ମହାରାଷ୍ଟ୍ରରେ ରାଜନୀତିକ ଛକା ପଞ୍ଝା: ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ
ଭୁବନେଶ୍ଵର, (ଓଟି): ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ଅଚଳାବସ୍ଥା ଜାରି ରହିଛି। ନିର୍ବାଚନ ପୂର୍ବରୁ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ବିଜେପି ଓ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହେବା ହେତୁ ସଂଖ୍ୟା ଗରିଷ୍ଠ ଥାଇ ମଧ୍ୟ ସରକାର ଗଠନ କରିବାରେ ଅସମର୍ଥ ରହିଛି। ଅଚଳାବସ୍ଥା ଦୂର କରିବା ଲାଗି ରାଜ୍ୟପାଳ ପ୍ରଥମେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଠନ ପାଇଁ ରବିବାର ଆମନ୍ତ୍ରଣ କରିଥିଲେ। ହେଲେ ବିଜେପି ଏହାର ଅସମର୍ଥ ଜାହିର କରିଛି। ଏହା ପରେ ଦ୍ଵିତୀୟ ସଂଖ୍ୟା ଗରିଷ୍ଠ ପାର୍ଟି ଭାବେ ଶିବସେନାକୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଶିବ ସେନା ପକ୍ଷରୁ ଏଥର ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇବ ବୋଲି ଦଳ ଆଶା କରୁଥିଲେ ମଧ୍ୟ ବିଧାନସଭାରେ ଆସ୍ଥା ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସମୁଦାୟ ୨୮୮ ନିର୍ବାଚିତ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଲାଗି ହୋଇଥିବା ନିର୍ବାଚନରେ ବିଜେପି ଓ ଶିବସେନା ବୁଝାମଣା ଭିତ୍ତିରେ ନିର୍ବାଚନ ଲଢ଼ିଥିଲେ। ଏହାପରେ ବିଜେପି ୧୦୫ ଆସନରେ ବିଜୟୀ ହୋଇଥିବାବେଳେ ଶିବସେନା ୫୬ ଆସନରେ ବିଜୟୀ ହୋଇଛି। ଏହି ଦୁଇ ଦଳଙ୍କ ମେଣ୍ଟ ୧୬୧ଟି ଆସନ ଜିତି ସ୍ଥିର ସରକାର ପ୍ରଦାନ ପାଇଁ ସକ୍ଷମ ହୋଇଥିଲେ ମଧ୍ୟ ଉଭୟ ଦଳ ଭିତରେ ଏକ ଫାଟ ସୃଷ୍ଟି ହୋଇଛି। ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦ୍ ଧରିଥିବାରୁ ଉଭୟ ଦଳ ଅଲଗା ଅଲଗା ହୋଇଛନ୍ତି।
ଶିବସେନା ଓ ଏନ୍ସିପି ମେଣ୍ଟ ହେବ ବୋଲି ଅଙ୍କ କଷା ଚାଲିଛି। ଏହାକୁ କଂଗ୍ରେସ ବାହ୍ୟ ସମର୍ଥନ ହେଲେ ବିଧାନସଭାରେ ସରକାରଙ୍କ ସ୍ଥିତି ବଜାୟ ରହିବ। ନହେଲେ ଏ ସରକାର ଏକ ଝୁଲା ସରକାର ହେବ ବୋଲି ଆଶଙ୍କା କରାଯାଉଛି।
ରାଜ୍ୟପାଳଙ୍କ ଡାକରା ପାଇବା ପରେ ଶିବ ସେନା ଉତ୍ସହିତ ଥିଲେ ମଧ୍ୟ କେମେିତି ସଂଖ୍ୟାଗଣିତରେ ପାର୍ ହେବ ତାହା ନେଇ ଚର୍ଚା ଚାଲିଛି।