ମକର ସଂକ୍ରାନ୍ତି ବିଶେଷ: କାହିଁକି, କେଉଁଠି କେମିତି ପାଳନ ହୁଏ ମକର ସଂକ୍ରାନ୍ତି
ଭାରତୀୟ ସଂସ୍କୃତିରେ ପ୍ରତ୍ୟେକ ପର୍ବର ବିଶେଷ ମହତ୍ତ୍ୱ ଓ ଗରିମା ରହିଆସିଛି । ବିଭିନ୍ନତା ମଧ୍ୟରେ ଏକତାର ସର୍ବଶ୍ରେଷ୍ଠ ଉଦାହରଣ ପ୍ରସ୍ତୁତ କରୁଥିବା ଭାରତ ଧର୍ମୀୟ ଭାବନାକୁ ସବୁବେଳେ ପ୍ରାଧାନ୍ୟତା ଦେଇଆସିଛି । ଏଠି ବାରମାସରେ ତେର ପର୍ବ- ଉକ୍ତିକୁ ଯଥାର୍ଥରେ ପରିଣତ କରି ଆସିଛି ମକର ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ପୌଷମାସରେ ଧନୁରାଶିରୁ ବାହାରି ସୂର୍ଯ୍ୟ ମକର ରାଶିରେ ପ୍ରବେଶ ହୋଇଥାନ୍ତି । ଉତ୍ତରାୟଣଠାରୁ ଦେବତାଙ୍କ ଦିନ ଆରମ୍ଭ ହୋଇଥାଏ। ତେଣୁ ମକର ସଂକ୍ରାନ୍ତିରେ ଅନ୍ନବସ୍ତ୍ର ଓ ତିଳ ଦାନ ଦ୍ୱାରା ବିଶେଷ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଭାରତର ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତିଙ୍କୁ ଭିନ୍ନ ନାମ ମିଳିଛି । ସ୍ଥାନ ଅନୁଯାୟୀ ଏହି ପର୍ବ ପାଳନ କ୍ଷେତ୍ରରେ ବିଭିନ୍ନ ରୀତିନୀତି ମଧ୍ୟ ପରିଲକ୍ଷୀତ ହୁଏ ।
ମକର ସଂକ୍ରାନ୍ତିର ବିଭିନ୍ନ ନାମ
ଓଡ଼ିଶା, ଛତିଶଗଡ଼, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ ଭଳି ବିଭିନ୍ନ ସ୍ଥାନେର ଏହି ପର୍ବ ମକର ସ୍ରଂକାନ୍ତି ଭାବେ ପରିଚିତ ଥିଲାବେଳେ ଦକ୍ଷିଣ ଭାରତରେ ଏହା ପୋଙ୍ଗଲ୍ ନାମରେ ଖ୍ୟାତ । ଓଡ଼ିଶାର ମୟୁରଭଞ୍ଜ ଓ କେନ୍ଦୁଝରରେ ଏହା ଟୁସୁ ପର୍ବ ଭାବେ ପାଳିତ । ସିନ୍ଧି ସମ୍ପ୍ରଦାୟର ଲୋକମାନେ ଏହାକୁ ତିରମୌରି ଏବଂ ଗୁଜରାଟର ଲୋକେ ଉକ୍ତ ପର୍ବକୁ ଉତ୍ତରାୟଣ ଭାବେ ଜାଣିଛନ୍ତି । ଉତ୍ତର ପ୍ରଦେଶ ଓ ପଶ୍ଚିମ ବିହାରରେ ଏହାକୁ ଖିଚ୍ଡ଼ି ସଂକ୍ରାନ୍ତି ବୋଲି କୁହାଯାଏ । ପଞ୍ଜାବରେ ଏହା ଲୋହଡ଼ି ଭାବେ ଧୁମ୍ଧାମ୍ରେ ପାଳିତ ହେଉଥିବାବେଳେ ହରିୟାନା ଓ ହିମାଚଳ ପ୍ରଦେଶରେ ଏହାର ନାମ ହେଉଛି ମାଘି । ବଙ୍ଗରେ ଏହାକୁ ପୌଷ ସଂକ୍ରାନ୍ତି କାଶ୍ମୀରରେ ଏହାକୁ ଶିଶୁର୍ ସେକ୍ରାନ୍ତି ଭାବେ ପାଳନ କରାଯାଏ । କର୍ଣ୍ଣାଟକରେ ମକର ସଂକ୍ରାନ୍ତି ତିଲ୍ଗୁଡ଼୍ ପର୍ବ ଭାବେ ପରିଚିତ ।
କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି
ସୂର୍ଯ୍ୟ ଉତ୍ତରାୟଣ ହେଉଥିବାରୁ ଦେବତାଙ୍କ ଦିନ ଆରମ୍ଭ ହୋଇଥାଏ । ଦେବତାଙ୍କ ପକ୍ଷ ଭାବେ ମକର ସ୍ରଂକାନ୍ତି ପାଳନ କରାଯାଏ । ଏହିଦିନରୁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ଦିନ ବଡ଼ ହୋଇଥାଏ । ଭଲ ଶସ୍ୟ ଅମଳ ହେବା ପାଇଁ ଅନେକ ସମ୍ପ୍ରଦାୟ ସୂର୍ଯ୍ୟଙ୍କ ଏହି ବିଶେଷ ପୂଜାର୍ଚ୍ଚନା କରିଥାନ୍ତି । ଶାରୀରିକ, ଭୌତିକ ଓ ମାନସିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମକର ସଂକ୍ରାନ୍ତି ପାଳନ କରାଯାଏ । ଏହି ଦିନ ଗଙ୍ଗା ପୃଥିବୀ ପୃଷ୍ଟରେ ଅବତରିତ ହୋଇଥିଲେ ବୋଲି ପୌରାଣିକ ଆଖ୍ୟାନ ରହିଛି । ତେଣୁ ପାପକ୍ଷୟ ପାଇଁ ମକର ସଂକ୍ରାନ୍ତି ପୂଜାର୍ଚ୍ଚନାର ବିଶେଷ ମହତ୍ୱ ଅଛି । ଆଉ ଏକ ପୌରାଣିକ ଆଖ୍ୟାନ ଅନୁଯାୟୀ ମହାଭାରତ ଯୁଦ୍ଧପରେ ଭୀଷ୍ମ ଉତ୍ତରାୟଣରେ ଦେହତ୍ୟାଗ କରିଥିବାରୁ ଏହା ମୋକ୍ଷର ପର୍ବ ଭାବେ ପାଳିତ ହୋଇଆସୁଛି । ତେଣୁ ମୋକ୍ଷ ଆଶା କରୁଥିବା ସାଧୁ ସନ୍ୟାସୀମାନେ ମକର ସଂକ୍ରାନ୍ତିକୁ ବିଧିବିଧାନର ସହ ପାଳନ କରିଥାନ୍ତି ।
ମକର ସଂକ୍ରାନ୍ତିର ବିଶେଷ ଆକର୍ଷଣ
ମକର ସଂକ୍ରାନ୍ତି କେବଳ ଏକ ପର୍ବ ନୁହେଁ, ଭାଇଚାରା ସୃଷ୍ଟି କରିବା ସହିତ ସ୍ନେହପ୍ରେମର ବାର୍ତ୍ତା ପ୍ରଦାନ କରିବା କ୍ଷେତ୍ରରେ ଏହାର ପ୍ରମୁଖ ଭୂମିକା ରହିଛି । ଏହିଦିନ ମୁଖ୍ୟତ ଖେଚିଡ଼ି ରନ୍ଧା ଯାଇଥାଏ । ଏହାକୁ ସାହିପଡ଼ିଶା ଓ ନିକଟ ସମ୍ପର୍କୀୟଙ୍କ ସହିତ ମିଳିମିଶି ଖାଇଥାନ୍ତି । ଏହି ଦିନର ବିଶେଷ ଖାଦ୍ୟ ହେଉଛି ‘ମକର ଚାଉଳ’ । କଞ୍ଚା ଚାଉଳରେ କଦଳୀ, ସେଓ, କମଳା, ଅଙ୍ଗୁର ଓ କିସ୍ମିସ୍, କାଜୁ ଓ ବିଭିନ୍ନ ପ୍ରକାର ଗରମ ମସଲା ପକାଇ ପ୍ରସ୍ତୁତ ହୋଇଥାଏ ସ୍ୱାଦିଷ୍ଟ ‘ମକର ଚାଉଳ’ । ଏହାକୁ ମକର ସଂକ୍ରାନ୍ତିରେ ବାଣ୍ଟିବା ଦ୍ୱାରା ସ୍ନେହ ବଢ଼ିଥାଏ ବୋଲି ବିଶ୍ୱାସ ରହିଛି । ଏହା ବ୍ୟତୀତ ଗାଁ ଗହଳିରେ ମକର ଚାଉଳ ପରିସ୍ପରକୁ ଦେଇ ମକର ବସିବା ଭଳି ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି । ମକର ଚାଉଳ ସହିତ ଆଉ ଏକ ବିଶେଷ ପରମ୍ପରା ମକର ସଂକ୍ରାନ୍ତି ସହିତ ଜଡ଼ିତ । ତାହା ହେଉଛି ‘ଗୁଡ଼ି ଉଡ଼ା ପର୍ବ’ । ମକର ସଂକାନ୍ତି ଦିନ ଗୁଡ଼ି ଉଡ଼ାଇବାର ବିଶେଷ ପ୍ରଥା ରହିଛି । ଏହି ଗୁଡ଼ି ଉଡ଼ା ପରମ୍ପରା ସହିତ ଅନେକ ସାମାଜିକ, ଐତିହାସିକ ଓ ପୌରାଣିକ କାହାଣୀ ଜଡ଼ିତ । ତେଣୁ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ବିଶେଷ ମହତ୍ତ୍ୱ ରହିଛି ।