ମ୍ୟାଟ୍ରିକ ‘ମାତୃଭାଷା’ ପରୀକ୍ଷା ଶେଷ
ଭୁବନେଶ୍ୱର(ଓଟି): ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା। ଏଥିସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି। ଚଳିତ ଥର ୨ ହଜାର ୮୮୮ଟି କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୯୦୫ ମାଟ୍ରିକ୍ ପରିକ୍ଷାର୍ଥୀ ରହିଛନ୍ତି। ସକାଳ ୧୦ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପ୍ରଥମେ ମାତୃଭାଷା- ସାହିତ୍ୟ ପରୀକ୍ଷା ସରିଛି। ଅନ୍ୟପକ୍ଷରେ ୩୦୭ଟି ନୋଡାଲ୍ କେନ୍ଦ୍ର ହୋଇଥିବାବେଳେ ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୨ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଛି। ସେ ସବୁ କୋରାପୁଟ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ହୋଇଛି। ସେହିପରି ହଜାରେ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ୍କୁ ମଧ୍ୟ ବାରଣ କରାଯାଇଛି। ସବୁକଟକଣା ପରେ ମଧ୍ୟ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା କୁହାଯାଉଛି।
ତେବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ କୌଣସି ଖବର ନଥିବା କହିବା ସହ ସତ ହୋଇଥିଲେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ଥିବାବେଳେ ମାର୍ଚ୍ଚ ୧୮ରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ଖାତାଦେଖା ଚାଲିବ।