ଭାରତର ବିଜୟ : ମାସୁଦ ଆଝାର ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ
ଭାରତ ଏକ ବୃହତ କୂଟନୈତିକ ବିଜୟ ହାସଲ କରିଛି। ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତୀ ମାସୁଦ ଆଝାରକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି। ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ ଏ ସଂପର୍କରେ ଟ୍ଵିଟ କରି ଜଣାଇଛନ୍ତି। ବିଗତ କିଛି ବର୍ଷ ଧରି ଭାରତ ଏଥିପାଇଁ ଉଦ୍ୟମ କରିଆସୁଥିଲେ ମଧ୍ୟ ଚୀନର ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରୁନଥିଲା। କିନ୍ତୁ ଚୀନ ନିଜ ଆଭିମୁଖ୍ୟକୁ କୋହଳ କରିବା ପରେ ଏହା ସମ୍ଭବ ହୋଇପାରିଛି।
୧୯୯୯ରେ ଏୟାର ଇଣ୍ଡିଆ ବିମାନ ଅପହରଣ ପରେ ବନ୍ଧକ ରଖାଯାଇଥିବା ଯାତ୍ରୀମାନଙ୍କ ବଦଳରେ ଭାରତ ସରକାର ଜାମ୍ମୁ ଜେଲରେ ଥିବା ଆଝାରକୁ ଛାଡିଥିଲେ। ଏହା ପରେ ସେ ଜୈଶ ସଂଗଠନ ଗଠନ କରି ୨୦୦୧ ଭାରତ ର ସଂସଦ ଉପରେ ଆକ୍ରମଣ କରିଥିଲା। ଏହାର ପରବର୍ତ୍ତି ବର୍ଷରେ ଜାମ୍ମୁ ଓ କାଶ୍ମୀର ଓ ଭାରତର ଅନ୍ୟସ୍ଥାନରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣ ପଛରେ ଜୈଶର ହାତ ଥିଲା। ଗତ ଫେବ୍ରୁଆରୀ ମାସରେ ଭାରତରେ ହୋଇଥିବା ପୁଲଓ୍ଵାମା ଆକ୍ରମଣ ପଛରେ ବି ଏହି ସଂଗଠନର ହାତ ଥିଲା।
ଗତ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ଭାରତ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଲାଗିଥିଲା। କିନ୍ତୁ ପ୍ରତିଥର ଚୀନର ବିରୋଧ ଯୋଗୁଁ ଏହା ହୋଇପାରୁନଥିଲା।
ଏହି ଖବର ଆସିବାର ଗୋଟିଏ ଦିନ ପୂର୍ବରୁ ହିଁ ଚର୍ଚ୍ଚା ଆରମ୍ଭ ହୋଇସାରିଥିଲା ମେ ଦିବସ ଆଝାର ପାଇଁ କଳାଦିବସ ହେବ। ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲ୍କାଏଦା କଟକଣା କମିଟିରେ ଆଗତ ପ୍ରସ୍ତାବରେ ଚାଇନା ପୂର୍ବରୁ ଲଗାଇଥିବା ଭିଟୋ ଉଠାଇବା ନେଇ ଯେଉଁ ଆକଳନ କରାଯାଇଥିଲା ତାହା ମଧ୍ୟ ସତ ପ୍ରମାଣିତ ହୋଇଛି। ଭାରତର ବନ୍ଧୁରାଷ୍ଟ୍ର ତଥା ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଝଟକା ଦେବାକୁ ଏକାଠି ହୋଇଥିବା ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ଚାପ ଏବଂ ଭାରତର କୂଟନୀତି ଆଗରେ ଶେଷରେ ଚାଇନା ୟୁଟର୍ଣ୍ଣ ନେବାକୁ ରାଜି ହୋଇଛି।
ପୂର୍ବରୁ ଏହି ପ୍ରସ୍ତାବକୁ ଚାଇନା ଟେକ୍ନିକାଲ କାରଣ ଦର୍ଶାଇ ଭିଟୋ ଲଗାଇଥିଲା ଏବଂ ଏହାକୁ ବିଚାର କରିବାକୁ ଅତିରିକ୍ତ ସମୟ ମାଗିଥିଲା। କିନ୍ତୁ ଗତ କିଛି ଦିନ ତଳେ ଚାଇନାର ମତିଗତି ବଦଳିଥିଲା। ଏପରିକି ମଙ୍ଗଳବାର ଚାଇନା ୟୁଟର୍ଣ୍ଣ ନେବାନେଇ ସକାରାତ୍ମକ ମତ ପୋଷଣ କରିଥିଲା। ଚାଇନା ବୈଦେଶିକ ମନ୍ତ୍ରୀ ଗେଙ୍ଗ ସୁଆଙ୍ଗ ସଂକ୍ଷେପରେ କହିଥିଲେ, ଠିକ୍ଭାବରେ ସମାଧାନ ହୋଇଛି।