୧୦ ବର୍ଷ ବାଳକର ଫୁସ୍‌ଫୁସ୍‌ରୁ ବାହାରିଲା ଦୁଇଟି ଚୁମ୍ବକ

ଜଣେ ୧୦ ବର୍ଷର ବାଳକର ଫୁସ୍‌ଫୁସ୍‌ରୁ ଚୁମ୍ବକ ବାହାରିଲା । ପୁଣି ଗୋଟିଏ ନୁହେଁ ଦୁଇଟି । ବିଶ୍ୱାସ ହୋଇ ନପାରେ କିନ୍ତୁ ଏହା ଏକ ସତ ଘଟଣା । ଭୁବନେଶ୍ୱରସ୍ଥିତ ସମ୍‍ ହସ୍‍ପିଟାଲ୍‍ରେ ଏମିତି ଏକ ବିରଳ ଅସ୍ତ୍ରୋପଚାର ହୋଇଛି । ଏହି ଅସ୍ତ୍ରୋପଚାର ପରେ ପିଲାଟିର ବାମ ପଟ ଫୁସ୍‍ଫୁସ୍‍ରେ ଅଟଳିଥିବା ଦୁଇଟି ଚୁମ୍ବକକୁ ବାହାର କରାଯାଇଛି । ଏହା ଏକ ସଫଳ ଅସ୍ତ୍ରୋପଚାର ବୋଲି ହସ୍‍ପିଟାଲ୍‍ ପକ୍ଷରୁ କୁହାଯାଇଛି ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍ଣ୍ଣ, ନାଶା ଓ ଗଳା ଏବଂ ସ୍କଲ୍ ବେସ୍ ସର୍ଜରୀର ବିଶେଷଜ୍ଞ ଡାକ୍ତର ରାଧାମାଧବ ସାହୁ ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି ।

ଏସେ ସୁସ୍ଥ ଥିବା ପିଲାଟିର ନାଁ ହେଉଛି ଅଙ୍କୁଶ ବେହେରା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ । ପ୍ରମୋଦ ବେହେରାଙ୍କ ଏହି ୧୦ ବର୍ଷର ପୁଅ ଅଙ୍କୁଶ ଫୋନ୍ ସହ ଖେଳୁଥିବା ବେଳେ ସେଥିରେ ଲାଗିଥିବା ଦୁଇଟି ଚୁମ୍ବକକୁ ପାଟିରେ ପୁରାଇ ଗିଳିଦେଇଥିଲା । ଚୁମ୍ବକ ଦୁଇଟି ସିଧାସଳଖ ବାମ ପଟ ଫୁସ୍ଫୁସରେ ଅଟକିଯାଇଥିଲା ଓ ହୃତ୍‌ପିଣ୍ଡର ଅତି ନିକଟବର୍ତୀ ସ୍ଥାନରେ ରହିଥିଲା । ଯାହା ଫଳରେ ବାଳକଟିର ଅବସ୍ଥା ଗୁରୁତ୍ୱର ହୋଇପଡ଼ିଥିଲା । ରାଜ୍ୟର ବିଭିନ୍ନ ହସ୍ପିଟାଲ୍ରେ ଦେଖାଇବା ସତ୍ବେ କେହି ଏହାର ଚିକିତ୍ସା କରିବାରେ ସକ୍ଷମ ହୋଇପାରିନଥିଲେ । ଶେଷରେ ସେ ସମ୍ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ ।

ସମ୍ ହସ୍ପିଟାଲ୍‌ରେ ଇଏନ୍‌ଟି ଏବଂ ସ୍କଲ୍‌ବେସ୍‌ ସର୍ଜରୀ ବିଶେଷଜ୍ଞ ଡାକ୍ତର ରାଧାମାଧବ ସାହୁ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ଅପ୍ଟିକାଲ୍ ଫୋର୍ସେପ୍ ଦ୍ୱାରା ଦୁଇଟି ଚୁମ୍ବକକୁ ଫୁସ୍‌ଫୁସ୍‌ରୁ ବାହାର କରିଥିଲେ । ଏହି ସମୟରେ ବାଳକଟିର ଜୀବନପ୍ରତି ବେଶ ବିପଦ ଥିଲା । ଏହି ପ୍ରକ୍ରିୟା ଏତେ ସହଜ ନଥିଲା । ଅପ୍ଟିକାଲ୍ ଫୋର୍ସେପ୍ ଜରିଆରେ ଶ୍ୱାସପ୍ରଶ୍ୱାସ ଗତି କରୁଥିବା ରାସ୍ତା ଦେଇ ଏହି ଦୁଇଟି ଚୁମ୍ବକକୁ ଫୁସ୍‌ଫୁସ୍‌ରୁ ବାହାର କରାଯାଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମାତ୍ର ୫ ମିନିଟ୍ ୨୦ ସେକେଣ୍ଡ ମଧ୍ୟରେ ଚୁମ୍ବକଟିକୁ ଫୁସ୍‌ଫୁସ୍‌ରୁ କଢ଼ାଯାଇଥିଲା । ୧୦ ମିନିଟ୍ ସମୟ ମଧ୍ୟରେ କଢ଼ାଯାଇନଥିଲେ ବାଳକଟିର ଜୀବନ ପ୍ରତି ବିପଦ ଥିଲା । ଏହି ପ୍ରକ୍ରିୟାରେ ନିଶ୍ୱାସ ନେଉଥିବା ରାସ୍ତାରେ ହିଁ ସର୍ଜରୀ କରାଯାଇଥାଏ । ଯାହା ଦୁଇ ସର୍ଜନ ଏବଂ ନିଶ୍ଚେତକ ଡାକ୍ତରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ଏହି ସର୍ଜରୀ ନିଶ୍ଚେତକ ଡାକ୍ତର ସ୍ୱସ୍ତିକା ସ୍ୱାରୋ ପିଲାଟିକୁ ଏବଂ ଡାକ୍ତର ନିସ୍ତା ଆନନ୍ଦ ଡାକ୍ତର ସାହୁଙ୍କୁ ସହଯୋଗ କରିଥିଲେ ।

ତେବେ ଡାକ୍ତର ସାହୁ ସଫଳତାର ସହ ଅସ୍ତ୍ରୋପଚାର କରି ବାଳକଟିର ଜୀବନ ବଂଚାଇପାରିଛନ୍ତି । ବାଳକଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

Leave a Reply

Your email address will not be published. Required fields are marked *