ଜୁନ୍ ୧ରୁ ଭୁବନେଶ୍ଵରରେ ଆମ୍ବ ମହୋତ୍ସବ
ଭୁବନେଶ୍ୱର, (ଓଟି): ଜୁନ୍୧ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ମବ ‘ଆମ ଆମ୍ବ ବଜାର’ । ଭୁବନେଶ୍ଵରର ଏସ୍ଆଇଆର୍ଡି ପରିସରରେ ଏହି ମହୋତ୍ସବ ଆୟୋଜନ କରାଯାଇଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଓଡ଼ିଶା ଚାଷୀଙ୍କ ଦ୍ଵାରା ଅମଳ କରାଯାଉଥିବା ବିଭିନ୍ନ ପ୍ରକାର ଆମ୍ବର ପ୍ରଦର୍ଶନୀ ଓ ବିକ୍ରୀ ହେବ ବୋଲି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ କୁହାଯାଇଛି।
ଅନୁଗୋଳ, ରାୟଗଡ଼ା, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ, ଢେଙ୍କାନାଳ ଓ ଗଜପତିର ଆମ୍ବ ଉତ୍ପାଦକମାନେ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅଞ୍ଚଳଗୁଡ଼ିକ ରାଜ୍ୟରେ ବିଭିନ୍ନ ପ୍ରକାରର ଆମ୍ବ ଉତ୍ପାଦନ ପାଇଁ ଯଥେଷ୍ଟ ପରିଚିତ ଅଛନ୍ତି। ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ନିକଟରେ ଅନୁଷ୍ଠିତ ହୋଇଛି। ଯେଉଁଥିତରେ ବିଭାଗୀୟ ଆୟୋଜକ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍ମାସ୍) ତଥା ଓଡ଼ିଶା ଜୀବିକା ମିଶନ୍ର ଅଧିକାରୀଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ, ଉତ୍ପାଦକ କମ୍ପାନୀ ଓ ଗୋଷ୍ଠୀଗୁଡ଼ିକର ପ୍ରତିନିଧିଗଣ ତଥା କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।
ଓର୍ମାସ୍ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱୟଂପ୍ରଭା ମହାନ୍ତି ଏହି ଅବସରରେ କହିଛନ୍ତି ଯେ, ଓଡ଼ିଶାର ପୁରପଲ୍ଲୀରେ ଉତ୍ପାଦିତ ହେଉଥିବା ବିଭିନ୍ନ ଉନ୍ନତ କିସମର ସଦ୍ୟ ହାତତୋଳା ତଥା ରାସାୟନିକ ପଦାର୍ଥ ବୋଳାଯାଇନଥିବା ଆମ୍ବ ଲୋକମାନଙ୍କ ପାଖରେ ପହଞ୍ଚାଇବା ଓ ସେସବୁ ଆମ୍ବ ସମ୍ପର୍କରେ ଅବଗତ କରାଇବା ଏହି ମହୋତ୍ସବ ମୂଳ ଉଦ୍ଦେଶ୍ୟ।
ଉକ୍ତ ଜିଲ୍ଲାଗୁଡ଼ିକର ଆମ୍ବ ଚାଷୀମାନେ ମହୋତ୍ସବରେ ଯୋଗଦେଇ ସେମାନଙ୍କ ବିଭିନ୍ନ ଉନ୍ନତ କିସମର ସଦ୍ୟ ହାତତୋଳା ତଥା ରାସାୟନିକ ପଦାର୍ଥ ବୋଳାଯାଇନଥିବା ସ୍ୱାଦିଷ୍ଟ ଆମ୍ବର ପ୍ରଦର୍ଶନ ଓ ବିକ୍ରି କରିପାରିବେ । ଏହି ଚାଷୀମାନେ ସାଧାରଣତଃ ମଧ୍ୟସ୍ଥିମାନଙ୍କ ଜରିଆରେ କମ ଦରରେ ବେପାରୀମାନଙ୍କୁ ଆମ୍ବ ବିକି୍ର କରି ସେମାନଙ୍କ ନ୍ୟାଯ୍ୟ ଲାଭାଂଶ ହରେଇ ବସୁଥିଲେ । ମହୋତ୍ସବରେ ଅଂଶଗ୍ରହଣ କରି ଗ୍ରାମୀଣ ଆମ୍ବ ଚାଷୀମାନେ ଖୁଚୁରା ବିକ୍ରିବଟା ସୁଯୋଗ ପାଇବା ସହ ଅଧିକ ଲାଭଜନକ ଦରରେ ଆମ୍ବ ବିକି୍ର କରିପାରିବେ ।
ଏହା ସହିତ ଓଡ଼ିଶାର ପୁରପଲ୍ଲୀରେ ଉତ୍ପାଦିତ ହେଉଥିବା ସଦ୍ୟ ସ୍ୱାଦିଷ୍ଟ କିସମର ବିଭିନ୍ନ ଦେଶୀ ଆମ୍ବ ଯେପରିକି ଆମ୍ରପାଲି, ଦଶେରୀ, ମଲ୍ଲିକା, ଲେଙ୍ଗେଡ଼ା, ବାଇଗଣପାଲି, ହିମସାଗର, ତୋଟାପୁରୀ, ସୁନ୍ଦରୀ ଇତ୍ୟାଦି ଆମ୍ବ ସମ୍ପର୍କରେ ରାଜ୍ୟର ଜନସମୂହ ଅବଗତ ହେବା ସହିତ ଅଧିକରୁ ଅଧିକ ସୁଆଦିଆ ଆମ୍ବ ଖରିଦ କରିପାରିବେ । ଚାଷୀଙ୍କଠାରୁ ସିଧାସଳଖ ଉପଭୋକ୍ତାଙ୍କୁ ତଥା ଉତ୍ପାଦକଙ୍କଠାରୁ ସିଧାସଳଖ ଉପଭୋକ୍ତାଙ୍କୁ ଉତ୍କୃଷ୍ଟ ଆମ୍ବ ଯୋଗାଇବା ସହ ଚାଷୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏହି ମହୋତ୍ସବର ଲକ୍ଷ୍ୟ ।
ରାଜଧାନୀବାସୀ ବିପୁଳ ସଂଖ୍ୟାରେ ମହୋତ୍ସବରେ ଯୋଗଦାନ କରି ଓଡ଼ିଶା ଆମ୍ବର ମଜା ନେବା ସହିତ ଚାଷୀକୁଳଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓର୍ମାସ୍ ତରଫରୁ ଅନୁରୋଧ କରାଯାଇଛି ।