ମୋଦିଙ୍କୁ ନେଇ ଆସୁଛି ଆଉ ଏକ ବାୟୋପିକ୍ ‘ମନ ବୈରାଗୀ’, ଫାଷ୍ଟଲୁକ୍ ରିଲିଜ୍
ସଞ୍ଜୟଲୀଲା ବନସାଲିଙ୍କ ଆଗାମୀ ପ୍ରୋଜେକ୍ଟ ଭାବେ ଦର୍ଶକଙ୍କ ସାମନାକୁ ଆସିବ ‘ମନ ବୈରାଗୀ’ । ଏହାର ଫାଷ୍ଟଲୁକ୍ ରିଲିଜ୍ କରାଯାଇଛି । ଏହି ଫିଲ୍ମ ମୋଦିଙ୍କ ଯୁବାବସ୍ଥାର କାହାଣୀ ନେଇ ଆସୁଛି । ଏଥିରେ ମୋଦିଜୀଙ୍କ ୧୩ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ ଜୀବନ ସଂଘର୍ଷର କାହାଣୀ ରହିଛି । କେଉଁ ସବୁ କାରଣରୁ ମୋଦି ଜୀ ନିଜକୁ ନିଜ ଭିତରେ ଖୋଜିବାର ପ୍ରଚେଷ୍ଟା ଆରମ୍ଭ କରିଥିଲେ ଏବଂ କିଭଳି ସେ ତାଙ୍କର ମହତ୍ୱାକାଂକ୍ଷାକୁ ପୁରଣ କରିବାରେ ସଫଳ ହୋଇଥିଲେ, ତାହାକୁ ନେଇ କାହାଣୀ ଆଗକୁ ବଢ଼ିବ । ଏଥିରେ ମୁଖ୍ୟ ଭୂମିକାରେ ପରଦା ଉପରକୁ ଆସିବେ ନବୋଦୟ କଳାକାର ଅଭୟ ବର୍ମା ।
ମଙ୍ଗଳବାର ଦିନ ମୋଦିଜୀଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଫାଷ୍ଟଲୁକ୍ ରିଲିଜ୍ କରାଯାଇଥିଲା । ଅକ୍ଷୟ କୁମାର ଟ୍ୱିଟର୍ ଆକାଉଣ୍ଟ୍ ମାଧ୍ୟମରେ ଏହାକୁ ସେୟାର୍ କରିଥିଲେ । ବନସାଲି ଓ ମହାବୀର୍ ଜୈନ୍ ମିଳିତ ଭାବେ ଏହି ଫିଚର୍ ଫିଲ୍ମ ପ୍ରସ୍ତୁତ କରୁଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ତ୍ରିପାଠି । ଫିଲ୍ମର ସୁଟିଂ ଗତ ମାର୍ଚ୍ଚ ମାସରେ ହିଁ ସରିଯାଇଛି । କିନ୍ତୁ ଏହାର ଫାଇନାଲ୍ ଏଡିଟିଙ୍ଗ୍ କାମ ବାକି ରହିଥିବାରୁ ଏହା ଆସନ୍ତା ଡିସେମ୍ବର ମାସ ଶେଷରେ ରିଲିଜ୍ କରାଯିବାର ଯୋଜନା ରହିଛି । ମୋଦି ଜୀଙ୍କ ଏହି ଜୀବନ ସଂଘର୍ଷ ଓ ସଫଳତାର କାହାଣୀ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ଫିଲ୍ମଟିମ୍ ପକ୍ଷରୁ ଆଶା କରାଯାଉଛି ।











