ମୟୂରଭଞ୍ଜ ଲୋକସଭା : ବିଜେଡ଼ି-ବିଜେପି ଲଢ଼େଇ
୨୦୧୪ ମସିହା ଲୋକସଭା ନିର୍ବାଚନରେ ବିଜଦ ପ୍ରାର୍ଥୀ ରାମଚନ୍ଦ୍ର ହାଁସଦା ୩ଲକ୍ଷ ୯୩ ହଜାର ୭୭୯ ଭୋଟ ପାଇ ବିଜୟୀ ହୋଇ ସାଂସଦ ହୋଇଥିଲେ। ବିଜେପି ପ୍ରାର୍ଥୀ ଡାକ୍ତର ନେପୋଲ ରଘୁ ମୁର୍ମୁ ୨ ଲକ୍ଷ ୭୦ ହଜାର ୯୧୩ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଏବଂ ଝାମୁମୋ ପ୍ରାର୍ଥୀ ଡାକ୍ତର ଦେବାଶିଷ ମାରାଣ୍ଡି ୧ ଲକ୍ଷ ୭୨ ହଜାର ୯୮୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ଶ୍ୟାମ ସୁନ୍ଦର ହାଁସଦା ଚତୁର୍ଥ ସ୍ଥାନରେ ରହିବା ସହିତ ଅମାନତ ହରାଇଥିଲେ।
୨୦୧୪ ମସିହା ଲୋକସଭା ନିର୍ବାଚନ ଏବଂ ଆଗାମୀ ଏପ୍ରିଲ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନର ଦୃଶ୍ୟପଟ ସମ୍ପୂର୍ଣ୍ଣ ଭିନ୍ନ। ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦା ନବଦିଗନ୍ତ ଚିଟଫଣ୍ଡ କମ୍ପାନୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଠକେଇ ମାମଲାରେ ସିବିଆଇ ଦ୍ୱରାରା ଗିରଫ ହୋଇ ପ୍ରାୟ ୪ ବର୍ଷ ବାରିପଦା ଜେଲରେ ଥିଲେ। ସେ ସର୍ତ୍ତମୂଳକ ଜାମିନରେ ଖଲାସ ହୋଇଛନ୍ତି। ସାଂସଦ ରାମଚନ୍ଦ୍ରଙ୍କୁ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ନିଲମ୍ୱନ କରିଛନ୍ତି। ନିଲମ୍ୱନ ଆଦେଶକୁ ବିଜେଡ଼ି ସୁପ୍ରିମୋ ନବୀନ ୂପଟ୍ଟନାୟକ ଏଯାଏ ପ୍ରତ୍ୟାହୃତ କରି ନାହାନ୍ତି। ତେଣୁ ସାଂସଦ ରାମଚନ୍ଦ୍ର ହାଁସଦା ପୁଣି ବିଜେଡ଼ି ପ୍ରାର୍ଥୀ ହେବା ଆଦୌ ସମ୍ଭାବନା ନାହିଁ।
ଗତ ନିବାଚନରେ ଜେଏମଏମ ପ୍ରାର୍ଥୀ ହୋଇଥିବା ଡoର ଦେବାଶିଷ ମାରାଣ୍ଡି ବିଜେଡ଼ିରେ ଯୋଗ ଦେଇ ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ ସଭାପତି, ରାଜ୍ୟ ବିଜେଡ଼ି ପ୍ରବକ୍ତା ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋଇଛନ୍ତି। ଡoର ଦେବାଶିଷ ମାରାଣ୍ଡି ଆସନ୍ତା ଲୋକସଭା ନିର୍ବାଚନରେ ବିଜେଡ଼ିର ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ।
ଗତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିବା ସାନ୍ତାଳୀ ଲିପି ଅଲଚିକିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଡାକ୍ତର ନେପୋଲ ରଘୁ ମୁର୍ମୁ ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ଏବେ ବିଜେପିରେ ନାହାଁନ୍ତି। ସେ ବିଜେପି ଛାଡ଼ି ଏବେ କଂଗ୍ରେସ ଦଳରେ ଅଛନ୍ତି। ବିଜେପିର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ, ତପନ ହେମ୍ୱ୍ରମ, ବିଶେଶ୍ୱର ଟୁଡୁ, ପୂର୍ବତନ ବିଧାୟକ କାନ୍ଦରା ସୋରେନ।
ଗିରୀଶ ଚନ୍ଦ୍ର ମୁର୍ମୁ ଗୁଜୁରାଟ କ୍ୟାଡ଼ର ଆଇଏଏସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ବିଶ୍ୱସ୍ତ। ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଗିରୀଶ ଚନ୍ଦ୍ର ମୁର୍ମୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯାଇଥିଲା। ବିଜେପିର ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇନାହିଁ।
ଜେଏମଏମର ଅଞ୍ଜନୀ ସୋରେନ ପ୍ରାର୍ଥୀ ହେବା ଚୂଡାନ୍ତ। ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ କନ୍ୟା ଏବଂ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ହେଉଛନ୍ତି ଅଞ୍ଜନା। କେନ୍ଦ୍ରରେ ୟୁପିଏର ଅଂଶୀଦାର ଜେଏମଏମ ରହିଛି। ତେଣୁ ଜେଏମଏମ ଓ କଂଗ୍ରେସ ୁମଧ୍ୟରେ ବୁଝାମଣା ହେବା ସମ୍ଭାବନା ଅଧିକ। ଜେଏମଏମ ଓ କଂଗ୍ରେସର ମିଳିତ ପ୍ରାର୍ଥୀ ହେଲେ ଅଞ୍ଜନା ସୋରେନଙ୍କ ସ୍ଥିତିରେ ଉନ୍ନତି ହେବ। ମାତ୍ର ବିଜୟନୀ ହେବା ଆଶା କ୍ଷୀଣ।
ଜେଏମଏମ ସହିତ ଆସନ ବୁଝାମଣା ନହେଲେ କଂଗ୍ରେସର ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସାଂସଦ ସୁଶୀଳା ତିରିଆ, ଗତଥରର ପ୍ରାର୍ଥୀ ଶ୍ୟାମସୁନ୍ଦର ହାଁସଦା, ଗତଥର ବିଜେପି ପ୍ରାର୍ଥୀ ଡାକ୍ତର ନେପୋଲ ରଘୁ ମୁର୍ମୁ, ଭାରତୀୟ ଜୀବନବୀମା ଅଧିକାରୀ ଭତାଲ ମୁର୍ମୁ। କଂଗ୍ରେସ ଏକାକୀ ନିର୍ବାଚନ ଲଢିଲେ ଚତୁର୍ଥ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ।
ଗତ ଲୋକସଭା ନିର୍ବାଚନରେ ବିଜେଡ଼ି ସୁବିଧା ଜନକ ସ୍ଥିତରେ ରହିଥିଲା। ମାତ୍ର ଆସନ୍ତା ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେଡ଼ିର ପୂର୍ବସ୍ଥିତି ନାହିଁ। ବିଜେଡ଼ି-ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବା ନିଶ୍ଚିତ। ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସପକ୍ଷରେ ଅନ୍ତଃସ୍ରୋତ ରହିଛି। ୨୦୧୭ ମସିହା ଜିଲ୍ଲା ପରିଷଦ ନିର୍ବାଚନରେ ଜିଲ୍ଲାରେ ଐତିହାସିକ ସଫଳତା ମିଳିଥିଲା। ୫୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେପି ୪୯ଟି ଆସନ ଲାଭ କରିଥିଲା । ବିଜେଡ଼ି ମାତ୍ର ୫ଟି ଆସନ ଲାଭ କରିବାରୁ ଦଳ ବିପର୍ଯ୍ୟୟ ଘଟିଥିଲା। ଜିଲ୍ଲା ପରିଷଦ ପଳାଫଳର ପ୍ରଭାବ ଆସନ୍ତା ଲୋକସଭା ନିର୍ବାଚନରେ ପଡିବା ସମ୍ଭାବନା ରହିଛି। ଜିଲ୍ଲାର ସମସ୍ତ ବିଧାୟକ ବିଜେଡ଼ିର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିବାଦୀୟ ଓ ଲୋକପ୍ରିୟତା ହରାଇଛନ୍ତି। ଏହା ବିଜେପିକୁ ସୁହାଇବ।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ପ୍ରତି ରହିଥିବା ଭୋଟକୁ ବିଜେଡ଼ି ପ୍ରାର୍ତୀ ଭରଷା କରିବେ। ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଭିନ୍ନ ଯୋଜନା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆଥିର୍କ ସହାୟତାରୁ ଫାଇଦା ପାଇବ ବିଜେଡ଼ି। ୨୦୦୯ ଓ ୨୦୧୪ ମସିହା ଲୋକସଭା ନିର୍ବାଚନରେ ମୟୂରଭଞ୍ଜ ଆସନକୁ କ୍ରମାଗତ ବିଜେଡ଼ି ଦାଖଲ କରିଥିଲା। ମାତ୍ର ଆସନ୍ତା ଲୋକସଭା ନିର୍ବାଚନରେ ମୟୂରଭଞ୍ଜ ଆସନକୁ ବିଜେଡ଼ି ତୃତୀୟ ବାର ଦଖଲ କରିବାସହଜସାଧ୍ୟ ନୁହେଁ। ବିଜେଡ଼ିର ପ୍ରାର୍ଥୀ ଚୟନ ଚୂଡାନ୍ତ ହେବା ପରେ ମୟୂରଭଞ୍ଜ ଲୋକସଭା ଆସନର ସ୍ଥିତି ଅଧିକ ସ୍ପଷ୍ଟ ହେବ।