ଏପ୍ରିଲ୍ରେ ଗୋଟିଏ ବି ଗାଡ଼ି ବିକିନି ମାରୁତି
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦେଶର ସର୍ବବୃହତ୍ କାର୍ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ( ଏମ୍ଏସ୍ଆଇ) ଲିମିଟେଡ୍ର ଏପ୍ରିଲ୍ ମାସରେ ଘରୋଇ ବଜାର ବିକ୍ରି ଶୂନ ରହିଛି। ଦେଶ ସାରା ଲକ୍ଡାଉନ୍ ହେତୁ କୌଣସି ଅଞ୍ଚଳରେ ଗାଡ଼ି ବିକ୍ରି ହୋଇ ନାହିଁ ବୋଲି ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି।
ଏକ ପ୍ରେସ୍ ବାର୍ତ୍ତାରେ ମାରୁତି କହିଛି ଯେ, ସରକାର ଆଦେଶ ଅନୁସାରେ ଏହାର ଉତ୍ପାଦନ କାର୍ଯ୍ୟ ବି ବନ୍ଦ ରହିଥିଲା। କିନ୍ତୁ ଯେତେବେଳେ କଟକଣା ହଟିଲା ସେତେବେଳେ ମୁନ୍ଦ୍ରା ବନ୍ଦର ଦେଇ କମ୍ପାନୀ ୬୩୨ଟି କାର୍କୁ ବିଦେଶକୁ ରପ୍ତାନୀ କରିଛି।
ଏହା ପୂର୍ବରୁ ଏମ୍ଜି ମୋଟର୍ସ ଇଣ୍ଡିଆ ମଧ୍ୟ କୌଣସି ଗାଡ଼ି ବିକ୍ରି ହୋଇନଥିବା ଖବର ଦେଇଛି। ଆନ୍ତର୍ଜାତୀୟସ୍ତରରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି। ରୋଲ୍ସ୍ ରୟସ୍ ଭଳି କାର୍ ନିର୍ମାତା ମଧ୍ୟ ନିଜ ବ୍ୟବସାୟ ନହେବା ଦୃଷ୍ଟିରେ ରଖି ମହୁ ବ୍ୟବସାୟକୁ ଆପଣାଇଛି ।ଏକ ରିପୋର୍ଟ ଅନୁସାରେ ଏହା ଲଣ୍ଡନରେ ଥିବା ନିଜର ୪୨ ଏକର ଜମିରେ ମହୁମାଛି ଚାଷ କରିଛି।