ଔଷଧର ମାନ ପାଇଁ ମାର୍କେଟିଂ ସଂସ୍ଥା ବି ଦାୟୀ

ନୂଆଦିଲ୍ଲୀ: ଔଷଧର ମାନ ପାଇଁ କେବଳ କେବଳ ପ୍ରସ୍ତୁତକାରୀ କମ୍ପାନୀ ନୁହେଁ, ବରଂ ବିପଣନକାରୀ ସଂସ୍ଥାଗୁଡ଼ିକ ମଧ୍ୟ ଦାୟୀ ରହିବେ । ପୂର୍ବରୁ ଡ୍ରଗ୍ସ ଏବଂ କସ୍‌ମେଟିକ୍ ଆକ୍ଟ (ଡିସିଏ) ଅନୁସାରେ କେବଳ ପ୍ରସ୍ତୁତକାରୀ କମ୍ପାନୀ ଔଷଧର ମାନ ପାଇଁ ଦାୟୀ ରହୁଥିଲେ । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଏଣିକି ଔଷଧ ବିପଣନକାରୀ କମ୍ପାନୀ ମଧ୍ୟ ଏଥିପାଇଁ ଦାୟୀ ରହିବେ ବୋଲି ଜଣାପଡ଼ିଛି ।

ପ୍ରାୟ ଅଧିକାଂଶ ଔଷଧ ବିପଣନକାରୀ କମ୍ପାନୀ କଣ୍ଟ୍ରାକ୍ଟ ମାନୁଫାକଚରିଂ ବ୍ୟବସ୍ଥାରେ ତୃତୀୟ ପକ୍ଷ କମ୍ପାନୀଙ୍କ ଦ୍ୱାରା  ଔଷଧ ପ୍ରସ୍ତୁତ କରିଥାଆନ୍ତି । ଏହାପରେ ସଂପୃକ୍ତ ବିପଣନକାରୀ କମ୍ପାନୀମାନେ ସେମାନଙ୍କ ବ୍ରାଣ୍ଡ୍‌ରେ ବଜାରରେ ଔଷଧ ବିକ୍ରି  ଓ ବଣ୍ଟନ କରିଥାଆନ୍ତି । ଉଦାହାରଣ ସ୍ୱରୂପ ସିପ୍‌ଲା କମ୍ପାନୀ ଦ୍ୱାରା  ବିକ୍ରି ହେଉଥିବା ସର୍ବାଧିକ ଆଣ୍ଟି ଏସିଡିଟି ଟାବ୍‌ଲେଟ୍ ପାଣ୍ଟୋସେକ୍‌(ପାଣ୍ଟୋପ୍ରାଜୋଲ୍‌) ହରିଦ୍ୱାର ସ୍ଥିତି ପ୍ୟୁର୍ ଆଣ୍ଡ କେୟାର ହେଲ୍ଥକେୟାର ଦ୍ୱାରା ପ୍ରସ୍ତୁତ କରାଯାଉଛି । କିନ୍ତୁ ଅଧିକାଂଶ ସମୟରେ କୌଣସି ଔଷଧର ମାନକୁ ନେଇ ପ୍ରଶ୍ନ ଉଠିଲେ ବିପଣନକାରୀ କମ୍ପାନୀମାନେ ଔଷଧ ପ୍ରସ୍ତୁତକାରୀ କମ୍ପାନୀଙ୍କ ଉପରେ ଦୋଷ ଲଦି ଦେଇ ସମସ୍ୟା ଏଡାଇ ଦେଇଥାଆନ୍ତି । ଡିସିଏ ନିୟମ ଅନୁସାରେ କୌଣସି ଔଷଧ ସର୍ତ୍ତାବଳୀ ଠାରୁ ନିମ୍ନ ମାନର ହେଲେ କିମ୍ବା ଅପମିଶ୍ରଣ ହେଲେ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଦଣ୍ଡବିଧାନ ହୋଇଥାଏ । ଏଥିରେ ୫ ବର୍ଷ ଜେଲଦଣ୍ଡ କିମ୍ବା ଆଜୀବନ ଜେଲଦଣ୍ଡ ବ୍ୟବସ୍ଥା ରହିଛି । ହେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ ୨୦୨୧ ମାର୍ଚ୍ଚରୁ ଏହି ନିୟମ ଔଷଧ ବିପଣନକାରୀ କମ୍ପାନୀଙ୍କ ଉପରେ ମଧ୍ୟ ଲାଗୁ କରାଯିବ । ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟ ପକ୍ଷରୁ ଔଷଧ ବିପଣନକାରୀ କମ୍ପାନୀଙ୍କୁ ଏହି ନିୟମାଭୁକ୍ତ କରିବାକୁ ୨୦୧୮ ମସିହାରେ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏହାକୁ ୨୦୨୧ରୁ ଲାଗୁ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published.