ବଙ୍ଗୋପସାଗରରେ ଲଘୁଚାପ: ୧୬ରୁ ୧୯ ଯାଏ ବର୍ଷା, ଝଡ଼

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) : ଆସନ୍ତା ୧୬ ତାରିଖରୁ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ଓ ଝଡ଼ ଆଶଙ୍କା କରାଯାଉଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ବଳୟ କ୍ରମଶଃ ଘନୀଭୂତ ହେଉଥିବାରୁ ଏହି ଆଶଙ୍କା ପ୍ରକାଶ କରିଛନ୍ତି ସୋଆ ବିଶ୍ଵବିଦ୍ୟାଳୟର ପାଣିପାଗ କେନ୍ଦ୍ର। ଆସନ୍ତା କାଲି ସୁଦ୍ଧା ଏହି ଲଘୁଚାପ ଦାନା ବାନ୍ଧିବା ସମ୍ଭାବନା ରହିଛି। ଏଣୁ ବୁଧବାରକୁ ଏଥିନେଇ ସବିଶେଷ ସୂଚନା ଦେବା ସମ୍ଭବ ବୋଲି ସୋଆ ବିଶ୍ଵବିଦ୍ୟାଳୟ ପାଣିପାଗ କେନ୍ଦ୍ର ଅଧ୍ୟକ୍ଷ ଡ. ଶରତଚନ୍ଦ୍ର ସାହୁ କହିଛନ୍ତି।

 

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା କାଲି ସୁଦ୍ଧା ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଦେଖାଦେଇଥିବା ବେଳେ ମେ ୧୬ ତାରିଖ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇପାରେ । ଯଦିଓ ଏହି ଲଘୁଚାପ ଆସନ୍ତା କାଲି ସୁଦ୍ଧା ଦାନା ବାନ୍ଧିବାର ସମ୍ଭାବନା ରହିଛି ତେବେ ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟ ଗୁଡିକରେ ହାଇ ନର୍ଥ ୱେଷ୍ଟରଲି ଅପର ଆଟମୋସଫେରିକ ଉଇଣ୍ଡର ପ୍ରଭାବ ଯୋଗୁ ଏହାର ଘନୀଭୂତ ହେବା ପ୍ରକ୍ରିୟା ସମୟ ସାପେକ୍ଷ ହେବ।

ତାମିଲ୍‌ନାଡୁ ଉପକୂଳରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାବେଳେ ମେ ୧୬ ତାରିଖ ରାତିରୁ ଏହି ପ୍ରକ୍ରିୟା ତୀବ୍ର ହେବ ବୋଲି ସେ କହିଛନ୍ତି । ତେବେ ଏ ନେଇ ସ୍ପଷ୍ଟ ଚିତ୍ର ମେ ୧୫ ତାରିଖ ସୁଦ୍ଧା ଜଣାପଡ଼ିବ ବୋଲି ସେ କହିଛନ୍ତି ।

ବଙ୍ଗୋପସାଗରରେ ଏହା ଘନୀଭୂତ ହେଉଥିବା ବେଳେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ମେ ୧୯ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ ଏବଂ ମେ ୧୯ କିମ୍ବା ୨୦ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳର ନିକଟବର୍ତୀ ହେବ ବୋଲି ଜଣାପଡ଼ିଛି । ଏହି ଅବପାତ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସେ କହିଛନ୍ତି । କାରଣ ଘୂର୍ଣ୍ଣିଝଡ ସୃଷ୍ଟି ହେବା ନିମନ୍ତେ ଆବଶ୍ୟକୀୟ ପରିବେଶ ଓ ସମୁଦ୍ର ପୃଷ୍ଠର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ରହିଥିବାରୁ ଏହିର ସମ୍ଭାବନା ଦୃଢ଼ିଭୂତ ହୋଇଛିି ।

ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୪ ଘଂଟା ମଧ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ଡ. ସାହୁ କହିଛନ୍ତି । ତେବେ ଦିନର ତାପମାତ୍ରା ୩୫ ରୁ ୪୦ ଡ଼ିଗ୍ରୀ ରହିବାର ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ମେ ୧୮ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୂଇଁପାରେ ବୋଲି ଜଣାପଡ଼ିଛି । ମେ ୧୬ ତାରିଖ ପରେ ରାଜ୍ୟରେ ଅସ୍ୱସ୍ତିିକର ପାଣିପାଗ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ମେ ୧୮ ରୁ ୨୦ ମଧ୍ୟରେ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିପାରେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *