ତେଲେଙ୍ଗାନାରେ ମେ ୭ ଯାଏଁ #ଲକ୍ଡାଉନ୍
ହାଇଦ୍ରାବାଦ (ଓଟି): ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ମେ ୩ ଯାଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହା ପୂର୍ବରୁ କେତେକ ରାଜ୍ୟ ସରକାର ଲକ୍ଡାଉନ୍ ବୃଦ୍ଧି କରିସାରିଥିଲେ। ସମ୍ପ୍ରତି ତେଲେଙ୍ଗାନା ସରକାର ମେ ୭ ତାରିଖ ଯାଏଁ ଲକ୍ଡାଉନ୍ ବୃଦ୍ଧି କରିଛନ୍ତି। ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି। ଅତି କଠୋର ନିୟମ ଭିତ୍ତିରେ ଲକ୍ଡାଉନ୍ ଜାରି ରହିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ପ୍ରକାଶ କରିଛନ୍ତି। ଏଥିସହ ମେ ୫ ତାରିଖରେ ଏନେଇ କ୍ୟାବିନେଟ୍ ପରିସ୍ଥିତିର ସମୀକ୍ଷା କରିବ ବୋଲି ଜଣାପଡ଼ିଛି।
ଶ୍ରୀ ରାଓ କହିଛନ୍ତି ଯେ ୨୧ଜଣଙ୍କ ମୃତ୍ୟୁ ସହ ରାଜ୍ୟରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫୮ରେ ପହଞ୍ଚିଛି। ୱାରାଙ୍ଗଲ୍, ୟାଦ୍ରାଦ୍ରି, ଭଦ୍ରଦ୍ରି, ସିଦ୍ଦିପେଟ, ୱାନାପାର୍ତି ଆଦି ଜିଲ୍ଲା କରୋନାଭାଇରସ୍ ମୁକ୍ତ ରହିଛି। ଅନ୍ୟପକ୍ଷରେ ଜାତୀୟ ପରୀକ୍ଷା ହାରଠାରୁ ମଧ୍ୟ ତେଲେଙ୍ଗାନାରେ ପରୀକ୍ଷା ହାର ଉତ୍ତମ ବୋଲି ସେ କହିଛନ୍ତି। ସେହିପରି ରାସନ୍ କାର୍ଡଧାରୀଙ୍କୁ ଦ୍ଵିତୀୟ ମାସ ପାଇଁ ସାମଗ୍ରୀ ଓ ୧୫୦୦ ଟଙ୍କା ଦିଆଯିବ। ଏପରିକି ପ୍ରବାସୀ ଶ୍ରମଜୀବୀଙ୍କୁ ମଧ୍ୟ ୧୫୦୦ ଟଙ୍କା ଓ ରାସନ ସାମଗ୍ରୀ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି।