ପାହିଗଲା ରାତି-ହାରିଗଲେ ମହାରଥୀ

ଭୁବନେଶ୍ୱର,(ଓଟି): ପାହିନାହିଁ ରାତି, ହାରିନାହିଁ ମହାରଥୀ ଟ୍ଟ ଓଡିଶା ରାଜନୀତିର ବହୁ ଚର୍ଚ୍ଚିତ ଏବଂ ବିବାଦୀୟ ନେତା ପ୍ରଦୀପ ମହାରଥୀଙ୍କ ଏ ଡାଇଲଗ ଏକ ସମୟରେ ସବୁ ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିଥିଲା। ହେଲେ ଆଜି ସେହି ମହାରଥୀ ବିରୋଧୀଙ୍କ ଘନଘନ ରାଜନୈତିକ ଆକ୍ରମଣ ଆଗରେ ହାରମାନିଲେ।

ଗତ ଦୁଇ ସପ୍ତାହ ଧରି ଚାଲିଥିବା ଆନ୍ଦୋଳନ ଓ ରାଜନୈତିକ ଆକ୍ଷେପର ଚାପ ଆଗରେ ମୁଣ୍ଡ ନୂଆଇଁଛନ୍ତି। ଏହି ଘଟଣାରେ କିମ୍ବା କୋର୍ଟ ରାୟ ପରେ ମହାରଥୀଙ୍କ ବିବାଦୀୟ ବିବୃତିରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ କୌଣସି ସମ୍ପୃକ୍ତି ନଥିଲେ ମଧ୍ୟ ବିରୋଧୀ ତାଙ୍କୁ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଥିଲେ।

ତାଙ୍କ ଯୋଗୁ ସୃଷ୍ଟି ହୋଇଥିବା ବିବାଦର ନୈତିକ ଦାଇତ୍ୱ ନିଜ ମୁଣ୍ଡକୁ ନେଇ ସେ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ଉପରେ କୌଣସି ଚାପ ନଥିଲା ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ୨୦୧୧ ଶେଷ ଭାଗରେ ପିପିଲିରେ ଘଟିଥିବା ଏହି ଘଟଣା ମହାରଥୀଙ୍କ ରାଜନୈତିକ ଜୀବନରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଏହି ସମାନ ଘଟଣାରେ ୨୦୧୨ରେ ମଧ୍ୟ ତାଙ୍କ ମନ୍ତ୍ରୀପଦ ଯାଇଥିଲା। ସେ ସମୟରେ ମଧ୍ୟ ସେ ନୈତିକ ଦାଇତ୍ୱ ନେଇ ମନ୍ତ୍ରୀପଦ ଛାଡିଥିଲେ।

ବିଜେଡିର ଏହି ବହୁବଳୀ ବିଧାୟକ ପିପିଲିରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୮୫ରେ ସେ ପ୍ରଥମ ଥର ଜନତା ଦଳରୁ ବିଧ୍ୟାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୫ ଓ ୧୯୯୦ରେ ସେ ଦୁଇଥର ଜନତା ଦଳରୁ ବିଧାୟକ ହୋଇଥିଲେ। ୧୯୯୫ରେ ସେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଟିର ସାମନ୍ତରାୟଙ୍କ ଠାରୁ ହରିଥିଲେ। ୨୦୦୦ ମସିହାରୁ ସେ ଆଉ ହାରିନାହାନ୍ତି। ୨୦୦୦ରୁ କ୍ରମାଗତ ଭାବେ ବିଜେଡି ଟିକେଟରୁ ଜିତୁଛନ୍ତି। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ। ୨୦୦୯, ୨୦୧୧ ଓ ୨୦୧୪ରେ ତିନି ଥର ମନ୍ତ୍ରୀ ହୋଇଛନ୍ତି।

ମୋଦିଙ୍କ ପାଇଁ ବଳି ପଡ଼ିଲେ ମହାରଥୀ!

ମୋଦିଙ୍କ ପାଇଁ ବଳି ପଡ଼ିଲେ ନବୀନଙ୍କ କ୍ୟାବିନେଟର କୁହାଳିଆ ମନ୍ତ୍ରୀ ପ୍ରଦୀପ ମହାରଥୀ। ଶନିବାର ଦିନ ବାରିପଦା ସଭାରେ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ବେଶ୍‌ ଗର୍ଜିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପରିକି ପିପିଲି ପୀଡ଼ିତାଙ୍କ କଥା ଉଠାଇ ନବୀନ ସରକାର ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେଇ ପାରୁନାହାନ୍ତି ବୋଲି ଉପହାସ କରିଥିଲେ। ଏହାର ପରଦିନ ଏକ ନାଟକୀୟ ଢଙ୍ଗରେ ପ୍ରଦୀପ ମହାରଥୀ ଇସ୍ତଫା ଦେଇଥିବାରୁ ସାଧାରଣରେ ମୋଦି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ:

Leave a Reply

Your email address will not be published. Required fields are marked *