ତେଜୁଛି ମହାରଥୀ ବହିଷ୍କାର ଦାବି
ଭୁବନେଶ୍ୱର,(ଓଟି): କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ଦାବି କରି ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରଉ କରିବା ପାଇଁ ଯାଉଥିବା ମହିଳା କଂଗ୍ରେସ କର୍ମୀ ପୁଲିସ ମଧ୍ୟରେ ଦୀର୍ଘସମୟ ଧରି ଧସ୍ତାଧସ୍ତି ହୋଇଥିଲା। ହଜାର ହଜାର ସଂଖ୍ୟାରେ ମହିଳା କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଗଲାବେଳେ ପୋଲିସ ସେମାନଙ୍କୁ ଶିଶୁଭବନ ଛକଠାରେ ଅଟକାଇଥିଲା।
ମହିଳାକର୍ମୀ ମାନେ ପୁଲିସ ଉପରକୁ ଟମାଟୋ ମାଡ କରି ନବୀନ ନିବାସ ଆଡକୁ ମାଡି ଚାଲିଲାବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିଲା ଯାହାଫଳରେ ଦୀର୍ଘସମୟ ଧରି ସେଠାରେ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏହି ଧସ୍ତାଧସ୍ତିରେ ଜଣେ ମହିଳା ଅଚେତ ହୋଇପଡିଥିଲେ।
ପୁଲିସ ଓ ମହିଳା କଂଗ୍ରେସ କର୍ମୀମାନେ ନଛୋଡବନ୍ଧା ଅବସ୍ଥାରେ ଥିବାବେଳେ ଅନ୍ୟ ମହିଳା ମାନେ ରାସ୍ତା ଉପରେ ଧାରଣା ଦେଇ ବସିଥିଲେ ଯାହାଫଳରେ କିଛି ସମୟ ପାଇଁ ଶିଶୁଭବନ ଛକରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟହୋଇଥିଲା।
ଗତକାଲି ମଧ୍ୟ କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ଶୋଭାଯାତ୍ରା ଯାଉଥିବା ବେଳେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋର୍ଟ ରାୟକୁ ନେଇ କୃଷିମନ୍ତ୍ରୀ ମହାରଥି ଦେଇଥିବା ବିବାଦୀୟ ମନ୍ତବ୍ୟଲାଗି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଓ ବିଜେପି ମହିଳା ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ ଚାଲୁରହିଛି।
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପିପିଲି ଗଣଦୁଷ୍କର୍ମ ଘଟଣାରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳାବିରୋଧୀ ବୟାନ ଦେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସି ରହିବା ସମଗ୍ର ମହିଳା ସମାଜ ପ୍ରତି ଅପମାନ। ଇତିହାସରେ ଏଭଳି ମୌନ ରହୁଥିବା ମୁଖ୍ୟମନ୍ତ୍ରୀ ବୋଧହୁଏ ବିରଳ।
ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟତଃ ୩ଟି ଦାବି- ଯଥା ପିପିଲି ଗଣଦୁଷ୍କର୍ମ ଘଟଣାରେ ନିର୍ଦ୍ଦୋଷରେ ଅଭିଯୁକ୍ତ ଖଲାସ ହୋଇଥିବାରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା, ଦାୟିତ୍ୱହୀନ ମନ୍ତବ୍ୟ ଦେଇ ମହିଳାଙ୍କୁ ଅପମାନିତ କରିଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଏବଂ ୧୯ବର୍ଷ ଧରି ଗୃହମନ୍ତ୍ରୀ ଦାୟିତ୍ୱରେ ରହି ଚୁପ୍ ବସିଥିବା ଯୋଗୁ ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ସମାଜ ପାଖରେ କ୍ଷମା ମାଗନ୍ତୁ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି।
ଏହି ଦାବି ହାସଲ ପାଇଁ ରାଜ୍ୟ ମହିଳା ମୋର୍ଚ୍ଚା ୨ଥର ନବୀନ ନିବାସ ଘେରାଉ କରିବା ସହ ଗୋଟିଏ ଥର କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଘେରାଉ କରିସାରିଛି। କ୍ରାଇମବ୍ରାଞ୍ଚ ସଂସ୍ଥା ଏବେ ତଥ୍ୟ ନଷ୍ଟକାରୀ ସଂସ୍ଥା ପାଲଟି ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦୋହରା ନୀତି ଯୋଗୁ ବାହୁବଳୀ ବିଧାୟକ ତଥା ମନ୍ତ୍ରୀ ମହାରଥୀଙ୍କ ଛତ୍ରଛାୟା ତଳେ ଗଣଦୁଷ୍କର୍ମ ଅଭିଯୁକ୍ତ ସୁରକ୍ଷିତ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିରବତା ଯୋଗୁ ରାଜ୍ୟରେ ମହିଳାମାନେ ନିଜକୁ ଅସୁରକ୍ଷିତ ଓ ଅସମ୍ମାନିତ ମନେ କରୁଛନ୍ତି। ରାଜ୍ୟରେ ମହିଳା ନିର୍ଯାତନା ବଢ଼ିଚାଲିଛି।