ମିଛେଇ ମମତା
ପଶ୍ଚିମବଙ୍ଗରେ ସିବିଆଇକୁ ନେଇ ଚାଲିଥିବା ଝାମେଲାରେ ତାଙ୍କ ସହ ଟିଏମସିର କେହି ଯୋଗାଯୋଗ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ପଷ୍ଟ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ, ତେବେ ଓଡିଶାରେ ସିବିଆଇ କରୁଥିବା ତଦନ୍ତକୁ ନେଇ ନବୀନ କହିଛନ୍ତି, ସିବିଆଇ ପ୍ରଫେସନାଲ ହେବା ଉଚିତ ଏବଂ ରାଜନୀତି ଠାରୁ ଉର୍ଦ୍ଧ୍ବରେ ରହି କାମ କରିବା ଆବଶ୍ୟକ।

ସିବିଆଇ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ଯୋଗାଯୋଗ ହୋଇଥିଲା କି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, ପ୍ରାୟ ଏକବର୍ଷ ହେବ ତୃଣମୂଳ କଂଗ୍ରେସର କେହି ଆମ ସହ ଯୋଗାଯୋଗ କରିନାହାନ୍ତି। ଗତକାଲି ଆମ ଦଳର ମତାମତ ଓଡ଼ିଶା ସମ୍ପର୍କିତ ଥିଲା। ଅନ୍ୟମାନଙ୍କ ଭଳି ଆମେ ମଧ୍ୟ ଚାହୁଁଛୁ କି ସିବିଆଇ ବୃତ୍ତିଗତ ଭାବେ ଓ ଅଣରାଜନୀତିକ ଢଙ୍ଗରେ କାର୍ଯ୍ୟ କରୁ। ଏହି ମାମଲାରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ସମସ୍ତେ ପାଳନ କରିବା ଉଚିତ୍। ସେହିପରି ତାଙ୍କୁ ସିବିଆଇ ପ୍ରଶ୍ନ କରିଥିବା ନେଇ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ଏହା ‘ସମ୍ପୂର୍ଣ୍ଣ ବକୱାସ’ ବୋଲି ନବୀନ କହିଛନ୍ତି।
ଓଡିଶାରେ ମଧ୍ୟ ସିବିଆଇର କାର୍ଯ୍ୟକଳାପକୁ ପୂର୍ବରୁ ବିଜେଡି ସମାଲୋଚନା କରିଥିଲା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବଂ ଏବେ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇର କାର୍ଯ୍ୟ ଉପରେ ବିଜେଡି ମଧ୍ୟ ଆପତ୍ତି ଉଠାଇଥିଲା। କେନ୍ଦ୍ରରେ ବିଜେପି ସରକାର ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ନେଇ ଅଣବିଜେପି ଦଳଗୁଡିକ ଅଭିଯୋଗ କରି ଆସିଛନ୍ତି। ଏପରିକି ସିବିଆଇ ଡାଇରେକ୍ଟର ପଦରୁ ଆଲୋକ ବର୍ମାଙ୍କୁ ବଦଳି କରାଯିବା ପ୍ରସଙ୍ଗରୁ ସିବିଆଇର ନିରପେକ୍ଷ ଭାବମୂର୍ତ୍ତିରେ ଦାଗ ଲାଗି ସାରିଛି।

ଆଜି ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କୋଲକାତାରେ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କର ଧାରଣା/ପ୍ରତିବାଦକୁ ସେ ଜାରି ରଖିବେ କି ନାହିଁ ସେଥିପାଇଁ ସମସ୍ତ ସମଭାବାପନ୍ନ ଦଳଗୁଡ଼ିକ ସହ ବିଚାରବିମର୍ଶ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଯେଉଁମାନେ ତାଙ୍କୁ ସମର୍ଥନ କରିଛନ୍ତି ସେ ସମସ୍ତଙ୍କ ମତାମତ ନେବେ। ଏପରିକି ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ, କାରଣ ସେ ତାଙ୍କୁ ଏ ପ୍ରସଙ୍ଗରେ ସମର୍ଥନ ଦେଇଥିଲେ।