ଏସ୍‌ବିଆଇର ଜିଡିପି ଆକଳନ ହ୍ରାସ

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ବ୍ୟାଙ୍କିଙ୍ଗ ଉଦ୍ୟୋଗ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଚଳିତ ଆର୍ଥିକ ବର୍ଷ(୨୦୧୯-୨୦) ପାଇଁ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଆକଳନ ୫%ରୁ ହ୍ରାସ କରି ୪.୬%ରେ ସୀମିତ ରଖିଛି । ଏସ୍ବିଆଇ ପକ୍ଷରୁ ଏସମ୍ପର୍କିତ ଏକ ରିପୋର୍ଟ ବୁଧବାର ଜାରି କରାଯାଇଛି ।

ରିପୋର୍ଟରେ ବ୍ୟାଙ୍କ କହିଛି ଯେ, ନଭେମ୍ବରରେ ଜିଡିପି ଅଭିବୃଦ୍ଧି ହାର ୫% ରହିବ ବୋଲି ଆକଳନ କରାଯାଇଥିଲା । ମାତ୍ର ବର୍ତ୍ତମାନ ଏହାକୁ ୪.୬%କୁ ହ୍ରାସ କରାଯାଇଛି । ଏସ୍ବିଆଇ ଉକ୍ତ ରିପୋର୍ଟରେ କହିଛି ଯେ, କେନ୍ଦ୍ର ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍ଓ) ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ହାର ୫% ରହିବ ବୋଲି ଆକଳନ କରିଛି । ବିଗତ ୧୧ ବର୍ଷ ମଧ୍ୟରେ ଏହା ସବୁଠୁ କମ୍ ହେବ । ଏହାର ପୂର୍ବ ଆର୍ଥିକବର୍ଷ (୨୦୧୮-୧୯ ଆର୍ଥିକବର୍ଷ)ରେ ଜିଡିପି ହାର ୬.୮% ରହିଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଡିସେମ୍ବରରେ ହୋଇଥିବା ମୁଦ୍ରାନୀତି କମିଟି ବୈଠକରେ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଜିଡିପି ଆକଳନକୁ କମ୍ କରି ୫% କରିଥିଲା । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ସିଏସ୍ଓ ଜାନୁଆରୀ ୩୧ରେ ଆର୍ଥିକବର୍ଷ ୨୦୧୭, ୨୦୧୮ ଏବଂ ୨୦୧୯ର ପ୍ରଥମ ସଂଶୋଧିତ ଆକଳନ ଜାରି କରିବ । ଏହାକୁ ଆଧାର କରି ୨୦୧୮-୧୯ ଆର୍ଥିକବର୍ଷ ପାଇଁ ଜିଡିପି ଏବଂ ଜିବିଏକୁ ଜାନୁଆରୀ ୨୮ ଓ ମେ’ ୨୯ରେ ୨୦୧୯-୨୦ ଆର୍ଥିକବର୍ଷର ଦ୍ୱିତୀୟ ଆଡ୍ଭାନ୍ସ ଏଷ୍ଟିମେଟ୍ରେ ସଂଶୋଧନ କରାଯାଇପାରିବ । ବର୍ତ୍ତମାନର ଟ୍ରେଣ୍ଡ୍କୁ ଦୃଷ୍ଟିରେ ରଖି ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଜିଡିପି ଆକଳନକୁ ୪.୬% ରଖାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଆର୍ଥିକ ବର୍ଷ ପାଇଁ କରାଯାଇଥିବା ପ୍ରଥମ ଆଗୁଆ ଜିଡିପି ଆକଳନ ତୁଳନାରେ ଏସ୍ବିଆଇର ଆକଳନ କମ୍ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅଗ୍ରୀମ ଜିଡିପି ଆକଳନ ହାର ପ୍ରକାଶ କରାଯାଇଥିଲା ବେଳେ ଏହି ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦନ ହାର ୫ ପ୍ରତିଶତ ରହିବ ବୋଲି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ ପକ୍ଷରୁ କୁହାଯାଇଥିଲା । ୨୦୧୯-୨୦ ଆର୍ଥିକ ବର୍ଷର ଶିଳ୍ପ ଉତ୍ପାଦନ ସୂଚକାଙ୍କ, ଆର୍ଥିକ କ୍ଷେତ୍ରର ଅଭିବୃଦ୍ଧି, ଶସ୍ୟ ଉତ୍ପାଦନର ଆଗୁଆ ଆକଳନ, କେନ୍ଦ୍ର ଏବଂ ରାଜ୍ୟମାନଙ୍କ ଜମା ତଥା ବିଭିନ୍ନ କ୍ଷେତ୍ରର ସୂଚକାଙ୍କ ସ୍ଥିତିକୁ ନେଇ ଏହି ଆକଳନ କରାଯାଇଥିଲା । ଏହି ବର୍ଷରେ ଜିଭିଏ( ଗ୍ରସ୍ ଭାଲ୍ୟୁ ଆଡେଡ୍) ହାର ୪.୯ ପ୍ରତିଶତ ରହିବ ବୋଲି ଆକଳନ ରିପୋର୍ଟ ଦର୍ଶାଯାଇଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଶେଷ ସୁଦ୍ଧା ଜିଡିପି ହାର ୬ ବର୍ଷର ସର୍ବନିମ୍ନ ଭାବେ ୫ ପ୍ରତିଶତ ଏବଂ ଦ୍ୱିତୀୟ ତ୍ରୈମାସିକ ଶେଷ ସୁଦ୍ଧା ୪.୫ ପ୍ରତିଶତରେ ପହଞ୍ଚିଥିବା ବେଳେ ଆର୍ଥିକ ବର୍ଷର ହାରାହାରି ଜିଡିପି ହାର ୫ ପ୍ରତିଶତ ରହିବ ବୋଲି ଆକଳନ ରିପୋର୍ଟ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *