କନ୍ଧମାଳରେ ମାଓ ତାଣ୍ଡବ: ୫ ଗାଡ଼ି ଜାଳିଦେଲେ, ୧ ମୃତ

ଭୁବନେଶ୍ଵର, (ଓଟି): କନ୍ଧମାଳ ସଦର ଥାନା ମଲିକପଡାରେ ମାଓବାଦୀଙ୍କ ଉଗ୍ର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାମ କରୁଥିବା ଠିକାଦାର ସଂସ୍ଥାର ଅସ୍ଥାୟୀ ଶିବିରରେ ପ୍ରବେଶ କରି ମାଓବାଦୀମାନେ ନିଆଁ ଲଗାଇଦେବା ହେତୁ ସେଠାରେ କାମ କରୁଥିବା ରାତି ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ଏହାସହ ରାସ୍ତାକାମରେ ବ୍ୟବହାର ହେଉଥିବା ଗୋଟିଏ ରୋଲର, ଗୋଟିଏ ମିନି ଟ୍ରକ ଏବଂ ତିନୋଟି ଟ୍ରାକ୍ଟର ପୋଡ଼ି ଦେଇଥିବା ଜଣାପଡ଼ିଛି।

ମୃତ ଜଗୁଆଳିଙ୍କ ନାଁ ହେଉଛି, ରବୀନ୍ଦ୍ର ମଲ୍ଲିକ। ସେ ଶୋଇଥିବା ବେଳେ ମାଓବାଦୀମାନେ ଶିବିରରେ ପ୍ରବେଶ କରିଥିଲେ ଏବଂ ନିଆଁ ଲଗାଇଥିଲେ। ଏହା ରବିବାର ପାହାନ୍ତା ୨ଟା ବେଳର ଘଟଣା।

ଏହି ଘଟଣା ପରେ ମାଓବାଦୀମାନେ ଏକ ଚିଠି ଘଟଣାସ୍ଥଳରେ ଛାଡ଼ି ଯାଇଛନ୍ତି। ଏହି ଚିଠିରେ ସେମାନେ ପ୍ରତିବାଦର ନିଆଁ ଲଗାଇଥିବା ସ୍ପଷ୍ଟ କରିଛନ୍ତି। ଗତ ମେ’ ମାସ ୧୩ ତାରିଖରେ ପୁଲିସ ଓ ମାଓବାଦୀ ଗୁଳି ବିନିମୟ ହେତୁ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏଣୁ ପ୍ରତିହିଂସା ପରାୟଣ ହୋଇ ନିଆଁ ଲଗାଇଥିଲେ।

ଘଟଣାସ୍ଥଳରୁ ମିଳିଥିବା ଚିଠି

ଚିଠିରେ ଲେଖାଯାଇଛି ଯେ, ’ବିକାଶକୁ ମାଓବାଦୀମାନେ ବିରୋଧ କରୁନାହାନ୍ତି କି ହିଂସା କରୁନାହିଁ। ଲୋକଙ୍କ ବିକାଶ ନାମରେ ପୁଲିସ ଠିକାଦାର ମିଶି ଯେଉଁ ଭଳି ଭାବେ ମାଡ଼ାଙ୍ଗି ଗାଁରେ ବିପ୍ଲବୀମାନଙ୍କୁ ବେସାହାରା କରିଥିଲେ, ତାହା କେଉଁ ବିକାଶ ଓ ଅହିଂସାର ମନ୍ତ୍ର ଅଟେ?’ ଏହାସହ ଆଗାମୀ ଦିନମାନଙ୍କରେ ଏହିଭଳି ଠିକାଦାର ସଂସ୍ଥାମାନଙ୍କୁ ସ୍ଥାନୀୟ ଲୋକେ କୌଣସି କାମ କରିବାକୁ ସହଯୋଗ କରନ୍ତୁ ନାହିଁ ବୋଲି ମାଓବାଦୀମାନେ ଅପିଲ୍‌ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏଠାରେ କାର୍ଯ୍ୟ କରୁଥିବା କେେକେବିଏନ୍‌ ସଂଗଠନ ସମ୍ପୃକ୍ତ ଶିକାଦାର ସଂସ୍ଥାଗଠୁ ଗତବର୍ଷ ପାଣ୍ଠି ଦାବି କରିଥିଲେ। ତାହା ନଦେଇ କୌଶଳ କ୍ରମେ ସମ୍ପୃକ୍ତ ଠିକାଦାର ପୁଲିସ ସହାୟତା ନେଇ ତାହାଙ୍କୁ ଧରାଇ ଦେଇଥିଲେ। ଫଳରେ ମାଓ ଶିବିରର ୫ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ପ୍ରତିବାଦରେ ସେମାନେ ଏପରି କାଣ୍ଡ ଘଟାଇଥିବା ଆଶଙ୍କା କରାଯାଉଛି। ପୁଲିସ ଏ ବାବଦରେ ତଦନ୍ତ କରୁଛି।

ସାତ କୋଶିଆରେ ୨ ବାଘ ଛୁଆ ଜନ୍ମ

୮ ଓ ୯ ଓଡ଼ିଶା ବନ୍ଦ: ଶ୍ରମିକ ସଂଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

Leave a Reply

Your email address will not be published. Required fields are marked *