#କରୋନା ଚିକିତ୍ସା ସେବାକାରୀଙ୍କୁ ଡବଲ୍ ଦରମା
ଚଣ୍ଡୀଗଡ଼ (ଓଟି): କରୋନା ମହାମାରୀ ପାଇଁ ସବୁଠି ଆତଙ୍କ ଓ ଭୟର ବାତାବରଣ। ସେ ଭିତରେ ଅସଲ ଯୋଦ୍ଧା ସାଜିଛନ୍ତି ସ୍ଵାସ୍ଥ୍ୟସେବା ଯୋଗାଉଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ। ଏହାକୁ ହୃଦଙ୍ଗମ କରି କେନ୍ଦ୍ର ସରକାର ପୂର୍ବରୁ ବୀମା ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଘୋଷଣା କରିଥିଲେ। ତେବେ ଏଥିରେ ଅଧିକ ସୁବିଧା ଯୋଡ଼ିଛନ୍ତି ହରିୟାଣା ସରକାର। ମେଡିକାଲ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ନେଇଛନ୍ତି ଭଲ ପଦକ୍ଷେପ। କୋଭିଡ୍-୧୯ ମେଡିକାଲ୍ରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଦରମା ଡବଲ୍ କରିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର।
ସୂଚନା ଅନୁସାରେ ସମ୍ପୃକ୍ତ କୋଭିଡ୍ ହସ୍ପିଟାଲ୍ରେ ନିୟୋଜିତ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ ଓ ହେଲପର ପ୍ରମୁଖଙ୍କୁ ହରିୟାଣା ସରକାର ଡବଲ ଦରମା ପ୍ରଦାନ କରିବେ। ଏଥିସହ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମେଡିକାଲ୍ କର୍ମଚାରୀଙ୍କୁ ସମ୍ବୋଧନ ପୂର୍ବକ ଦେଶର ସମସ୍ତ ସ୍ଵାସ୍ଥ୍ୟସେବା ପ୍ରଦାନକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।