ପ୍ରାର୍ଥୀ। ସେ କଳିଙ୍ଗ ଟିଭିର ପ୍ରତିଷ୍ଠାତା।
ତୃତୀୟ ନାଁ ହେଲା ବାଲେଶ୍ଵର ସାଂସଦ ପ୍ରାର୍ଥୀ ତଥା ୨୦୧୪ରେ ସାଂସଦ ନିର୍ବାଚିତ ରବୀନ୍ଦ୍ର କୁମାର ଜେନା। ବ୍ୟବସାୟୀ ଭାବେ ସେ ୨୦୧୪ରେ ଟିକଟ ପାଇଥିଲେ। ତା ପରେ ଟିଭି ଚ୍ୟାନେଲ୍ ନ୍ୟୁଜ୍ ୱାର୍ଲଡ଼ ଓଡ଼ିଶା ପରିଚାଳନା କଲେ। ଏବେ ଆଉ ଥରେ ତାଙ୍କ ହାତରେ ଶଙ୍ଖ ଟିକଟ।
ବିଜେଡି ତାଲିକାରେ ପୂରାତନ ଖବରକାଗଜ ପ୍ରଜାତନ୍ତ୍ରର ମାଲିକ ତଥା ସାଂସଦ ବି ସାମିଲ୍। ଅର୍ଥାତ ଭର୍ତ୍ତୃହରି ମହତାବ ବି ଏଥର ଟିକଟ ପାଇଛନ୍ତି।
ଏବେ ବିଜେପି ଆଡ଼କୁ ଯିବା। ପୂର୍ବରୁ ବିଜେଡିରେ ଥାଇ କେନ୍ଦ୍ରାପଡ଼ା ସାଂସଦ ପଦ ହାତେଇଥିବା ଓଟିଭିର ପରୋକ୍ଷ ମାଲିକ ବୈଜୟନ୍ତ ପଣ୍ଡା ଏବେ ବିଜେପି ପ୍ରାର୍ଥୀ। ଏହାଦ୍ଵାରା ଓଟିଭି ବିଜେପି ହାତରେ ବୋଲି ଲୋକେ କହୁଛନ୍ତି। ସେମିତି ପ୍ରଥମେ ରାଜନେତା ଓ ପରେ ଏକ ଖବରକାଗଜ ଆରମ୍ଭ କରିଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ବିଜେପିରୁ ପ୍ରାର୍ଥୀ। ତାଙ୍କ ପୁଅ ସମ୍ବିତ ବିଜେଡିରୁ ପ୍ରାର୍ଥୀ। ଅର୍ଥାତ୍ ଗୋଟିଏ କାଗଜର ପ୍ରତିଷ୍ଠାତା ମାଲିକ ବିଜେପିରେ ଆଉ ପରିଚାଳନା ମାଲିକ ବିଜେପିରେ।
ଏସବୁ ଦେଖି ସୋଶାଲ୍ ମିଡିଆରେ କୁହାଯାଇଛି,
କେନ୍ଦ୍ରାପଡାରୁ OTV
ଖଣ୍ଡପଡାରୁ Kanak TV
କନ୍ଧମାଳରୁ Kalinga TV
ବାଲେଶ୍ୱରରୁ News World Odisha
କଟକରୁ ପ୍ରଜାତନ୍ତ୍ର
ବାଲିକୁଦା ଏରସମା ରୁ ସଂଚାର @BaiyaReporter @Dr__Paramjit— Dr Insomniac ? (@Dr_insomnic) April 3, 2019
‘କେନ୍ଦ୍ରାପଡ଼ାରୁ ଓଟିଭି
ଖଣ୍ଡପଡ଼ାରୁ କନକ ଟିଭି, ସମ୍ବାଦ, ରେଡିଓ ଚକୋଲେଟ୍
ବାଲେଶ୍ଵରରରୁ ନ୍ୟୁଜ୍ ୱର୍ଲଡ ଓଡ଼ିଶା
କଟକରୁ ପ୍ରଜାତନ୍ତ୍ର ଆଉ
ବାଲିକୁଦାରୁ ସଂଚାର।
ସାମ୍ବାଦିକ ଭକୁଆ
ଏହା ଏକ ଗୁରୁତ୍ଵପୂଣ୍ଣ ପ୍ରସଙ୍ଗ। ବିଗତ କିଛିଦିନ ହେଲା କିଛି ସାମ୍ବାଦିକ ନିଜ ପେସା, ନିଶା ଛାଡ଼ି ରାଜନୀତିରେ ସାମିଲ୍ ହୋଇଥିଲେ। କେହି କେହି ବ୍ୟବସାୟିକ ଫାଇଦା ପାଇଛନ୍ତି, ଏହା କହିବା ଅନୁଚିତ। କିନ୍ତୁ ଯେଉଁମାନେ ଟିକଟ ଆଶା ରଖିଥିଲେ ସେମାନେ ଭକୁଆ ହୋଇଛନ୍ତି। କେଉଁମାନେ ଟିକେଟ୍ ପାଇଁ ଆଶା କରିଥିଲେ ଆମେ ଏକ ରିପୋର୍ଟ ପ୍ରକାଶ କରିଥିଲୁ। ଅର୍ଥାତ୍ ସେମାନେ ଭକୁଆ ହୋଇଛନ୍ତି।
ପ୍ରଥମେ ପ୍ରଗତିବାଦୀ’ର ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ। ଏକ ସ୍ଵାଧୀନତା ସଂଗ୍ରାମୀ ପରିବାରରୁ ଆସିଥିବା ବିରୁପାକ୍ଷ ରାଜନୀତିକ ସ୍ତରରେ ସକ୍ରିୟ ରହି ଆସିଛନ୍ତି। ଗଲା ୧୦ ବର୍ଷ ହେବ ସେ ବିଭିନ୍ନ ରାଜନୀତିକ କାର୍ଯ୍ୟକ୍ରମ କରନ୍ତି। ବଡ଼ଚଣାରୁ ସେ ଆଶା କରିଥିଲେ ବିଧାୟକ ପ୍ରାର୍ଥୀ ହେଲେ ଦଳ ତାଙ୍କ ଅପେକ୍ଷା ଅମର ପ୍ରସାଦ ଶତପଥିଙ୍କୁ ଅଧିକ ଗୁରୁତ୍ଵ ଦେଲା।
ଦ୍ଵିତୀୟରେ ସାମ୍ବାଦିକତା ଛାଡ଼ି ରାଜନୀତିରେ ଗଲା କିଛିଦିନ ହେଲା ପ୍ରବେଶ କରିଥିବା ଓଟିଭିର ପୂର୍ବତନ ସାମ୍ବାଦିକ ସତ୍ୟଜିତ ମିଶ୍ର, ଢେଙ୍କାନାଳ ସାଂସଦ ପାଇଁ ଆଶା କରିଥିଲେ। ତାହା ବିଫଳ।
ନ୍ୟୁଜ୍ ସେଭେନ୍ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ମଧ୍ୟ ବିଜେଡି ଟିକଟ ଆଶାୟୀ ଥିଲେ। ହେଲେ ସୂତାସୂତାରେ ତାଙ୍କ ଭାଗ୍ୟ ତାଙ୍କ ସାଙ୍ଗ ହେଲାନି। ଅର୍ଥାତ୍ ହୋର୍ଡିଂ, ବ୍ୟାନର ଟାଙ୍ଗିଥିବା ଅର୍ଦ୍ଧେନ୍ଦୁ ନିରାଶ ହେଲେ।
ବିଜେଡିର ମିଡିଆ ସେଲ୍ ସମ୍ଭାଳିଥିବା ମାନସ ମଙ୍ଗରାଜ ଜଣେ ବ୍ୟବସାୟୀ ହେଲେ ମଧ୍ୟ ତାଙ୍କ ମୂଳଦୁଆ ହେଉଛି ସାମ୍ବାଦିକତା। ସେଥିଲାଗି ତାଙ୍କୁ ଦଳ ମିଡିଆ ବ୍ୟାପାର ପରିଚାଳନା ପାଇଁ କ୍ଷମତା ଦେଇଛି। ସେ ବି ଏଥର ଚିଲିକା ପାଇଁ ଆଶା କରିଥିଲେ। କିନ୍ତୁ ତାହା ‘ଆକାଶ କୟାଁ’ ହୋଇଗଲା।
ସମ୍ବାଦର ବାଲେଶ୍ଵର ବ୍ୟାପାର ବୁଝୁଥିବା ଗୌତମବୁଦ୍ଧ ଦାସଙ୍କ କଥା ବି ଏଠାରେ ଉଲ୍ଲେଖ କରାଯାଇପାରେ। ଯିଏ ଭୋଗରାଇରୁ ବିଜେଡି ଟିକଟ ଆଶା କରୁଥିଲେ। କିନ୍ତୁ ଦଳ ତାଙ୍କ ଉପରେ ଭରସା କରିପାରିଲେ ନାହିଁ।
ଇଟିଭି ପୁର୍ବତନ ସାମ୍ୱାଦିକ ତଥା ବିଜେଡି ମୁଖପାତ୍ର ସୁଲୋଚନା ଦାସ ବି ବରୀରୁ ବିଜେଡି ଟିକଟ ଆଶା କରିଥିଲେ। କିନ୍ତୁ ତାଙ୍କ ଅଶା ଆଶାରେ ରହିଯାଇଛି। ଗତ ଥର ସେ କଂଗ୍ରେସ ଟିକଟରେ ବରୀରୁ ନିର୍ବାଚନ ଲଢ଼ିଥିଲେ।
କଂଗ୍ରେସରୁ ଫାଇଦା
ଯେଉଁ ସାମ୍ବାଦିକମାନେ ବିଜେଡି ଆଦର୍ଶରେ ନମାତି କଂଗ୍ରେସରେ ନିଜର ରାଜନୀତିକ ଆଶା ପୂରଣ ପାଇଁ ଲାଗିଲେ ସେମାନେ ଆଶା ପୂରଣ କରିପାରିଛନ୍ତି। ଜୀ କଳିଙ୍ଗ ( ଜୀ ଓଡ଼ିଶା)ର ପୂର୍ବତନ ସମ୍ପାଦକ ସତ୍ୟପ୍ରକାଶ ନାୟକ ସବୁଠାରୁ ଅଧିକ ସୁଯୋଗ ପାଇଁ ପୁରୀରୁ ସାଂସଦ ପ୍ରାର୍ଥୀ।
ବାଲେଶ୍ଵରରେ ପ୍ରମେୟର ମୁଖ୍ୟ ଥିବା ସତ୍ୟଶିବ ଦାସ ଏବେ କଂଗ୍ରେସ ଟିକଟେ୍ରେ ଭୋରାଇ ବିଧାନସଭା ମଣ୍ଡଳୀ ପାଇଁ ଲଢ଼ୁଛନ୍ତି।