ମାଧୁରୀ ଦିକ୍ଷିତଙ୍କ ନାଁରେ ନାମିତ ମାଧୁରୀ ଲେକ୍
ବଲିଉଡର ଅନନ୍ୟା ସୁନ୍ଦରୀ ମାଧୁରୀ ଦକ୍ଷିତ ନିଜର ଦକ୍ଷ ଅଭିନୟ ପାଇଁ ଆଜିପର୍ଯ୍ୟନ୍ତ ଅଗଣିତ ସିନେପ୍ରେମୀଙ୍କ ହୃଦୟରେ ରାଜ୍ କରି ଆସୁଛନ୍ତି । ଏହାଛଡ଼ା ମାଧୁରୀଙ୍କ ଦିବ୍ୟ ସୌନ୍ଦର୍ଯ୍ୟ ସିନେପ୍ରେମୀ ଓ ପ୍ରଶଂସକଙ୍କ ମନକୁ ଚୋରେଇ ନେଇଛି ଏବଂ ସେଥିପାଇଁ ପ୍ରଶଂସକ ମହଲରେ ତାଙ୍କୁ ଉପାଧି ମିଳିଛି ଧକ୍ଧକ୍ ଗାର୍ଲ । କେବଳ ଏତିକି ନୁହେଁ ମାଧୁରୀଙ୍କ ଏହି ସୁନ୍ଦରତା ସହିତ ତୁଳନା କରି ଅରୁଣାଚଳ ପ୍ରଦେଶରେ ଥିବା ଏକ ହ୍ରଦକୁ ମାଧୁରୀଙ୍କ ନାମରେ ନାମିତ କରାଯାଇଛି । ମାଧୁରୀଙ୍କ ପ୍ରଶଂସକ ହୁଏତ ଏ ସମ୍ପର୍କରେ ଜାଣିଥିବେ ।
ତେବେ କହିରଖୁଛୁ ସଙ୍ଗିଷ୍ଟାର୍ ଟିଏସଓ ନାମକ ଏକ ହ୍ରଦ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଏକ ଅନନ୍ୟ ଉଦାହରଣ । ଭୂମିକମ୍ପ ଦ୍ୱାରା ପ୍ରାକୃତିକ ଭାବେ ଏହି ହ୍ରଦ ଓ ଏହାର ଆଖପାଖରେ ସବୁଜବନାନୀ ସୃଷ୍ଟି ହୋଇଛି । ଏହାକୁ ପ୍ରକୃତିର ଏକ ସୁନ୍ଦର ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ହ୍ରଦ ନିକଟରେ ମାଧୁରୀଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘କୋଏଲା’ର ଗୀତ ‘ତନହାଇ…’ ସୁଟିଂ ହୋଇଥିଲା । ତା’ ପରଠାରୁ ଏହାକୁ ମାଧୁରୀ ଲେକ୍ ଭାବେ ନାମିତ କରାଯାଇଛି । ସୂଚନାଯୋଗ୍ୟ ତବାଂଗ ସହର ଠାରୁ ଏହାର ଦୂରତା ୨୦ କି.ମି. ଥିବାବେଳେ ‘ବମ୍ ଲା ପାସ୍’ରୁ ଏହା କେବଳ ୭ କି.ମି. ଦୂରତାରେ ଅବସ୍ଥିତ ।