ଟିକେଟ୍‌ ମହଲରେ ସାମ୍ବାଦିକ ଓ ମିଡିଆ ମ୍ୟାନେଜର

ନିର୍ବାଚନ ତାରିଖ ଘୋଷଣା ପରେ ଏବେ ସବୁ ଦଳରେ ଟିକେଟ୍‌ ଚିନ୍ତା ଚାଲିଛି। ସମସ୍ତେ ଖୋଜୁଛନ୍ତି ଜିତିବା ଯୋଗ୍ୟ ପ୍ରାର୍ଥୀ। ଏଥିପାଇଁ ଅନେକ କସରତ ଚାଲିଛି। କେତେବେଳେ ଦଳୀୟ ଗୁଇନ୍ଦା ତ କେତେବେଳେ ପ୍ରାର୍ଥୀଙ୍କ ବାେ୍ରାଡାଟା ଆଉ କେତେବେଳେ ବରିଷ୍ଠ ନେତାଙ୍କ ସୁପାରିସି ଆଉ ଉଲ୍‌କା ଭଳି ପ୍ରାର୍ଥୀ ଖସିବାର ସମ୍ଭାବନା ଭିତରେ ଏକ ଦ୍ଵନ୍ଦ୍ଵ ଚାଲିଛି କିଏ ହେବ ପ୍ରାର୍ଥୀ। ମିଡିଆରେ ବି ଅପେନକ ଆଲୋଚନା ଚାଲିଛି। ଦାବିଦାରଙ୍କ ଭିତରେ ରହିଛନ୍ତି ଅନେକ ସାମ୍ବାଦିକ ତଥା ଏବେ ବିଭିନ୍ନଚ ଦଳରେ ମିଡିଆ ବ୍ୟାପାର ବୁଝୁଥିବା କିଛି ମିଡିଆ ମ୍ୟାନେଜର। ଏବିଷୟକୁ ଆଧାର କରି ଅଗଷ୍ଟ ୨୬ ତାରିଖ, ୨୦୧୭ରେ ଆମେ ଏକ ରିପୋର୍ଟ ପ୍ରକାଶ କରିଥିଲୁ। ଆଜି ତାହାର ପ୍ରାସଙ୍ଗିକତା ବଢ଼ିଥିବା ଅନୁଭବ କରି ଏହି ରିପୋର୍ଟକୁ ଉପସ୍ଥାପନ କରୁଛୁ।

ସାମ୍ବାଦିକଙ୍କ ରାଜନୀତିକ ପୃଷ୍ଠଭୂମି

ରାଜନୀତି ଓ ସାମ୍ବାଦିକତା ପରସ୍ପରର ସମାନ୍ତରାଳ ହେଲେ ମଧ୍ୟ ଅନେକ ସମୟରେ ଏହି ଦୁଇ ସମାନତରାଳ ରେଖା ପରସ୍ପର ପ୍ରତି ଆକର୍ଷିତ ହୋଇ ଏକାଠି ଗତି କରନ୍ତି। ସେଥିଲାଗି ପ୍ରତି ନିର୍ବାଚନରେ କେଉଁଠି ନା କେଉଁଠି ସାମ୍ବାଦିକଙ୍କୁ ପ୍ରାର୍ଥୀ କରିବାକୁ ପସନ୍ଦ କରନ୍ତି ଶାସକ ଦଳ। ଏ ଭିତରେ ଗତ ଥର ଦୂରଦର୍ଶନ ସାମ୍ବାଦିକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନାଁ ଆସିଥିଲା। ଏବେ ସେ ରାଜ୍ୟର ମନ୍ତ୍ରୀ। ତାଙ୍କ ପୂର୍ବରୁ ଅତନୁ ସବ୍ୟସାଚୀ ନାୟକ ହଠାତ୍‌ ରାତି ଅଧିଆ ଟିକେଟ୍‌ ପାଇଁ ଦ୍ଵନ୍ଦ୍ଵରେ ପଡ଼ିଥିଲେ। ଆଜି ସେ ମନ୍ତ୍ରୀ ଦାୟିତ୍ଵ ତୁଲାଇ ବିଜେଡିର ଜଣେ ଜଣାଶୁଣା ନେତା। ଉଭୟେ ବେଶ୍‌ ସଫଳ ହୋଇଛନ୍ତି ରାଜନୀତିରେ।

ଏହାଙ୍କ ପୂର୍ବରୁ ତଥାଗତ ସତପଥୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ଭର୍ତ୍ତୃହରି ମହତାବ ମଧ୍ୟ ରାଜନୀତିରେ ସୁନାମ ଅର୍ଜନ କରିଛନ୍ତି। କିନ୍ତୁ ଏ ସମସ୍ତଙ୍କ ରାଜନୀତିକ ପ୍ରଚ୍ଛଦପଟ୍ଟ ରହିବା ସହ ସେମାନେ ସମ୍ପୃକ୍ତ ସଂସ୍ଥାର ମାଲିକ ଭାବେ ଜଣାଶୁଣାଥଇଲେ। ଆଉଟିକେ ପଛକୁ ଗଲେ ଜାନକୀ ବାବୁଙ୍କଠାରୁ ଆରମ୍ଭ କରି ହରେକୃଷ୍ଣ ମହତାବ ପ୍ରଦ୍ୟୁମ୍ନ ବଳ, ବସନ୍ତ ବିଶ୍ଵାଳ, ଚିନ୍ତାମଣି ପାଣିଗ୍ରାହୀ ପ୍ରଭୃତି ମଧ୍ୟ ଓଡ଼ିଶା ରାଜନୀତିରେ ଗୋଟିଏ ଗୋଟିଏ ଉଦାହରଣ ସୃଷ୍ଟିକାରୀ ବ୍ୟକ୍ତି ହୋଇ ରହିଛନ୍ତି।

ମିଡିଆକୁ ନିଜ ନିୟନ୍ତ୍ରଣରେ ରଖିବା ହେଉ ବା ସମ୍ପୃକ୍ତ ବ୍ୟକ୍ତିଙ୍କର ପରାକାଷ୍ଠା ହେଉ, ଯାହା ହେଲେ ବି ସାମ୍ବାଦିକଙ୍କୁ ନେତା କରି ପ୍ରତିଟି ଦଳ ଅତୀତରେ ଫାଇଦା ପାଇଛନ୍ତି। ଏଣୁ ଏଥର ବି କିଛି ନୂଆ ନା ଯୋଡ଼ି ହେବ ବୋଲି ଆଶା କୀରାଯାଉଛି। ଏହି କ୍ରମରେ ଯେଉଁ ନାଁ ସବୁ ଏବେ ଶାସକ ଦଳର ଆଖିକୁ ଆସୁଛି ସେମାନେ ହେଲେ: ପ୍ରଗତିବାଦୀର ବିରୁପାକ୍ଷ ତ୍ରିପାଠୀ, ନ୍ୟୁଜ୍‌ ସେଭେନ୍‌ର ଅର୍ଦ୍ଧେନ୍ଦୁ ଦାସ, ଓଡ଼ିଶା ବାଇଟ୍‌ର ସମ୍ପାଦକ ତଥା ଟାଇମ୍ସ ଅଫ୍‌ ଇଣ୍ଡିଆର ପୂର୍ବତନ ସାମ୍ବାଦିକ ସନ୍ଦୀପ ମିଶ୍ର, ସମ୍ବାଦର ଗୌତମବୁଦ୍ଧ ଦାସ, ପ୍ରମେୟ ସତ୍ୟପ୍ରିୟ ଦାସ ପ୍ରମୁଖ। କିଛିଦିନ ତଳେ ସାମ୍ବାଦିକତା ଛାଡ଼ି ରାଜନୀତିକୁ ପାଥେୟ କରିଥିବା ବିଜେଡିର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ, ମିଡିଆ ପ୍ୟାନେଲ୍‌ ମୁହଁ ସତ୍ୟଜିତ ମିଶ୍ର, କଂଗ୍ରେସର ମୁଖ୍ୟମୁଖପାତ୍ର ସତ୍ୟପ୍ରକାଶ ନାୟକ ପ୍ରମୁଖ ମଧ୍ୟ ଟିକେଟ୍‌ ପାଇଁ ଆଶା କରିଛନ୍ତି। ଆସନ୍ତୁ ନଜର ପକାଇବା କିଏ କେମିତି ସମୀକରଣ ଯୋଡ଼ୁଛନ୍ତି।

ବଡ଼ଚଣାରୁ ବିରୁପାକ୍ଷ ତ୍ରିପାଠୀ

ବିରୁପାକ୍ଷଙ୍କ ମତରେ ଓଡ଼ିଶାରେ ଯେଉଁମାନେ ସାମ୍ୱାଦିକତାକୁ ଆସନ୍ତି ସେମାନଙ୍କ ଭିତରୁ ୯୦ ପ୍ରତିଶତଙ୍କ ଇଚ୍ଛା ଥାଏ ଏକ ସାମାଜିକ ସଂସ୍କାର ପାଇଁ ଚେଷ୍ଟା କରିବା। ଏହାକୁ ପେସା ବା କ୍ୟାରିୟର ଭାବେ ନେବାର ଢାଞ୍ଚା ଓଡ଼ିଶାରେ ଏଯାଏ ପରିବେଶ ସୃଷ୍ଟି ହୋଇନାହିଁ। ଏଣୁ ମୋର ବି ଇଚ୍ଛା ସାମାଜିକ ପରିବର୍ତ୍ତନର ବାହକ ହେବା। ଏହିକ୍ରମରେ ରାଜନୀତିକ ମଞ୍ଚ ହିଁ ଶ୍ରେଷ୍ଠ ଓ ପ୍ରତ୍ୟକ୍ଷ ମାଧ୍ୟମ ବୋଲି ମୁଁ ବିଚାର କରେ। ମୁଁ ଜଣେ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଛି ଏବଂ ସାମାଜିକ କାର୍ଯ୍ୟକ୍ରମରେ ମୁଁ ଆମ ଅଞ୍ଚଳରେ ବିଶେଷ ଭୁମିକା ଗ୍ରହଣ କରୁଛି। ସେଇଥିପାଇଁ ୨୦୦୯ ଏବଂ ୨୦୧୪ରେ ବିଜେଡିର ଟିକେଟ ତାଲିକାରେ ମୋ ନାଁକୁ ଚର୍ଚ୍ଚା କରାଯାଉଥିଲା। କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ, ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳରେ ନାହିଁ। କିମ୍ୱା ନିର୍ବାଚନରେ ଠିଆ ହେବା ଲାଗି ମୁଁ ସମାଜସେବା କରୁନାହିଁ। ହେଲେ ଯଦି ସୁଯୋଗ ମିଳେ ତେବେ ତାହାକୁ ହାତଛଡ଼ା କରିବି ନାହିଁ।

ଜଟଣୀରୁ ଅର୍ଦ୍ଧେନ୍ଦୁ ଦାସ

ଜଟଣୀରେ ଏବେ ସେ ବିଶେଷ ଆକ୍‌ଟିଭ୍‌। କୌଣସି ଦଳର ବୋଲି କହୁ ନଥଇଲେ ମଧ୍ୟ ବିଜେଡିରେ ତାଙ୍କୁ ସୁଯୋଗ ମିଳିବା ଆଶା ରହିଛି। ସେ କହନ୍ତି “ରାଜନୀତିକୁ ଯୁବକ ଏବଂ ବୁଦ୍ଧିଜୀବୀ ବର୍ଗ ଆସିବା ଉଚିତ। ଅନେକ ସମୟରେ ମୋତେ ଲୋକ ଜଟଣୀ ଅଞ୍ଚଳକୁ ଡାକି ନେଉଛନ୍ତି। ସେମାନେ ଯେ କୌଣସି ରାଜନୀତିକ ଦଳର ତାହା ଭାବିବା ଭୁଲ‍୍‌। କାରଣ ମୁଁ ସେମାନଙ୍କ ଡାକରାରେ ବିଭିନ୍ନ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଛି। ଜଣେ ସାମ୍ୱାଦିକ ଭାବେ ସେମାନେ ମୋତେ ଡାକନ୍ତି ମୋଠୁ କିଛି ଶୁଣିବା ପାଇଁ। ମୁଁ ଯେତିକି ଜାଣିଛି ତାହା ତାଙ୍କ ସଙ୍ଗେ କଥା ହୁଏ। ସେମାନେ ଯଦି ଚାହିଁବେ ମୁଁ ନିର୍ବାଚନରେ ପ୍ରାର୍ଥୀ ହୁଏ ତେବେ ମୋର ଆପତ୍ତି କାହିଁକି ରହିବ? ଯେହେତୁ ସେଠାକୁ ବିଜେଡି ବିଧାୟକ ଯାଉ ନାହାନ୍ତି, ବିଜେପିର ଭାବି ପ୍ରାର୍ଥୀଙ୍କ ଲୋକସମ୍ପର୍କ ଠିକ୍ ନାହିଁ ସେମାନେ ଜଣେ ବିକଳ୍ପ ପ୍ରାର୍ଥୀଙ୍କ ସନ୍ଧାନରେ ଅଛନ୍ତି। ମୋ ଆକଳନ କହୁଛି ଯଦି ବିଜେପି ଓ ବିଜେଡି ତାଙ୍କ ପ୍ରାର୍ଥୀ ନ ବଦଳାନ୍ତି ତେବେ ରାଜନୀତିକ ସମୀକରଣରେ କଂଗ୍ରେସକୁ ଫାଇଦା ହେବ। କିନ୍ତୁ ଏହା ସଷ୍ଟ ଯେ, ମୁଁ କୌଣସି ଦଳର ନୁହେଁ। କି ଦଳର ପ୍ରଚାର କରୁନାହିଁ’।

ଚିଲିକା ପାଇଁ ମାନସ ମଙ୍ଗରାଜ

ମାନସ ରଞ୍ଜନ ମଙ୍ଗରାଜ

ଏବେ ବିଜେଡିର ମିଡିଆ ରଣନୀତିର ସେ ହେଲେ ହର୍ତ୍ତାକର୍ତ୍ତା। ଅଫିସରଙ୍କଠାରୁ ଆରମ୍ଭ କରି ନେତାଙ୍କ ଯାଏ ତାଙ୍କର ଯଥେଷ୍ଟ ପରିଚିତି ରହିଛି। ତୃତୀୟ ମହଲାର ବ୍ଲୁଆଇଡ୍‌ ବୟ ହିସାବରେ ଏବେ ତାଙ୍କୁ ଗ୍ରହଣ କରାଯାଉଛି। ଚିଲିକା ପାଇଁ ସେ ଆଶାୟୀ। ଏନେଇ ସୋଶାଲ୍‌ ମିଡିଆରେ ଚର୍ଚା ବି ହେଲାଣି। କିଛି କିନ୍ତୁ ମୁହଁ ଖୋଲିବାକୁ ସେ ଚାହାନ୍ତି ନାହିଁ। ଚିଲିକାରେ ବିଧାୟକ ରଘୁନାଥ ସାହୁଙ୍କଠାରୁ ସେ ଅଧିକ ଲୋକପ୍ରିୟ ବୋଲି ଚର୍ଚା ହେଉଛି। ଏପରିକି ଅନେକ ସ୍ଥାନରେ ବିଜେପିର ହୁକୁମାତି ରହିଥିବା ବେଳେ ରଘୁନାଥ ସାହୁଙ୍କ ଭଳି ବ୍ୟବସାୟୀ ଓ ରାଜନେତା ଏଥର ଫେଲ୍‌ ମାରି ପାରନ୍ତି ବୋଲି ବି କେହି କେହି ଆଶା କରନ୍ତି। ଏଣୁ ଯେତେବେଳେ ଟିକେଟ୍‌ ବଦଳାଇବା ପାଇଁ ଦଳ ଚିନ୍ତା କରିବ ତେବେ ମାନସ ଆଗୁଆ ରହିବେ।

ଢେଙ୍କାନାଳ ପାଇଁ ସତ୍ୟଜିତ ମିଶ୍ର

ସତ୍ୟଜିତ ମିଶ୍ର

ଜଣେ ସଂଗ୍ରାମୀ ପରିବାରରୁ ଆସିଛନ୍ତି ଓଟିଭିର ପୂର୍ବତନ ସାମ୍ବାଦିକ ତଥା ବିଜେଡିର ମିଡିଆ ପ୍ୟାନେଲ୍‌ ସଦସ୍ୟ ସତ୍ୟଜିତ। ଢେଙ୍କାନାଳରେ ତାଙ୍କ ନାଁ ଏବେ ଭାରି ଚର୍ଚା ହେଉଛି। ଆଉ ଏହାର କାରଣ ପଛରେ ରହିଛି ତଥାଗତଙ୍କ ରାଜନୀତିକ ସନ୍ୟାସ ଘୋଷଣା। ସାଂସଦ ପାଇଁ ସେ ଯୋଗ୍ୟ ବୋଲି ବିଚାର ଚାଲିଛି। କାରଣ ହେଉଁ ସେ ଯୁବକ। କହିବାର ଶକ୍ତି ରଖିଛନ୍ତି। ଆଉ ତାଙ୍କ ପରିଚିତି ଯଥେଷ୍ଟ ଅଛି। ପୁଣି ସାଧାରଣ ନେତାଙ୍କ ଭଳି ସେ ନୁହନ୍ତି ଏଣୁ ତାଙ୍କ ଦେହରେ କୌଣସି ଦାଗ ଲାଗିନି।

ଭୋଗରାଇରୁ ଗୌତମ ଓ ସତ୍ୟଶିବ

ସତ୍ୟଶିବ ଦାସ

ଗୌତମବୁଦ୍ଧ ଏବେ ସମ୍ବାଦର ଉତ୍ତର ଓଡ଼ିଶା ସଂସ୍କରଣ ବୁଝୁଛନ୍ତି। ଏକ ରାଜନୀତିକ ପରିବାରରୁ ସେ ଆସିଛନ୍ତି। ଆଉ ରାଜନୀତି ପ୍ରତି ଇଚ୍ଛା ଜୋରଦାର ରହିଛି। ଏଥର ବିଜେଡି ତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚା ହେଉଛି। ତାଙ୍କ ପଛରେ ସ୍ଵୟଂ ସମ୍ପାଦକ ରହିଥିବା କୁହାଯାଉଛି। ସେପଟେ କଂଗ୍ରେସରୁ ତାଙ୍କର ସମ୍ପର୍କୀୟ ଭାଇ ସତ୍ୟଶିବ ଦାସ ବି ତାଙ୍କୁ ଚେକ୍‌ ଦେବାକୁ ପ୍ରସ୍ତୁତ ହୋଇଛନ୍ତି।

ଗୌତମବୁଦ୍ଧ ଦାସ

ଏମିତି ଚର୍ଚା ଭିତରେ ଆହୁରି ଅନେକ ନାଁ ରହିଛି। କିନ୍ତୁ ସେମାନେ ଦୋଛକିରେ। ନାଁ ଘାଟର ନା ଧୋବାର ହୋଇପାରୁଛନ୍ତି। ଖାଲି ନବୀନଙ୍କ ଆଶୀର୍ବାଦକୁ ଅପେକ୍ଷା କରି ଲବି ଚଳାଉଛନ୍ତି। ଅର୍ଥାତ୍‌ କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାହାକୁ କେବଳ ଅପେକ୍ଷା ମାତ୍ର। ଆଉ କିଛିଦିନ ଭିତରେ ଏହା ସ୍ପଷ୍ଟ ହେବା ସ୍ଵଭାବିକ।

http://odishatime.com/buying-fake-news-from-mainstream-by-rajendra-narayan-das/

Leave a Reply

Your email address will not be published.