ଆଜି ରାତିରୁ ଯାଜପୁର: ୪୮ ଘଣ୍ଟା ଶଟ୍ଡାଉନ୍ ପାଇଁ ଆଦେଶ ଦେଲେ ଜିଲ୍ଲାପାଳ
ଭୁବନେଶ୍ଵର, (ମାନସ ରଞ୍ଜନ ବିଶ୍ଵାଳ): ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ କୋଭିଡ୍୧୯କୁ ପ୍ରତିରୋଧ କରିବା ପାଇଁ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସମ୍ପୂଣ୍ଣ ଶଟ୍ଡାଉନ୍ ଆଦେଶ ଦେଇଛନ୍ତି। ଏହା ୬ ତାରିଖ ରାତି ଆଠଟାଯାଏ ବଳବତ୍ତର ରହିବ। ଏହି ସମୟରେ ପୁଲିସ ପହରା ଦେବ। କାହାକୁ ଘରୁ ବାହାରିବାର ଅନୁମତି ରହିବ ନାହିଁ। ଯେଉଁମାନେ ଏହି ଆଦେଶକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଯେଉଁ ଅଞ୍ଚଳଗୁଡ଼ିକରେ ଶଟ୍ଡାଉନ୍ ଆଦେଶ କାର୍ଯ୍ୟକାରୀ ହେବ ସେଥିରେ ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟ ସମେତ ଚଣ୍ଡିଖୋଲ ଓ ପାଣିକୋଇଲି ଅଞ୍ଚଳ ରହିଛି। ଏହା ସହ ତାଙ୍କର ସମ୍ପର୍କୀୟମାନେ ରହୁଥିବା ସାଦକପୁର, ନେଉଳପୁର ଏବଂ ଚାରିନଙ୍ଗଳ ଗାଁରେ ମଧ୍ୟ ଶଟ୍ଡାଉନ୍ ଆଦେଶ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦେଶ ଦେଇଛନ୍ତି।
ଯାଜପୁର ଜିଲ୍ଲାର ବ୍ରହ୍ମ ବରଦାରୁ ଜଣେ ବ୍ୟକ୍ତିଙ୍କ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ କରାଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମ ବରଦାରେ ସବୁକିଛି ବନ୍ଦ ଘୋଷଣା କରାଯାଇଛି। ଏହି ଅଞ୍ଚଳ ସମେତ ତିନି କିଲୋମିଟର ପରିଧି ଅଞ୍ଚଳରେ ସ୍ୟାନିଟାଇଜେସନ୍ ଜାରି ରହିଛି। ପୁଣି ଚିହ୍ନିତ ରୋଗୀଙ୍କୁ କଟକ ଅଶ୍ଵିନୀ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି ।
ତାଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ତଥା ସେମାନଙ୍କ ଦେହରେ କରୋନା ଭୁତାଣୁ ପ୍ରବେଶ କରିଛି କି ନା ତାହା ଜାଣିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହିକ୍ରମରେ ଜିଲ୍ଲାପାଳଙ୍କ ପକ୍ଷରୁ ସେ ଯାଇଥିବା ବିଭିନ୍ନ ସଅଞ୍ଚଳରେ ଶଟ୍ଡାଉନ୍ ଆଦେଶ ଦିଆଯାଇଛି। ଆଜି ରାତି ଆଠଟାରୁ ୬ ତାରିଖ ରାତି ଆଠଟା ଯାଏ ଏହି ଆଦେଶ ବଳବତ୍ତର ରହିବ।
ଜିଲ୍ଲାପାଳଙ୍କ ଏହି ଆଦେଶ ସ୍ପଷ୍ଟ କରୁଛି ଯେ ଜଣେ ଲୋକର ଅସାବଧାନତା ଯୋଗୁ ଆଜି ସମଗ୍ର ଜିଲ୍ଲା କଷ୍ଟ ଭୋଗିବାକୁ ବାଧ୍ୟ ହୋଇଛି । ଏଣୁ ଲୋକେ ଏହି କରୋନା ରୋଗର ଭୟାବହତା ଅନୁଭବ କରି ତା’ଠୁ ଦୂରେଇ ରହିବା ଦରକାର। ଏହା ହେଲେ ଆମେ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିପାରିବା ଏବଂ କରୋନାକୁ ହରାଇପାରିବା।