#Lockdown3: ଗାଁରେ ବାରିକେଡ୍‌ ବେଆଇନ୍‌, କାମଧନ୍ଦାକୁ ଗୁରୁତ୍ଵ ଦେଲେ ସରକାର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସହରରେ ଦୋକାନ ଖୋଲିଛି କିନ୍ତୁ ଗରାଖ ନାହାନ୍ତି। ନିର୍ମାଣ କାମକୁ ଆଦେଶ ମିଳିଛି ହେଲେ ଶ୍ରମିକ ମିଳୁ ନାହାନ୍ତି। ଗୋଟିଏ ପଟେ ପୁଲିସ କଟକଣା, ଆଉ ଗୋଟିଏ ପଟେ ଗାଁ ଗାଁରେ କରୋନା ଭୟ ରାଜ୍ୟରେ ଅର୍ଥନୀତିକ ପ୍ରବାହକୁ ସମ୍ପୂଣ୍ଣ ଭାବେ ପ୍ରଭାବିତ କରିଛି। ଏ ବିଷୟକୁ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ବୋଲି କହିବା ସହ ଉଭୟ ଜୀବନ ଓ ଜୀବୀକା ଗୁରୁତ୍ଵପୂଣ୍ଣ ବୋଲି କହିଛନ୍ତି ସ୍ଵତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା।

 ଏହିକ୍ରମରେ କିଛିଦିନ ତଳେ ଗାଁ ଗାଁରେ ଲାଗିଥିବା ଯେଉଁ ବାରିକେଡ୍‌କୁ ପ୍ରଶଂସା କରାଯାଉଥିଲା ଆଜି ତାହାକୁ ବେଆଇନ ବୋଲି ଦର୍ଶାଇଛନ୍ତି ଶ୍ରୀ ଜେନା। ସେ କହିଛନ୍ତି ଏହି ବାରିକେଡ୍‌ କରୋନା ସଂକ୍ରମଣକୁ ନୁହେଁ ଅର୍ଥନୀତିକ ପ୍ରବାହକୁ ବନ୍ଦ କରୁଛି ।ଏଣୁ ଏସବୁକୁ ଉଠାଇ ଶ୍ରମିକଙ୍କ ଯାଆସ ଉପରେ କଟକଣା ଲାଘବ କରିବା ଦରକାର।  ଗ୍ରୀନ୍‌, ଅରେଞ୍ଜ ଏବଂ ରେଡ୍‌ ଜୋନ୍‌ରେ ଯେଉଁ କାର୍ଯ୍ୟକୁ ଅନୁମତି ମିଳିଛି ତାହାକୁ ଜାରି କରିବାରେ ପଅତିରୋଧ ନଆସିବା ଦରକାର ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଶ୍ରମିକମାନେ ନିଜ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେ । ଠିକାଦାରମାନେ ନିଦ୍ଦିଷ୍ଟ ଗାଡ଼ିରେ ଶ୍ରମିକମାନଙ୍କୁ ନେଇପାରିବେ । ସେହିଭଳି ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳମାନେ ଶ୍ରମିକଙ୍କ ପାଇଁ ଗାଡ଼ି ଯୋଗାଇ ଦେବେ । ଶ୍ରମିକମାନଙ୍କ ଯିବାଆସିବାରେ ବାଧା ସୃଷ୍ଟି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୁଇ ରାଜ୍ୟର ସହମତିରେ ବାହାର ରାଜ୍ୟରୁ କୁଶଳୀ ଶ୍ରମିକ ଆମ ରାଜ୍ୟକୁ ଅଣାଯାଇପାରିବ ।

ମାର୍ଚ ୨୨ ତାରିଖରୁ ରାଜ୍ୟରେ ଜୀବନ ବଞ୍ଚାଇବା ଆହ୍ବାନରେ ଜୀବୀକା ମାନ୍ଦା ପଡ଼ିଛି। ଏବେ ଉଭୟକୁ ସମାନ ଗତିରେ ଆଗକୁ ବଢ଼ଶଇବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି ।ଏହି କ୍ରମରେ ଲୋକଙ୍କୁ କରୋନା ସହ ବଞ୍ଚିବା ଲାଗି ସରକାର ଅନୁପ୍ରେରିତ କରିଛନ୍ତି।

ଜୀବନ ଯୁଦ୍ଧ ଲଢ଼ୁଲଢ଼ୁ  ଯେପରି ଜୀବିକା ନ ହାରିଯାଏ ସେଥିପାଇଁ କାମ କରିବାକୁ ପଡ଼ିବ । ସରକାର ଏ ନେଇ ୨୬ଟି ନିର୍ଦ୍ଦେଶାବଳୀ ଦେଇଛନ୍ତି ।  ଅବରୋଧ ଅଞ୍ଚଳଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଛି । ସହରାଞ୍ଚଳରେ ଶିଳ୍ପାନୁଷ୍ଠାନରେ ସାମାନ୍ୟ କଟକଣା କରାଯାଇଛି । କିନ୍ତୁ ଅରେଞ୍ଜ ଓ ଗ୍ରୀନ ଜୋନରେ ସବୁ ପ୍ରକାରର ଆର୍ଥିକ କାର୍ଯ୍ୟକୁ ଅନୁମତି ମିଳିଛି । କୃଷି, ଶିଳ୍ପ ଓ ନିର୍ମାଣ କାମ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି ।

ଶ୍ରୀ ଜେନା କହିଛନ୍ତି,  କୃଷି କାର୍ଯ୍ୟ ପାଇଁ ଶ୍ରମିକମାନେ ନିଜ ଜିଲ୍ଲାର ଅନ୍ୟ ଜିଲ୍ଲାକୁ ଯାଇପାରିବେ । ଖରିଫ ଫସଲ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ସାର, ଔଷଧ, ବିହନ ଓ ମଞ୍ଜି ମହଜୁଦ ଅଛି । ଶ୍ରମିକମାନେ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯିବା ପାଇଁ ଅନୁମତି ଦରକାର ନାହିଁ ।

Leave a Reply

Your email address will not be published. Required fields are marked *