#Lockdown3.0: ଶ୍ରମିକଙ୍କ ଟ୍ରେନ୍ ଖର୍ଚ ଦେବ ଜାତୀୟ କଂଗ୍ରେସ
ଭୁବବେଶ୍ଵର, (ଓଡ଼ିଶା ଟାଇମ୍): ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ଫେରନ୍ତା ଖର୍ଚ ଦେବ ଜାତୀୟ କଂଗ୍ରେସ। ଏଥିଲାଗି କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଘୋଷଣା କରିଛନ୍ତି। ରାଜ୍ୟ କଂଗ୍ରେସମାନଙ୍କୁ ଏହି ଖର୍ଚ ତୁଲାଇବାକୁ ସେ ଆହ୍ବାନ ଦେଇଛନ୍ତି। ଦେଶ ଯେତେବେଳେ ଏହି ବିପର୍ଯ୍ୟୟ ସମୟରେ ଗତି କରୁଛି ସେତେବେଳେ ନିଜର କର୍ତ୍ତବ୍ୟ ଓ ଅବଦାନକୁ ଆହୁରି ମଜଭୁତ କରିବା ଲାଗି କଂଗ୍ରେସ ଏହି ନିଷ୍ପତ୍ତି ନେଇଛି।
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହାକୁ ୧୯୪୭ ବିଭାଜନ ପରର ସମୟ ସହ ତୁଳନା କରିଛନ୍ତି ସୋନିଆ । ସେତେବେଳେ ଯେମିତି ଲକ୍ଷ ଲକ୍ଷ ଭାରତୀୟ ରାସ୍ତାରେ ଚାଲି ଚାଲି ନିଜା ଅସ୍ଥାନ ଖୋଜୁଥିଲେ ଠିକ୍ ସେହିପରି ଅଭାବନୀୟ ପରିସ୍ଥିତିରେ ଶ୍ରମିକ ଚାଲି ଚାଲି ଗାଁକୁ ଫେରୁଛନ୍ତି। ଏହି ସମୟରେ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରଣାଳୟ ସେମାନଙ୍କୁ ସହାୟତାର ହାତ ବଢ଼ାଇବା ଜାଗାରେ ସେମାନଙ୍କ ଲାଗି ଉଦ୍ଦିଷ୍ଟ ଟ୍ରେନ୍ ଯାତ୍ରା ଲାଗି ଟିକେଟ୍ ସଂଗ୍ରହ କରିବାକୁ ସେ ନିନ୍ଦା କରିଛନ୍ତି। ବାରମ୍ବାର କେନ୍ଦ୍ରକୁ ଏହି ଟିକେଟ୍ ଖର୍ଚ ମାଗଣା କରିବା ପାଇଁ ଅନୁରୋଧ କରି ବିଫଳ ହେବା ପରେ କଂଗ୍ରେସ ସମସ୍ତ ପ୍ରଦେଶ କଂଗ୍ରେସ କମିଟିକୁ କହିଛି।
ଏକ ବିବୃତ୍ତିରେ ସୋନିଆ କହିଛନ୍ତି, ଏହି ଶ୍ରମିକମାନେ ହେୁଛନ୍ତି ଦେଶ ବିକାଶର ରାଜଦୂତ। ଯେତେବେଳେ ରେଳ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କରୋନା ପାଣ୍ଠି ’ପିଏମ୍ କେୟାର’ ପାଣ୍ଠିକୁ ୧୫୧ କୋଟି ଟଙ୍କା ପ୍ରଦାନ କରିପାରୁଛନ୍ତି ତା’ ମଧ୍ୟରୁ କାଣିଚାଏ କାହିଁକି ଏହି ଟିକେଟ୍ ଖର୍ଚରେ ଲଗାଯାଇ ନପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଅସୁବିଧାରେ ଥିବା ଏହି ଲୋକଙ୍କୁ ମାଗଣା ଯାତ୍ରା ବ୍ୟବସ୍ଥା କରିବାକୁ ସେ ଯୁକ୍ତି ବାଢ଼ିଛନ୍ତି।