#Lockdown3 ରାଜନୀତି: ରାଜ୍ୟ ସରକାରଙ୍କୁ ବୋଝ ଧରାଇଇଲା କଂଗ୍ରେସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଆବଶ୍ୟକ ରେଳ ଭଡ଼ା କଂଗ୍ରେସ ବହନ କରିବ ବୋଲି ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ଘୋଷଣା କରିବା ପରେ ପିସିସି ନିଜ ମୁଣ୍ଡ ଉପରୁ ବୋଝ ହଟାଇବାକୁ ଚେଷ୍ଟା କରିଛି। ରାଜ୍ୟ ସରକାର ହିସାବ ଦେଲେ ପିସିସି ଖର୍ଚ ବହନ କରିବ ବୋଲି କହିଛି। ଅର୍ଥାତ୍‌ ଶ୍ରମିକଙ୍କ ରେଳଭଡ଼ା ତୁଲାଇବା ଲାଗି କଂଗ୍ରେସର ନିଷ୍ପତ୍ତି ଓ ବୟାନ ଏହି ବିପର୍ଯ୍ୟୟ ସମୟରେ ଏକ ରାଜନୀତିକ ଆହ୍ବାନରେ ପରିଣତ ହୋଇଛି।

ଆମ ପାଖରେ ସମ୍ପୂଣ୍ଣ ତଥ୍ୟ ନାହିଁ। ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ ଯେ, ଏଠାକାର  ନିୟମାବଳୀ ଅନୁସାରେ କେଉଁ ଶ୍ରମିକ ଆସିବେ, କେଉଁ ପ୍ରଦେଶରୁ କେତେ ଆସିବେ, ସେମାନଙ୍କ ରେଳଗାଡ଼ିର ସୁବିଧା ପାଇଁ କ’ଣ ଆବଶ୍ୟକତା ଅଛି, ତାହା ଆମକୁ ଜଣାଇଲେ ଆମେ ସେଥିପାଇଁ ଆବଶ୍ୟକ ଖର୍ଚ ଭରଣା କରିବୁ ।- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ ଆସିବା ଲାଗି ରେଳଭଡ଼ା ବାବଦରେ ଯାହା ଖର୍ଚ ହେବ ଆମେ ତାହା ଦେବାକୁ ପ୍ରସ୍ତୁତ ଅଛୁ। ଏହା ଆମର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିର୍ଦେଶ ଅନୁସାରେ କରାଯାଉଛି। କିନ୍ତୁ ଏଥିଲାଗି ଆମ ପାଖରେ ତଥ୍ୟ ନାହିଁ। ରାଜ୍ୟ ସରକାର କେଉଁ ଶ୍ରମିକଙ୍କୁ ଆଣିବାକୁ ଚାହିଁଛନ୍ତି ତାହାର ଏକ ବିବରଣୀ ରଖନ୍ତୁ। ଏପରିକି ତାଙ୍କ ବାବଦରେ କେତେ ଖର୍ଚ ହେଉଛି ତାହା ଯଦି ରାଜ୍ୟ କି କେନ୍ଦ୍ର ବହନ ନକରିବ ତେବେ ତାହାକୁ ରାଜ୍ୟ କଂଗ୍ରେସ ଦେବା ପାଇଁ ପ୍ରସ୍ତୁତ।

‘ରାଜ୍ୟ ସରକାର ଏହା ନକରିପାରିଲେ ଆମେ ତାହା ପାଳନ କରିବୁ।’ ଏହାର ଅର୍ଥ  ବିଜେଡି ନେତୃତ୍ଵାଧୀନ ରାଜ୍ୟ ସରକାର ଯଦି ରାଜ୍ୟର  ଦ୍ଵିତୀୟ ବିରୋଧୀ ଦଳ କଂଗ୍ରେସକୁ ହାତ ପତାଇବେ ତେବେ ତାହାରି ଆଧାରରେ କଂଗ୍ରେସ ସହାୟତା କରିବ।  ଯଦି ଏଭଳି ପରିସ୍ଥିତି ହେବ ତେବେ ଏହା ସରକାରରେ ଏକ ଜରୁରୀ କାଳୀନ ଆର୍ଥିକ ସଙ୍କଟକୁ ସୂଚିତ କରିବ। ରାଜ୍ୟର ସରକାର ତାହାର ଜନସାଧାରଣଙ୍କ ଦେଖାଶୁଣା କରିବାରେ ଅସଫଳ ହେଉଛି ବୋଲି ସାମ୍ବିଧାନିକ ଭାବେ ବିଚାର କରାଯିବ। ଏହା ଏକ ସାମ୍ବିଧାନିକ ସଙ୍କଟ ବି ସୃଷ୍ଟି କରିବା ଆଶଙ୍କା ରହିଛି। ଏଣୁ କୌଣସି ନିର୍ବାଚିତ ସରକାର କେବେ ତାହା କରିବେ ନାହିଁ। ଏ ବିଷୟକୁ କଂଗ୍ରେସ ଭଲ ଭାବେ ଜାଣିଛି, ନିଶ୍ଚୟ।

ପ୍ରଶ୍ନ ଉଠୁଛି,  ବିପର୍ଯ୍ୟୟ ପରିସ୍ଥିତିରୁ ଫାଇଦା ଉଠାଇବାର ସମୟରେ ଗୋଟିଏ ରାଜନୀତିକ ଦଳ କାହିଁକି ଅନ୍ୟ ଦଳକୁ ସୁଯୋଗ ଦେବ? ୫୦ ବର୍ଷରୁ ଅଧିକ ସମୟ ଶାସନ କରିଥିବା କଂଗ୍ରେସ ଦଳ ତଥା ଏହାର ନେତାଙ୍କର ଏହା ଏକ ଅପରିପକ୍ଵ ବୟାନ ନୁହେଁକି?

ଅପରପକ୍ଷେ ଏକ ସରକାର କାହିଁକି ଏକ ରାଜନୀତିକ ଦଳଙ୍କୁ ସହାୟତାର ହାତ ବଢ଼ାଇବ? ଯଦି ରାଜକୋଷର ଅଭାବ ରହିବ ତେବେ ସରକାର ଚାହିଁଲେ ଋଣ ଉଠାଇପାରିବେ ବା କେନ୍ଦ୍ର ଅଥବା ବିଦେଶୀ ସହାୟତା ପାଇଁ ରଣନୀତି ପରିଚାଳନା କରିପାରିବେ। ବିରୋଧୀ ଦଳକୁ କାହିଁକି, ସରକାରଙ୍କ ରାଜକୋଷ ଅପେକ୍ଷା ବିରୋଧୀ ଦଳ ପାଖରେ ଅଧିକ ଅର୍ଥ ରହିଛି କି?

ଅପରପଯେ ପ୍ରଶ୍ନ ଉଠୁଛି କଂଗ୍ରେସ ଦଳ ଯଦି ଶ୍ରମିକଙ୍କୁ ସହାୟତା ଦେବାକୁ ପ୍ରସ୍ତୁତ ତେବେ ସେହି ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟକୁ କାହିଁକି ଆବଶ୍ୟକ ଟିକେଟ୍‌ ଖର୍ଚ ପ୍ରଦାନ କରୁ ନାହିଁ?

Leave a Reply

Your email address will not be published.